ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୪ ଡିସେମ୍ବର ୨୦୨୪
ରାଜନୀତି ବଡ଼ ଜଟିଳ ଗଣିତ
ତାକୁ ବୁଝିବା ନୁହେଁ ସହଜ,
ଗୋଟି ଚାଳନାରେ ଗୋଳମାଳ ହେଲେ
ବୁଡ଼ି ଯିବଟି ନିଜ ଜାହାଜ ||୧||
ସେ ନିଶାରେ ଅଛି ଏତେଯେ ପ୍ରଭାବ
ତାହା ମାନେନି ବଳ ବୟସ,
ଅଶୀ ବୟସେ ବି ଥୁରୁଥୁରୁ ଦେହେ
ଆଣି ଦିଏ ଟୋକାର ସାହସ ||୨||
ପଡ଼ିଗଲେ ସେହି ଗୋଲକଧନ୍ଦାରେ
ତହୁଁ ମୁକୁଳିବା ବଡ଼ କଷ୍ଟ,
ତା’ର ପିଛିଳ ପଥରେ ଗୋଡ଼ ଖସି
ଗଲେ ଜୀବନ ହୁଅଇ ନଷ୍ଟ ||୩||
ନେଇଆଣି ଥୋଇ ପାରିଲେ ଜାଣ ଏ
ରାଜନୀତି ବିଦ୍ୟା ଚମତ୍କାର,
ଧନ ରତନେ ଭରି ଯିବରେ ଭଣ୍ଡାର
ହସି ଉଠିବ ଘର ସଂସାର ||୪||
ଖଦଡ଼ ଧୋତି, ପଞ୍ଜାବୀ ଆଉ ଟୋପି
ନେତାଙ୍କର ନାହିଁ ଏବେ ବେଶ,
ସୁଟ୍-ବୁଟ ଅବା ଚୁଡ଼ିଦାର-କୁର୍ତ୍ତା
ତାଙ୍କ ମୁହଁରେ ଭରୁଛି ହସ ||୫||
ଅର୍ଥବଳୀ ଆଉ ବାହୁବଳୀଙ୍କର
ରାଜନୀତି ଆଜି ଅଡ୍ଡାସ୍ଥଳ,
ଜ୍ଞାନୀ, ଗୁଣୀ, ଵିଜ୍ଞ, ଦକ୍ଷ ଲୋକମାନେ
ପାଆନ୍ତିନି ସେଠି ଥଳକୂଳ ||୬||
କୋଟିପତି ପ୍ରତିନିଧିଙ୍କୁ ନିଅଣ୍ଟ
ଦରମା ଲକ୍ଷ ଲକ୍ଷ ଟଙ୍କାର,
ବଢ଼ତି ଦରମା ପାଇବା ପାଇଁକି
କରନ୍ତି ବୁକୁ ଫଟା ଚିତ୍କାର ||୭||
ରାଜନୀତି ଆଉ ରାଜନୀତିଆଙ୍କ
ବଦଳି ଯାଇଛି ପରିଭାଷା,
ସେବା ନୁହେଁ ଭୋଗ, ଅର୍ଥ ହରିଲୁଟ
ସାଜିଛି ପରା ମୁଖ୍ୟ ଲାଳସା ||୮||