ସସ୍ମିତା ପଣ୍ଡା, କଟକ, ୨୯ ଡିସେମ୍ବର ୨୦୨୨
ତୁ ମୋର ସେଇ ପଦିଏ କବିତା
ମୁଁ ତୋର ଧାଡିଏ ଗପ ।
ତୁ ମୋର ସେଇ ନବାକ୍ଷରୀ ଛନ୍ଦ
ମୁଁ ତୁଳସୀ ମୂଳରେ ଦୀପ ।।
ତୁ ମୋ ପାଇଁ ମୁଠାଏ ଶୁଭେଚ୍ଛା
ପୂର୍ବ ପରିଚିତ ଶବ୍ଦ ।
ମୁଁ ତୋ ପାଇଁ ମୁକ୍ତ ବୈଶାଖୀର
ତୃଷ୍ଣାତଟ ଅନୁଭବ ।।
ତୁ ମୋ ପାଇଁ ଆୟୂଷର ନାଆଁ
ପାପୁଲି ରେଖାର ଚିହ୍ନ ।
ମୁଁ ତୋ ପାଇଁ ମଗ୍ନ ମାଜଣାରେ
ହସୁଥିବା ନୀଳଜହ୍ନ ।।
ତୁ ମୋ ପାଇଁ ରାଗ-ରାମକେରୀ
ଅତୀତ ଉତୁରା ତିଥି ।
ମୁଁ ତୋ ପାଇଁ ଜନ୍ମ ଜୀବନୀର
ଖୋଜି ହେଉଥିବା ପୋଥି ।।
ତୁ ମୋ ପାଇଁ ସ୍ବାଭିମାନ ଲିପି
ଭାବ ସମୁଦ୍ରରେ ଢେଉ ।
ମୁଁ ତୋ ପାଇଁ କାବ୍ୟାକୃତି କଳା
ସ୍ବପ୍ନ ମୟ ହେଉ ହେଉ ।।
ତୁ ମୋ ପାଇଁ ଚିତ୍ରପୁରୀ ମାୟା
ବିଶ୍ୱାସର ଚାରୁଫୁଲ ।
ମୁଁ ତୋ ପାଇଁ ଶାଶ୍ବତ ପୀରତି
କିଏ ଦେବ ତାର ମୂଲ ।।