ସସ୍ମିତା ପଣ୍ଡା, କଟକ, ୨୭ ଅକ୍ଟୋବର ୨୦୨୨
ଅମର ଲଗ୍ନର ଆଶା ପାରିଜାତ
ଭାବ ସ୍ପନ୍ଦନର ଚୁକ୍ତି ।
ସ୍ବତନ୍ତ୍ର ସ୍ବାକ୍ଷର ବ୍ୟଗ୍ର ସମ୍ମୋହନେ
ନିର୍ଦ୍ଧାରିତ ସ୍ବୀକାରୋକ୍ତି ।।
ହୃଦୟର ସୀମା ବ୍ୟାପ୍ତ ପରିଧିରେ
ମନ ରୂପକଳ୍ପ ଆଭା
କେବେ ନୀରବରେ ଆଶା ମଲ୍ଲିକାରେ
ସଜାଡ଼ି ବାନ୍ଧିଛି ଗଭା ।।
ସ୍ବତଃ ଆମନ୍ତ୍ରଣ ମନ ଆକାଶରେ
ମାହେନ୍ଦ୍ରବେଳାର ସ୍ବର ।
ମଗ୍ନ ଶିହରଣ ଇଚ୍ଛା ତଟିନୀରେ
ମିମାଂସାର ଆବିଷ୍କାର ।।
ତୃଷ୍ଣାତଟ ଛୁଆଁ ଉଦ୍ଭାସିତ ପଣେ
ଶରତ ଆକାଶ ଜହ୍ନ ।
ଆତ୍ମସ୍ଥ ସଂଜ୍ଞାର ଆତିଥ୍ୟ ପର୍ବରେ
ଭିନ୍ନ ଏକ ଆଲୋଡ଼ନ ।।
ଭରସା ଫଲ୍ଗୁର କାମ କମାଣରେ
ପ୍ରସ୍ତୁତି ଫଳକ ଉଷା ।
ସୁନା ସପନର ନଉତେ ଆଦର
ହୃଦୟର ପରିଭାଷା ।।
ନୀଳ ଲଫାପାର ଚୁକ୍ତି ବଦ୍ଧତାରେ
ଗୋଲାପି କାଳିର ଚିହ୍ନ ।
ଆକାଶ ଭର୍ତ୍ତିର ବିଶ୍ୱାସରେ କେବେ
ସବୁଜ କଲ୍ଲୋଳ ମନ ।।
ସ୍ମୃତି ସିଲଟରେ ଆଶ୍ବସ୍ତିର ରଙ୍ଗ
ବିଳାପର ଦୈର୍ଘ୍ୟ ପ୍ରସ୍ଥ ।
ନିସ୍ତବ୍ଧ ରାତ୍ରିର ଆଉଁସା ପ୍ରବାହେ
କେବେ କରେ ଅସ୍ତବ୍ୟସ୍ତ ।।
ମୁକ୍ତ ମହ୍ଲାରର ଶୃଙ୍ଗାର ବାଚକେ
ଇନ୍ଦ୍ରଧନୁ ଆୟୂଷରେ ।
ଅନ୍ତର ବେଷ୍ଟିତ ଗୋପନ ବିଦ୍ରୋହ
କେବେ ଅଧିବାସ କରେ ।।
କେବେ ଜୀବନର ଆଷାଢି ଆଳାପ
କେବେ ଅଧାଲେଖା ସ୍ମୃତି ।
କଜଳ ରେଖାର ଅଧିବାସ କେବେ
ଯାତନାର ଅଭିବ୍ୟକ୍ତି ।।