ଜୟ କୁମାର ମିଶ୍ର, ଗଜପତି, ୪ ମଇ ୨୦୨୩
ପେଟୁଆ ସରପଞ୍ଚ, ପେଟ ବଡ଼ ଉଚ୍ଚ
ପାଏ ଯାହା, କରେ ଜୀର୍ଣ୍ଣ,
ବାଲି, ଗୋଡ଼ି, ମାଟି, ଇନ୍ଦିରା ଘରଟି,
ମଧୁବାବୁ ପେନସନ ।।(1)
ହରିଶ୍ଚନ୍ଦ୍ର ଯୋଜନା, ହୁଅଇଟି ଦାନା
ସିମେଣ୍ଟ, ରଡ଼ଟି ସାଥେ,
ବାଟ, ଘାଟ, ତୁଠ, ମଠ ଓ ମନ୍ଦିର,
ଚରିଯାଏ କେତେ କେତେ ।।(2)
ନାଳ, ନରଦମା, ବନ୍ଧ, ହିଡ଼, ବାଡ଼
କାହାକୁ ଛାଡେନା ଜମା,
ଭୋକିଲା ପେଟରେ, ହୋଇ ସେ ଅଧିରେ
ଖାଇ ଖାଇ ଡିଏଁ ସୀମା ।।(3)
ସବୁକୁ ହଡ଼ପ, କେତେ ଯେ ବହପ
ଏଠି, ସେଠି ଛାଡ଼ୁ ଥାଏ,
ବକ ଧାର୍ମିକଟି, ଦୁଃଖ ସୁଖ ବୁଝେ,
ଖାଇ ମାଂସ, ହାଡ଼ ଥୁଏ ।।(4)
କଳି, ତକରାଳ, ହେଲେ ଗଣ୍ଡଗୋଳ
ବାବୁତ ବିଚାରପତି,
ଏଠୁ ସେଠୁ ଖାଏ, ବିଚାରଟି ଦିଏ
କରି କେତେ ପକ୍ଷପାତି ।।(5)
ପାଉଣାର ପଲା, ଓଜନ ହୋଇଲା
ନ୍ୟାୟ ବିଚାରଟି ତାର,
ହେଉ ଯେତେ ଦୁଷ୍ଟ, ଅପାରାଧ ନଷ୍ଟ
ସପକ୍ଷରେ ମତ ତାର ।।(6)
ରାଣ୍ଡିକୁଣ୍ଡି ଟଙ୍କା, କେତେ ଯେ ଅଲେଖା
ଅନାୟାସେ ଦିଏ ଗିଳି,
ଭତ୍ତା, ରେସନଟି, ସବୁଥିରେ ବଟି
କରେ ଚଳୁ ଭଳି ଭଳି ।।(7)
ଖାଏ ମଦ, ମାଂସ, ହୋଇ ହସ ହସ
ପ୍ରଭାତଠୁ ରାତ୍ର ଯାଏ,
ଆଖି ନାଲି ନାଲି, ଚାଲେ ହଲି ହଲି
ଏପଟ, ସେପଟ ହୁଏ ।।(8)
କାଲାଙ୍କ ଆଗର, ମୂଳାଚୋବା ସ୍ୱର
ମୁରୁଖଠି ବହୁ କଥା,
ଚାଷୀ, ମୁଲିଆଠି, ବକବାଜି ଖଟି
ବହୁ ଆସ୍ପlଳନ, ଚିନ୍ତା ।।(9)
ମିଛ ହଜାରରେ, ସତ ଗୋଟେ ଭାରେ
କାଆଁ ଭାଆଁ ଓଠ ଗୀର,
ପ୍ରତିଶୃତି ମାଳା, ଲମ୍ବିଲା, ଲମ୍ବିଲା
ନାହିଁ ଆଦି ଅନ୍ତଃ ତାର ।।(10)
ଭୋଳାନାଥ ବର, ଦିଏ ନିରନ୍ତର
ହୁଏ ଭସ୍ମାସୁର କେହି,
ଚାତକ ନୟନ, ପ୍ରତୀକ୍ଷାଟି ପୁଣ
ଆକାଶ କଇଁଆ ପାଇଁ ।।(11)
ଚିଲିକାର ମାଛ, ସେତ ଅପହଞ୍ଚ
ନାହିଁ ମିଳାମିଶା କେବେ,
ମାରିଚିର ମାୟା, ସ୍ବର୍ଣ୍ଣମୃଗ ବାୟା
କରିପିଛା ବୁଲୁଥିବେ ।।(12)
ଖାଇବା ବୋହିବା, ବିରତି ନଥିବା
ନାଆ ଗନ୍ଧ, ଧରୁନାହିଁ,
ଖାଇ ଖାଇ ପେଟ, ହୋଇଲା ଉଦ୍ଭଟ
ଲମ୍ବିଲା ଉଦର ସେହି ।।(13)
ସବୁ କରିଦେବି, ଦୁଃଖ ତାରିଦେବି
ସଭିଏଁ ମୋହର ଲୋକ,
ରାଜଧନୀ ଠାରୁ, ପାରଲ୍ୟାମେଣ୍ଟ ଯାଏ
ଅଛି ପରିଚୟ ଟେକ ।।(14)
ବେଶ ଭୂଷଣଟି, ଦିଶଇ ଚହଟି
ଧୋବ ଧଉଳିଆ ହୋଇ,
ମଥା ଠାରୁ ଚିତା, ଧରେ ବଡ଼ ମଥା
ସଭିଙ୍କୁ କରଇ ବାଇ ।।(15)
ମଝି, ମାଛ ଖଣ୍ଡ, ଖାଏ ବାବୁ ତୁଣ୍ଡ
ଆମିଷ, ରଙ୍କୁଣା ପାଟି,
ସିଂହ ଭାଗ ଘେନା, ଉତ୍କଚ ପାଉଣା
ସେଥି ପାଇଁ ଛାଟିପିଟି ।।(16)
ବିରାଡ଼ି ବୈଷ୍ଣବ, ନିତି କହୁଥିବ
ଉଦାର ମଣିଷ ମୁହିଁ,
ସରି ରାମଚନ୍ଦ୍ର, ଶ୍ରେଷ୍ଠ ଆଉ ଭଦ୍ର
ସଭା, ସମିତିରେ କହି ।।(17)
ପେଟୁଆ ନାଟୁଆ, ସରପଞ୍ଚ ନୁଆଁ
ଭାଳେ, ଇନ୍ଦ୍ର, ଚନ୍ଦ୍ର ସରି,
କଥା ଆଉ କାମ, ନୁହଁ ସରିସମ
ବୁଲା ଅଙ୍କାବଙ୍କା ଭାରୀ ।।(18)