ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୪ ମଇ ୨୦୨୪
ଓଡ଼ିଆ ଅସ୍ମିତା ପ୍ରସଂଗ ଏବେ
ସମଗ୍ର ରାଜ୍ୟକୁ କରୁଛି ହୁଲସ୍ତୁଲ,
ନିର୍ବାଚନରେ ତାହା ସାଜିଛି
ଦଳମାନଙ୍କ ମୁଖ୍ୟ ମୁଦ୍ଦା ବିଲକୁଲ ।। ୧ ।।
ବିରୋଧୀ କହୁଛି ଆଜି ଅସ୍ମିତା
ସଂପୂର୍ଣ୍ଣ ଭାବେ ହୋଇଛି ଲୁଣ୍ଠିତ,
ଶାସକ ଦମ୍ଭୋକ୍ତି କରୁଛି ତାହା
ଅକ୍ଷତ, ଅନାହତ ଆଉ ଅତି ସୁରକ୍ଷିତ ।। ୨ ।।
ଜଣେ କହେ ଅଣଓଡ଼ିଆ ବ୍ୟକ୍ତିଙ୍କୁ
ଅନ୍ୟାୟେ ଶାସନେ ଥୋପିବା କିଭଳି ଅସ୍ମିତା ?
ଆରକେ ଜବାବ ଦିଏ ଶ୍ରୀମନ୍ଦିର
ପ୍ରକଳ୍ପ ପରା ଆମ ଅସ୍ମିତାର ପାରଦର୍ଶିତା ।। ୩ ।।
ଚବିଶ ବର୍ଷ ଶାସନେ ଓଡ଼ିଶା
ପଛୁଆ ରହିବା କଣ’ ଅସ୍ମିତାର ମାନଦଣ୍ଡ ?
ଆଗାମୀ ଦଶ ବର୍ଷରେ ଶ୍ରେଷ୍ଠତ୍ବ
ହାସଲ ନିଷ୍ଠା ଆମର ରହିଛି ପ୍ରଚଣ୍ତ ।। ୪ ।।
ଭୋଟର ବାପୁଡ଼ା ବିଚାରୁଛି
ଏହା କଣ’ ଅସ୍ମିତାର ନୂଆ ପରିଭାଷା ?
ଯେଉଁଠି ଉତ୍କଟ ବେକାରୀ ସହ
ବେଲଗାମ ଦରବୃଦ୍ଧି ମନେ ଭରୁଛି ନିରାଶା ।। ୫ ।।
ବଞ୍ଚିବା ଲାଗି ହାତ ପାତିବାକୁ
ପଡୁଛି ସରକାରୀ ଯୋଜନା ଉପରେ,
ମଣିଷକୁ ସ୍ୱାବଲମ୍ବୀ କରିବା କଣ’
ଆମ ଶାସନ କଳର ସାମର୍ଥ୍ୟ ବାହାରେ ? ।। ୬ ।।
ଏହା କଣ’ ଆମ ବ୍ୟବସ୍ଥାର
ଉତ୍କୃଷ୍ଟ ବୁଦ୍ଧିମତା ଓ ପାରଦର୍ଶିତା ?
ନାଁ ଏହା ଆମର ଚମତ୍କାରିତା
ଓ ବଦଳିଥିବା ସମୟର ‘ଓଡ଼ିଆ ଅସ୍ମିତା’ ।। ୭ ।।