ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୫ ଅକ୍ଟୋବର ୨୦୨୪
ପ୍ରେମ ଏକ ସ୍ପର୍ଶହୀନ, ଶବ୍ଦହୀନ ନଈ
ସେ ନଈକୁ କେହି କେବେ ଛୁଇଁ ପାରେ ନାହିଁ
ଅନୁଭବ କରିପାରେ ମନକୁ ଭିଜାଇ
ନିଶୁନ୍ ରାତିରେ ନଈ ଯାଉଥାଏ ବହି
ବହଳ ଅନ୍ଧାର ମଧ୍ୟେ ଶବ୍ଦଶୂନ୍ୟ ହୋଇ ।। ୧ ।।
ପ୍ରେମ ଏକ ଦୃଶ୍ୟହୀନ, କ୍ଲାନ୍ତିହୀନ ନଈ
ଦିନର ଆଲୁଅ ତଳେ ନିଜକୁ ଲୁଚାଇ
ଅନ୍ଧାର ରାତିରେ ତା’ର ତନୁ ଚମକାଇ
ଖରା, ଛାଇ ଭିତରେ ସେ ବିରାମ ନନେଇ
ଦିନ ରାତି ଧାଉଁଥାଏ ଥକି ପଡ଼େ ନାହିଁ ।। ୨ ।।
ପ୍ରେମ ଏକ ରଂଗହୀନ, ରୂପହୀନ ନଈ
ସପ୍ତରଂଗେ ସେ ନିଆରା ରଂଗ ମଧ୍ୟ ନାହିଁ
ସୂନେଲି ସ୍ୱପ୍ନେ ଭିଜାଇ ମନ ନିଏ ମୋହି
ଅଙ୍କାବଙ୍କା ତନୁରେ ତା’ ରୂପକୁ ସଜାଇ
ମନ କିଣି ନିଏ ମାୟାଜାଲକୁ ବିଛାଇ ।। ୩ ।।
ପ୍ରେମ ଏକ ତାଳହୀନ, ଛନ୍ଦହୀନ ନଈ
ବେସୁରା ଗୀତ ଯେମିତି ତାଳ ମାନେ ନାହିଁ
ହୃଦୟ ତନ୍ତ୍ରୀରେ ସିଏ ବେତାଳ ଖେଳାଇ
କବିତା ରୂପରେ ବହେ ବନ୍ଧ ବାଡ଼ ଡ଼େଇଁ
ପଦର ଛନ୍ଦଗୁଡ଼ିକୁ ଦିଏ ସେ ହଜାଇ ।। ୪ ।।
ପ୍ରେମ ଏକ ନାମହୀନ, ସୀମାହୀନ ନଈ
କଅଁଳ ବୟସେ ବହିଯାଏ ସେ ଲାଜେଇ
କିଶୋରୀ ସମୟେ ପୁଣି ଛନଛନ ହୋଇ
ଯଉବନେ ଭରା ଜଳ ବକ୍ଷକୁ ଫୁଲାଇ
ସମୁଦ୍ରେ ମିଶଇ ନିଜ ଅସ୍ତିତ୍ୱ ହରାଇ ।। ୫ ।।