ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ଅପ୍ରେଲ ୨୦୨୫
ପ୍ରେମ ଏକ ତନ୍ଦ୍ରାହୀନ, ତୃପ୍ତିହୀନ ନଈ
ସେ ନଈ ପାଣିରେ ସଦା ମଧୁ ଝରୁଥାଇ
ତୃଷିତ ହୃଦୟେ ତାହା ପୁଲକ ଜଗାଇ
ଅଜଣା ଆବେଗେ ଦିଏ ମନ ଚହଲାଇ
ତା’ନିରବ ନିମନ୍ତ୍ରଣ ଏଡ଼ି ହୁଏ ନାହିଁ
ତା’ର ନୀଳ ଜଳ ମନେ ରୋମାଞ୍ଚ ଭରଇ ।।୧।।
ପ୍ରେମ ଏକ କ୍ଷୁଧାହୀନ, ତୃଷ୍ଣାହୀନ ନଈ
ଯେତେ ବାଧା ପ୍ରତିରୋଧ ତାହା ମାନେ ନାହିଁ
ବହି ଚାଲିଥାଏ ସିଏ ଅନାହତ ହୋଇ
ମରମେ ମହକ ଭରା ଉଲ୍ଲାସ ଖେଳାଇ
ପ୍ରୀତିଭରା ଇନ୍ଦ୍ରଜାଲ ଦିଗନ୍ତେ ବିଛାଇ
ନିବୁଜ ହୃଦୟ ସିଏ ଦିଏ ମୁକୁଳାଇ ।।୨।।
ପ୍ରେମ ଏକ ବାସ୍ନାହୀନ, ଗନ୍ଧହୀନ ନଈ
ସେ ନଈ ଚହଲା ପାଣି ମାୟାବିନୀ ହୋଇ
ଉଦାସ ମନରେ ଭରା ପୀରତି ଜଗାଇ
କୁହୁକ ସ୍ପର୍ଶରେ ଦିଏ ହୃଦୟ ଥରାଇ
ଉଛୁଳା ମନକୁ ତାହା ଆପେ ନିଏ ବାହି
ପ୍ରଣୟ ମିଳନ ପାଇଁ ରହିଥାଏ ଚାହିଁ ।।୩।।