ଜୟ କୁମାର ମିଶ୍ର, ଗଜପତି, ୨୮ ସେପ୍ଟେମ୍ବର ୨୦୨୩
ପାହାଡ଼ ତଳି, ଗାଆଁଟି ମୋର,
ଶ୍ୟାମଳ ତରୁ କୋଳରେ ଘର,
ସୁଷମା ଭରା, ଅତି ନିଜର,
ଦେଖଇ ତାକୁ ନିଇତି ମୁହିଁ,
ତା’ପାଦ ଛୁଇଁ, ଯାଉଛି ବହି,
ବଂଶଧାରା ନଈଟି ଚେଇଁ,
ଅମୃତ ଧାରା, ଜୀବନ ଦେଇ,
ମନ ଗହନ, ସ୍ମୃତିଟି ସେହି ।। (1)
ନାହିଁ ଅମଙ୍ଗ, ସବୁରି ସାଙ୍ଗ,
ଉଦାର ହସ୍ତ ଜଳ ତରଙ୍ଗ,
ଦେଇ ସେ ସୁଖ ଦୁଃଖଟି ଭାଙ୍ଗ
ସବୁରି, ଆଶା, ଭରସା କର,
ତା’ ଦୁଇ କଡ଼େ, କ୍ଷେତଟି ମାଡ଼େ,
ଶସ୍ୟ ପ୍ରାନ୍ତର ଜୀବନ ଗଢ଼େ,
ଦେଇ ଜୀବିକା, ରାହାଟି ବାଢ଼େ,
ସବୁରି ଆଶା ଭରସା ଘର ।। (2)
ଝାଟି, ମାଟିରେ, କେତେ ଯେ ଘର,
ଛଣ, ଛପର ଛାତ ଚାଦର,
ଶୀତଳ ଛୁଆଁ, ଆରାମକର,
ସୁଲୁ ସୁଲିଆ ଧୀର ପବନ,
ଗାଉଁଳି ପିଲା, ଖେଳି ବୁଲିଲା,
ଗାଈ, ବାଛୁରୀ, ଛେଳି ଧରିଲା,
ପ୍ରକୃତି କୋଳେ ବିଭୋର ହେଲା,
ନିତି ନଦୀରେ, କରିଲା ସ୍ନାନ ।। (3)
ଧରି କେ ମୀନ, ଅତି ଯତନ,
କାଙ୍କଡ଼, ଛତୁ, ଖୋଜଇ ପୁଣ,
ଫଳ, ମୂଳ ଓ ପତରେ ଧ୍ୟାନ,
ଘର ଅଭାବ ବୋଝ ବୋହିଣ,
ଘସି, ଗୋବର, କାଠ, ପତର
ବାସ ପାଶରେ ଗଦା କାହାର,
ସଞ୍ଚିତ ମନ, ଯତନ କା’ର,
ଶ୍ରମରେ ଘୁରି ପାହାଡ଼ ବନ, ।। (4)
ସରଳ ମନ, ପାହାଡ଼ି ଜନ,
କୁଟିଳ ବୁଦ୍ଧି, ଜଟିଳ ଜ୍ଞାନ,
ଚିର ନିଦ୍ରାରେ, ସେଜ ପାରିଣ,
ଆଧୁନିକକୁ କରି ଜୁହାର,
ଜୀବନ ଚର୍ଯ୍ୟା, ଲାଗୁଛି ମଜା,
ଦୁଃଖ, ସୁଖରେ ସବୁ ପରଜା,
ହାତରେ ହାତ, ସେନେହେଁ ଖଞ୍ଜା
ସମୟ ସ୍ରୋତ କରନ୍ତି ପାର ।। (5)
ଯୋଜନା ଆସେ ଯୋଜନା ଯାଏ,
କାନଟି ଶୁଣେ, ହାତ ନପାଏ,
ବାଟ ମାରଣା, ଖଣ୍ଡିଆ ହୁଏ,
ପଲ୍ଲୀ ବିକାଶ କଥାକୁ କହି,
ଆକାଶ କଇଁଆ, ଚିଲିକା ମାଛ,
ମିଳନ ଆଶା, ହେଉଛି ତୁଚ୍ଛ,
ଅପପୃଷ୍ଟିଟି, ପ୍ରଗତି ଗଛ,
ଗତି କଛପ, ସବୁଠି ପଛ, ।। (6)
ବିଳାସ, ଭୋଗ, କରୁଛି ଯୋଗ,
ସନ୍ୟାସ ବ୍ରତ, ତାହାର ସାଙ୍ଗ,
ଶ୍ରମ ବିଶ୍ୱାସୀ, ଶ୍ରମ ହିଁ ସ୍ୱର୍ଗ,
ଅତି ଆପଣା, ଗୁରୁ ମନ୍ତ୍ରର,
ଯଦି ମାନିବେ, କରିବେ ପୂଜା
ଗଲେ ଭରସା, ଦେବେଟି ସଜ୍ଜା,
ହୋଇ ନିଷ୍ଠୁର, ନିଜେ ହିଁ ରଜା
ମନ ଗଣ୍ଠିଟି, ସୁଦୃଢ଼ କାର ।। (7)