ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୦ ଜୁନ୍ ୨୦୨୪
କେତେ ଶୀଘ୍ର ଭୁଲି ହୋଇଯାଆନ୍ତି
ଲୋକମାନେ
ଓ ମୁଁ ଗୋଟେ ପୁରୁଣା ଫୋନ୍ ନମ୍ୱରକୁ
ବାରମ୍ବାର ଫୋନ୍ କରୁଥାଏ
ଉତ୍ତର ଦେଉନଥାନ୍ତି କେହି
ମୋ ଶବ୍ଦ ବାରମ୍ବାର ଫେରି ଆସୁଥାଏ
ମୋ ପାଖକୁ
ଏଇଟା ଜଣାଶୁଣା କଥା
ମଲାପରେ ଦରଜାରେ ଲାଗିଯାଏ ଧୂଳି
ପୋଷା କୁକୁରଟି ଗୁମୁରୁଥାଏ ଏକାକୀ
ପିଲାମାନେ ନିଜନିଜ ସଂସାର ନେଇ
ଯାଇଥାନ୍ତି ଆଗେଇ
ସ୍ତ୍ରୀ ପୁରୁଣା ଲୁଗାପଟା
ବନ୍ଦ କରିଦେଇଥାନ୍ତି ଟ୍ରଙ୍କରେ
ବନ୍ଧୁମାନେ ଲେଖା ଯୋଗାଡ଼ କରୁଥାନ୍ତି
ସ୍ମରଣିକାଟେ ଛାପିବେ ବୋଲି
କେତେ ଶୀଘ୍ର ଭୁଲି ହୋଇଯାଏ
ବିଗତ ଦିନର କଥା
ସବୁ ସ୍ଵପ୍ନ ଓ ଅହଂକାର
ହାତ ମକଚୁଥାଆନ୍ତି ଗୋଟେ
ଅଜଣା ଛକରେ
ପୁରୁଣା କଲମଟେ ଏକା ଏକା
ଠିଆ ହୋଇଥାଏ ଟେବୁଲରେ ।।