ସସ୍ମିତା ପଣ୍ଡା, କଟକ, ୮ ଅଗଷ୍ଟ ୨୦୨୩
ସଖୀ ଗୋ
ତୁ ଦେଖିଛୁ କି
ସୂର୍ଯ୍ୟାସ୍ତର ଶେଷରଙ୍ଗ
ସନ୍ଧ୍ୟା ମାଗୁଥିବା ଶବ୍ଦ ମାନଙ୍କୁ
ଉତୁରି ଉଠିଥିବା ମୁହଁ ସଞ୍ଜର
ଆଖିରେ କେତେ କେଜାଣି ପ୍ରଶ୍ନ !!
ତୁ ଅନୁଭବ କରିଛୁ ସଖୀ
ଅତୀତ ସନ୍ଧ୍ୟାକୁ
ଉତାରିଛି କେତେ କାଗଜ ପିଠିରେ
ବାସ୍ନାୟିତ ଗୋଧୂଳିର ଛବି
ନିଅଣ୍ଟିଆ ସମୟକୁ
ଉଧାର ମାଗୁଥିବାର ଦୃଶ୍ୟ
ତୋର ମନେ ଅଛି ତ !!
ତୁ ଶୁଣିଛୁ ସଖୀ
ସନ୍ଧ୍ୟାର ମଧୁମିତା ଗପ
ତୁ ଦେଖିଚୁ….
ନୂଆ ଅଳତାବୋଳା ପାଦରେ
ପାଉଁଜିର ଅଝଟ
ବେଶୀ ଭଲଲାଗେ
ବାସ୍ତବତାର ମହମହ ଆଶ୍ବାସରେ
କିଛି ଯୁକ୍ତ ବିଯୁକ୍ତ ଓ
ଭଗ୍ନାଂଶ ର ଶେଷ
କେବେ ପୁଣି ଫେରେ
ନୀରବ କଳ୍ପନାରେ ମାଟିମୁହାଁ
ବର୍ଷାର ଗୀତ !!