ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୨ ନଭେମ୍ବର ୨୦୨୪
ରାଜନୀତି ଅତି ବଢ଼ିଆ ଧନ୍ଦା
ସେଥିରେ ରହିଛି ଅନେକ ଫନ୍ଦା
କ୍ଷମତା ସହିତ ସଂପତ୍ତି ଛନ୍ଦା
ମିଳଇ ତହିଁରେ ଅମାପ ଚାନ୍ଦା
ଗୋଡ଼ ଖସିଗଲେ ମିଳିବ ଖୁନ୍ଦା
ଯଶ, ଖ୍ୟାତି ପୋଡ଼ି ମିଳିବ ନିନ୍ଦା ।। ୧ ।।
ଏ ନୀତିରେ ନାହିଁ ସେବାର ଗନ୍ଧ
ଭାଇ ଭାଇ ମଧ୍ୟେ ଗଢୁଛି ବନ୍ଧ
ନଷ୍ଟ କରୁଛି କୁଟୁମ୍ବ ସମ୍ବନ୍ଧ
କ୍ଷମତା ମୋହରେ ମଣିଷ ଅନ୍ଧ
ସେଥିରେ ନାହିଁତ ଆଉ ସୁଗନ୍ଧ
ନିର୍ଗତ ହେଉଛି ଖାଲି ଦୁର୍ଗନ୍ଧ ।। ୨ ।।
ରାଜନୀତି ଏବେ ଭଲ ବେଉସା
ପିଠାରେ ଯେଭଳି ଅଟେ ଆରିସା
ସେଥିରେ ରହିଛି ଢ଼େର ପଇସା
ରୋଜଗାର ସେଠି ଅତି ସହସା
କରିହେବ ଦୂର ଧନ ପିପାସା
ତାକୁ କରିହେବ ପୁରା ଭରଷା ।। ୩ ।।