• About
  • Contact
Monday, June 15, 2026
Monday, June 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ରାଧାନାଥ ରାୟଙ୍କ କବିତା “ବର୍ଷା” : ଏକ ଅନବଦ୍ୟ ସୃଷ୍ଟି

ରାଧାନାଥ ରାୟଙ୍କ କବିତା “ବର୍ଷା” : ଏକ ଅନବଦ୍ୟ ସୃଷ୍ଟି
Share on FacebookShare on Xshare on Whatsappshare on Linkedin
ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୨୪ ମଇ ୨୦୨୫

ରାଧାନାଥ ରାୟଙ୍କ ଲିଖିତ “ତୁଳସୀ ସ୍ତବକ”ରେ ଗୋଟିଏ କବିତା ଅଛି “ବର୍ଷା”। ଏହା ରାଗ କଳହଂସକେଦାରରେ ଲିଖିତ ହୋଇଛି। ଗୋଦାବରୀ ତଟ ନିକଟସ୍ଥ ପ୍ରସ୍ରବଣ ଶଇଳ ରେ ରାମ, ଲକ୍ଷ୍ମଣ, ଅବସ୍ଥାନ କରୁଥିବା ସମୟରେ ବର୍ଷା ଋତୁ ଆସି ଯାଇଛି। ସହଜେ ଗିରି,ବିତାନ, ନିର୍ଝରିଣୀ ଏବଂ କଳ-କଳ ନାଦିନୀ ଗୋଦାବରୀ ର ଶୋଭା ଅତ୍ୟନ୍ତ ମନୋମୁଗ୍ଧକର, ତା ସାଙ୍ଗକୁ ଉପସ୍ଥିତ ବର୍ଷା କାଳ ଯୋଗୁଁ ଭସା ମେଘମାଳାରୋ ପୂର୍ଣ ଆକାଶ, ଚପଳାର ଚମକ, ଘଡ଼ଘଡ଼ିର ଶବ୍ଦ, ଶଇଳ ଉପରେ ନିରନ୍ତର ଧାରାପାତ ଆଦି ପ୍ରସ୍ରବଣ ଶଇଳର ପ୍ରାକୃତିକ ଶୋଭାକୁ ଦ୍ୟୁଗୁଣିତ କରିଦେଉଛି। ରାମଚନ୍ଦ୍ର ଏପରି ପ୍ରାକୃତିକ ଶୋଭା ଦେଖି ଗଦ୍-ଗଦ୍ ହୋଇଯାଉଛନ୍ତି ଏବଂ ଏହି ଶୋଭା ସହିତ ମନୁଷ୍ୟ ଚରିତ୍ରର ତୁଳନା କରି ନିଜ ସାନ ଭାଇ ଲକ୍ଷ୍ମଣଙ୍କୁ ବୁଝେଇ କହୁଛନ୍ତି ଯେ ବର୍ଷାକାଳ ସହିତ ମନୁଷ୍ୟ ଚରିତ୍ରର ବହୁତ ସାମଞ୍ଜସ୍ୟ ଅଛି। ଏହାର ଖରାପ ତତ୍ୱକୁ ଛାଡ଼ି ଦେବା ଉଚିତ୍, ଭଲ ତତ୍ୱକୁ ଗ୍ରହଣ କରିବା ଉଚିତ୍। ରାମଚନ୍ଦ୍ର ନିଜ ସାନ ଭାଇଙ୍କୁ ଏପରି ଶିକ୍ଷା ଦେଉନାହାଁନ୍ତି ଯେ ପରୋକ୍ଷରେ ସମ୍ପୂର୍ଣ ମାନବ ସମାଜକୁ, ଲକ୍ଷ୍ମଣଙ୍କୁ ଶିକ୍ଷା ଦେବା ବାହାନାରେ, ସୁଧୁରି ଯିବାପାଇଁ ପରାମର୍ଶ ଦେଉଥନ୍ତି।

ଲକ୍ଷ୍ମଣ ଘନ ଦେଖି ନାଚଇ କେକୀ,
ଭକତ ଯଥା ଭବମାୟା ଉପେକ୍ଷି,
ବିତରେ ଅକାତରେ ଜୀବନ ଘନ
ଧନ୍ୟ, ଯେ ଦାତା ଜାଣେ ଯାଚକ ମନ।।
ରାମଚନ୍ଦ୍ର କହୁଛନ୍ତି ହେ ଲକ୍ଷ୍ମଣ! ଦେଖ! ବାଦଲକୁ ଦେଖି କିପରି ଉନ୍ମତ୍ତ ହୋଇ ମୟୁର ନାଚ କରୁଛି। ଭକ୍ତର ହୃଦୟ ସେହି ପରି ଭବମାୟାକୁ ଉପେକ୍ଷା କରି ଦେଇ ଥାଏ ଏବଂ ପରମାତ୍ମାଙ୍କ ସତ୍ତାକୁ ସୃଷ୍ଟିର ପ୍ରତ୍ୟେକ ତତ୍ୱରେ ଅନୁଭବ କରି ଆନନ୍ଦରେ ନୃତ୍ୟ କରୁଥାଏ।କୃଷକମାନଙ୍କ ମନକୁ ଜାଣି ବାଦଲ ଅଯାଚିତ ଭାବରେ ଧରତୀରେ ତୋୟ ବିତରଣ କରୁଛି। ବାଦଲଙ୍କ ଭଳି ଧନ୍ୟ ସେ ଦାତା ଯିଏ ଯାଚକର ମନ ଜାଣି ଏହି ପରି ଧନ ବିତରଣ କରିଥାଏ।

ନୀଳ ନୀରଦମାଳେ ଖେଳେ ଚପଳା,
ଖଳ-ପୀରତି ପ୍ରାୟେ ସଦା ଚପଳା,
ବର୍ଷନ୍ତି ମହୀମୁଖେ ନଇଁ ଅମ୍ବୁଦେ,
ବିଦ୍ୟା-ସମ୍ପଦେ ଯଥା ନମନ୍ତି ବୁଧେ।
ନୀଳ ବାଦଲମାଳା ଭିତରେ ବିଜୁଳି କ୍ଷଣକ ପାଇଁ ଚିକ୍-ଚିକ୍ ମାରି ଉଜ୍ଜ୍ୱଳତା ପ୍ରଦାନ କରୁଛି। ଖଳ ବ୍ୟକ୍ତି ମଧ୍ୟ ନିଜ ସ୍ୱାର୍ଥ ହାସଲ କରିବା ପାଇଁ କ୍ଷଣକ ପାଇଁ ମଧୁର କଥା କହି ମଣିଷର ମନକୁ ହରଣ କରିଥାଏ ଏବଂ ତା ପରେ ନିଜର ଅସଲ ରୂପ ଦେଖେଇ ଦେଇଥାଏ। ଯେପରି ବିଜୁଳି ଆଲୋକ କୋଉ କାମକୁ ନୁହେଁ ସେହିପରି ଖଳ ଲୋକର ସ୍ନେହ-ଶ୍ରଦ୍ଧା ବି କୋଉ କାମକୁ ନୁହେଁ। ଜଳରେ ପୂର୍ଣ ହୋଇଥିବା ବାଦଲମାନେ ମହୀ ଆଡ଼କୁ ନଇଁ ପଡ଼ି ବର୍ଷା କରୁଛନ୍ତି। ସେହି ପରି ବିଦ୍ୟା ରୂପୀ ସମ୍ପଦକୁ ଆହରଣ କରିଥିବା ଜ୍ଞାନୀଲୋକମାନେ ବିନମ୍ର ହୋଇଥାଆନ୍ତି।

ସହନ୍ତି ଧାରାପାତ ଶଇଳଗଣ,
ଖଳ ବଚନ ଯଥା ସହେ ସୁଜନ,
ଫିଟିଛି ଝର ଦେଖ ଟାଙ୍ଗର ଅଙ୍ଗେ
ପାଷାଣ୍ଡେ ହରି – ପ୍ରେମ ଯଥା ସୁସଙ୍ଗେ।
ପର୍ବତ ଉପରେ ବର୍ଷା ଆସି ବାଡ଼େଇ ହେଉଛି ଏବଂ ବିଚରା ପର୍ବତ ସେ କଷ୍ଟକୁ ମଥାପାତି ସହି ନେଉଛି। ଯେପରି ସଂସାରରେ ଖଳ ଲୋକଙ୍କର କର୍କଶ କଥା କୁ ସାଧୁ ଲୋକମାନେ ମଥାପାତି ସହି ନିଅନ୍ତି। ଦେଖ! ପର୍ବତର ଟାଙ୍ଗର ପ୍ରଦେଶରେ ବର୍ଷା ଯୋଗୁଁ ପାଣି ଝର-ଝର ହୋଇ ବୋହି ଯାଉଛି। ସେହିପରି ସତ୍ ସଙ୍ଗତି ପାଇଲେ ପାଷାଣ୍ଡର ଅନ୍ତରରେ ବି ହରି – ପ୍ରେମ ଓତପ୍ରୋତ ହୋଇଥାଏ।

ବହି ଯାଉଛି ଦେଖ ଭେଦି କିଆରି
ମର୍ଯ୍ୟାଦା ଲଙ୍ଘେ ଯଥା ସ୍ୱତନ୍ତ୍ରା ନାରୀ।
ଦର୍ଦ୍ଦୁର – ରବ ଶୁଣି ନୀରବ ପିକ
ମୂଢ଼ ସଭାରେ ମୂକ ଯଥା ଧାର୍ମିକ।।
ଅତ୍ୟଧିକ ବର୍ଷା ହେଉଥିବାରୁ କିଆରୀ ବୁଡ଼ି, ପାଣି ଅନ୍ୟ କିଆରୀକୁ ମାଡ଼ି ଯାଉଛି। ସେହିପରି ସ୍ୱତନ୍ତ୍ରା ନାରୀ ମର୍ଯ୍ୟାଦା ଲଙ୍ଘନ କରି ପର ପୁରୁଷ ସହିତ ଭାବ ରଖିଥାଏ। ବର୍ଷା ଯୋଗୁଁ ଖୁସି ହୋଇ ବେଙ୍ଗମାନେ ଏଡ଼େ ଜୋରରେ ରାବ କରୁଛନ୍ତି ଯେ ଗଛ ଡ଼ାଳରେ ପଞ୍ଚମ ତାନରେ ଗୀତ ଗାଉଥିବା କୋଇଲି ଚୁପ ହୋଇ ଯାଉଛି। କାରଣ ବେଙ୍ଗମାନଙ୍କର ଏପରି ଫଟା, କର୍କଶ ରାବରେ ତା’ର ଗୀତ ବିକୃତ ହୋଇଯିବ। ସେହି ପରି ନାସ୍ତିକ ତଥା ମୁର୍ଖମାନଙ୍କର ସଭାରେ ଧାର୍ମିକ ଲୋକ ମୂକ ପାଲଟି ଯାଇଥାଏ। କାରଣ ସେ ଯାହା କହିବ, ତା’ କଥା ରହିବ ନାହିଁ। ତେଣୁ କାହିଁକି କଥା କହିବ?

କବିବର ରାଧାନାଥ ରାୟଙ୍କର ଏ ବର୍ଷା କବିତା ପଡ଼ିଲା ବେଳେ ମୋର ମନେ ମନେ ପଡ଼ି ଯାଉଛି ତୁଳସୀ ଦାସଙ୍କର “ରାମଚରିତମାନସ” କଥା। ହିନ୍ଦୀ ଭାଷା ସାହିତ୍ୟର ବିଦ୍ୟାର୍ଥୀ ଏବଂ ଅଧ୍ୟାପକ ହୋଇଥିବାରୁ ରାମଚରିତମାନସ କୁ ମୁଁ ଭଲ ଭାବରେ ପଢ଼ିଛି ଏବଂ ସରକାରୀ ସେବାରୁ ଅବସର ପାଇବା ପର୍ଯ୍ୟନ୍ତ ପିଲାମାନଙ୍କୁ ପଢ଼େଇଛି ମଧ୍ୟ। ସେଥିରେ ଏହିଭଳି ବର୍ଷା ସହିତ ମଣିଷ ପ୍ରକୃତିର ତୁଳନାତ୍ମକ ବର୍ଣନା ସବୁ ଅଛି। ବର୍ଷା କବିତା ଲେଖିଲା ବେଳେ ବିଷୟବସ୍ତୁ ଉପରେ ରାମଚରିତମାନସର ପ୍ରଭାବ ଯେ ପଡ଼ିଛି, ଏଥିରେ ସନ୍ଦେହ ନାହିଁ। ତେବେ ଆମର ଧ୍ୟେୟ ତୁଳନାତ୍ମକ ଅଧ୍ୟୟନ ନୁହେଁ। ତାହା ହେଲେ ଆଲେଖ୍ୟଟିର କଳେବର ଅସମ୍ଭବ ଭାବେ ବଢ଼ିଯିବ। ଅବଶ୍ୟ କାହା ଉପରେ କାହାର ପ୍ରଭାବ ପଡ଼ିବା ଦୋଷାବହ ନୁହେଁ। ରାଧାନାଥ ରାୟଙ୍କ ଶବ୍ଦ ସଂଯୋଜନା, ଭାବର ଗତି, କଳ୍ପନା ତଥା ଭାବନାର ଅନ୍ୟୁତି ଆଦିର ତୁଳନା ନାହିଁ। ଏ ପର୍ଯ୍ୟନ୍ତ ବର୍ଷା ଉପରେ ଓଡ଼ିଆ ଭାଷାରେ ଯେତେ କବିତା ଲେଖା ଯାଇଛି, ସରଳତା, ସୁନ୍ଦରତା, ମନୋମୁଗ୍ଧକାରିତା ଏବଂ ଶିକ୍ଷା ଦୃଷ୍ଟିରୁ ଏ କବିତାଟି ଯେ ଶ୍ରେଷ୍ଠ କବିତା, ଏଥିରେ ସନ୍ଦେହ ନାହିଁ।

ଡ଼ଃ. ଗିରିଜା ଶଙ୍କର ମିଶ୍ର

ଡ଼ଃ. ଗିରିଜା ଶଙ୍କର ମିଶ୍ର

ସେବାନିବୃତ୍ତ ଅଧ୍ୟାପକ

Related Posts

ଦେଖଣା ସୁନ୍ଦର, କଖାରୁ ବଡ଼ି
Literature

ଦେଖଣା ସୁନ୍ଦର, କଖାରୁ ବଡ଼ି

by ଜୟ କୁମାର ମିଶ୍ର
June 15, 2026

ଜୟ କୁମାର ମିଶ୍ର, ଗଜପତି, ୧୫ ଜୁନ ୨୦୨୬ ଡଉଲ ଡାଉଲ, ରୂପ ଝଲ ମଲ ମିଠା ମିଠା, କଥା ଭାଷା, ଦେଖେ, ଶୁଣେ ଯିଏ, ଆକର୍ଷିତ...

Read more
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.