ଭକ୍ତ ଚରଣ ସାହୁ, ଯାଜପୁର, ୨୪ ଅଗଷ୍ଟ ୨୦୨୪
ଏମିତି କାମତୁ
କରି ଯାଉଥାରେ
ନ ହୋଇକି ବାଟବଣା ।
ଯେଉଁ କାମ ପାଇଁ
ପାଞ୍ଚ ଲୋକେ ସଦା
ହୋଇ ଯାଉଥିବୁ ଗଣା ।।୧।।
ଭାଗ୍ୟ କେତେବେଳେ
କାହାକୁ କେଉଁଠି
ପହଞ୍ଚାଇ ଦେବ ଆଣି ।
ଯେତେ ଜ୍ଞାନୀ ଅବା
ଯେତେ ବିଜ୍ଞ ହୁଅ
ପାରିବ ନାହିଁରେ ଜାଣି ।।୨।।
ଯେତେ ବ୍ୟସ୍ତ ରହି
ଯାହା କରୁଥାଅ
ସତ୍ୟ ପଥ ଛାଡ଼ ନାହିଁ ।
ଏହି ସତ୍ୟ ପଥ
ମୁକତିର ପଥ
ଈଶ୍ୱର ଭେଟିବା ପାଇଁ ।।୩।।
ଅନ୍ୟାୟରେ ଅର୍ଥ
ରୋଜଗାର କରି
ହୁଏତ ଖୁସିରେ ଥିବୁ ।
ହେଲେ ଏହି ଖୁସି
ଶାନ୍ତି ଦେବ ନାହିଁ
ଅଶାନ୍ତିରେ ଦିନେ ଯିବୁ ।।୪।।
କଳିକାଳ ନୁହେଁ
ଘୋର କଳିକାଳ
କଳି ଲଗାଇଛି ନାଟ ।
ତଥାପି କଳିର
କଳଙ୍କିତ ପଥେ
ନିତି ଚାଲୁଛେରେ ବାଟ ।।୫।।