ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୨ ନଭେମ୍ବର ୨୦୨୨
ସଭିଏଁ ଶାନ୍ତିରେ ବଞ୍ଚି ରହିବାକୁ
ଇଚ୍ଛା କରିଥା’ନ୍ତି ଏ ଧରାରେ
ଶାନ୍ତି ରେ ଶାନ୍ତି ରେ ଜୀବନ ବିତିଲେ
ମିଳିଯିବ ସୁଖ ଅକ୍ଲେଶ ରେ.
ଶାନ୍ତି ନୁହେଁ କେବେ ପାର୍ଥିବ ପଦାର୍ଥ
କିଣିହେବ ଯାହା ଅର୍ଥ ଦେଇ
ଶାନ୍ତି ନୁହେଁ କେବେ ଫଳ କିବା ଶସ୍ୟ
ପାରିହେବ ତାକୁ ଉପୁଜାଇ.
ଶାନ୍ତି ନୁହେଁ କେବେ ଟଙ୍କା କି ସୁବର୍ଣ୍ଣ
ଯମା କରି ତାକୁ ରଖିହେବ
ଆବଶ୍ୟକ ବେଳେ କାଢି ଆଣି ତାକୁ
ନିଜର ହିତରେ ଲଗାଇଵ
ଶାନ୍ତିରେ ଯଦି କେ ଅଛି ଦୁନିଆରେ
ଶାନ୍ତି ତାହାଠାରୁ ନ ହୁଏ ଆଣି
ଶାନ୍ତିରହେ ହୃଦେ ଅଦେଖା ଭାବରେ
ବସ୍ତୁହେଲେ ସିନା ହୁଅନ୍ତା ଆଣି.
ଶାନ୍ତିର ନିବାସ ନିଭୃତେ ନିଶ୍ଚଳେ
ଚାହିଁଲେ ବି କିଏ ନ ପାରେ ଦେଇ
ଯାହାର ଜୀବନ କଟୁଛି ଶାନ୍ତିରେ
ସେହି ସିନା ଭାଗ୍ୟବାନ ଅଟଇ.
ଅତୀତ କୁ ଭାବି ଘାଣ୍ଟି ହେଉଥିଲେ
ଅତୀତ ଦେବନି କେବେଵି ଶାନ୍ତି
ଭବିଷ୍ୟତ ଚିନ୍ତା ଅଧିକ କରିଲେ
ଜୀବନୁ ଦୁରେଇ ଯିବଟି ଶାନ୍ତି.
ବର୍ତ୍ତମାନ କାଳ ଅତି ମୂଲ୍ୟବାନ
ବିନିଯୋଗ ତାକୁ କଲେ ଭଲରେ
ବିଜିତ ହୋଇବ ଜୀବନ ଯୁଦ୍ଧ ରେ
ଶାନ୍ତି ଧରା ଦେବସହଜରେ.