ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୪ ମାର୍ଚ୍ଚ ୨୦୨୫
ରାଜନୀତି ଏକ ମହାକାଳ ଫଳ
ତାକୁ ଯିଏ ଖାଏ ସେହୁଏ ବାଚାଳ
କାହାପାଇଁ ତାହା ଅତ୍ୟନ୍ତ ରସାଳ
କିଏ କହେ ତାକୁ ଶୁଖା ନାରିକେଳ
ରାଜନୀତିଆଙ୍କ ଭେଳିକି ପ୍ରବଳ
ସେଥିରେ ଫସିଲେ ହେବ ଝାଳନାଳ
ରାଜନୀତି ଅଟେ ଅବୁଝା ଭୂଗୋଳ
ତା’ଦେହେ ରହିଛି କେତେ ନଦୀ, ନାଳ
ସେ ନଈର ଜଳ ନୁହଁଇ ଫେନିଳ
ନୁହେଁ ତାହା ମଧ୍ୟ ଶୁଦ୍ଧ, ପରିମଳ
ତାହା ଧୋଇ ନିଏ କେତେ ଚେରମୂଳ
ସହର, ଶିଳ୍ପର ଆବର୍ଜନା ଜଳ
ରାଜନୀତି ଅଙ୍କ ଭୀଷଣ ଜଟିଳ
ତାକୁ ନମଣିବ କେବେବି ସରଳ
ସେ ଅଙ୍କରେ ଅଛି ମୁକୁତା, ପ୍ରବାଳ
ପୁଣି ଅଛି ଭରି ଜହର, ଗରଳ
ସେହି ଅଙ୍କ ସ୍ବର ହୋଇଲେ ବେତାଳ
ବାର ବର୍ଷ ତପ ହେବରେ ନିଷ୍ଫଳ
ରାଜନୀତି ପଥ ଅତ୍ୟନ୍ତ ପିଛିଳ
ପାଦ ଖସିଗଲେ ହେବ ଟଳମଳ
ଚାଲିବାକୁ ହେବ ରଖି ତାଳମେଳ
ନହେଲେ ମର୍ତ୍ତ୍ୟରୁ ଯିବ ରସାତଳ
ଅର୍ଥବଳ ସାଥେ ଥିଲେ ବାହୁବଳ
ରାଜନୀତି କ୍ଷେତ୍ର ହୋଇବ ଉଜ୍ବଳ।