ସସ୍ମିତା ପଣ୍ଡା, କଟିକଟା, କଟକ, ୧୫ ମାର୍ଚ୍ଚ ୨୦୨୫
ରଙ୍ଗ ଯେବେ ନିଜେ ରଙ୍ଗୀନ ହୁଏ
ଛୁଇଁ ଯାଏ ଏମିତି
ମନ, ପ୍ରାଣ, ହୃଦୟ…..
ରଙ୍ଗ ଯେତେବେଳେ ……
ଆସର ଜମାଏ
ଲାଖି ଯାଏ ଆଖି
କେବେ କୋଳାହଳରେ ତ’ ……
କେବେ କାରୁକାର୍ଯ୍ୟର ପଟୁଆରେ
ରଙ୍ଗର ସଂଜ୍ଞାରେ
ସମ୍ପର୍କର ରଙ୍ଗ
ମୋ କଳାଦିଅଁ ଠାରେ
ସମାହିତ ଦୁନିଆର ସବୁରଙ୍ଗ
ଅନ୍ତରରୁ ଅନ୍ତରୀକ୍ଷ ଯାଏ…….
ଏଠି ଋତୁ ସବୁ ରଙ୍ଗୀନ
କେବେ ଇନ୍ଦ୍ରଧନୁରେ …..
କୁଆଁତାର ରୋଷଣୀରେ
ପାହାନ୍ତି ଜହ୍ନରେ
ସକାଳର କପାଳରେ
ଆଉ କେବେ,
ଗୋଧୂଳିର ଗହଳିଆ ଦେହରେ
ପଦ୍ମ ପୋଖରୀରୁ,
କଇଁର କଅଁଳିଆ ମନ ଯାଏ
ଖେଳେଇ ହୋଇ ପଡିଥିବା
ରଙ୍ଗର ହାଟ ଏଠି…….
ପଳାଶର ଗାଲରେ ଗୋଲାପିର ରଙ୍ଗ
ପ୍ରେମର ଦାଗ
କୃଷ୍ଣଚୂଡା ଓଠରେ
ଫଗୁଣର ହୃଦୟରୁ
ମୟୂରପୁଛ ଯାଏ
ସବୁ ମୂହୁର୍ତ୍ତରେ
ରଙ୍ଗ ନିଜେ ହୁଏ ରଙ୍ଗୀନ ।
ରଙ୍ଗର ଏନ୍ତୁଡିଶାଳ ତ
ଏଇଠି ମାଟିରୁ ମନ୍ଦିର ଯାଏ
ବିଛାଇ ହୋଇ ହୋଇ
ରଙ୍ଗ ଆଜି ନିଜେବି ରଙ୍ଗୀନ ।