ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨ ଜାନୁଆରୀ ୨୦୨୫
ହେ ପୂଜନୀୟା !
ରଖିଥା ସାଇତି ରଖିଥା ସାଇତି
ତୋ ପଣତ କାନି
ଘୋଡାଇ ରଖିବୁ ତୋ ସନ୍ତାନ ମସ୍ତକ,
ଯେତେବେଳେ ଡରୁଥିବ ପାଉଥିବ ଦୁଃଖ.
ହେ ପୂଜନୀୟା !
ରଖିଥା ସାଇତି ରଖିଥା ସାଇତି
ତୋ ପଣତ କାନି
ପୋଛି ଦେବୁ ଲୁହ ତୋର ସନ୍ତାନ ଆଖିରୁ,
ଯେତେବେଳେ କାନ୍ଦୁଥିବ କଷ୍ଟରୁ ଦୁଃଖରୁ.
ହେ ପୂଜନୀୟା !
ରଖିଥା ସାଇତି ରଖିଥା ସାଇତି
ତୋ ପଣତ କାନି
ପୋଛି ଦେବୁ ସ୍ବେଦ ସବୁ ତୋ ସ୍ୱାମୀ ମୁହଁରୁ,
ଯେତେବେଳେ ଫେରିଥିବ ସେ ତା’ର ଶ୍ରମରୁ.
ହେ ପୂଜନୀୟା !
ରଖିଥା ସାଇତି ରଖିଥା ସାଇତି
ତୋ ପଣତ କାନି
ଘୋଡାଇବୁ ତୋ ମୁଣ୍ଡ ଉପରେ ସଂଭ୍ରମରେ,
ଯେତେବେଳେ ଗୁରୁଜନ ଦେଖିବୁ ପାଖରେ.
ହେ ପୂଜନୀୟା !
ରଖିଥା ସାଇତି ରଖିଥା ସାଇତି
ତୋ ପଣତ କାନି
ପୋଛିଦେବୁ ତୋର ନିଜ ଆଖି ଲୁହ ଲୁଚାଇ,
ଯେତେବେଳେ କାନ୍ଦୁଥିବୁ ତୁହି ଦୁଃଖ ପାଇ.
ହେ ପୂଜନୀୟା !
ରଖିଥା ସାଇତି ରଖିଥା ସାଇତି
ତୋ ପଣତ କାନି
ପୋଛିଦେବୁ ଖାଦ୍ୟ ପାତ୍ର ତୁ ସ୍ନେହ ଶରଧାରେ,
ଯେତେବେଳେ ପରଷିବୁ ଖାଦ୍ୟ ନିଜ ଲୋକ ଠାରେ.
ହେ ପୂଜନୀୟା !
ରଖିଥା ସାଇତି ରଖିଥା ସାଇତି
ତୋ ପଣତ କାନି
ବାନ୍ଧିନେବୁ ଦୁର୍ବା ଅକ୍ଷତ ପୁଷ୍ପ ତୁ ଭକ୍ତିରେ
ଯେତେବେଳେ ଆଶୀଷ ପାଇଁ ଚାହୁଁ ଥିବୁ ପୂଜା କାଳେ.