ସସ୍ମିତା ପଣ୍ଡା, କଟକ, ୧୯ ନଭେମ୍ବର ୨୦୨୨
ତୁମେ ତ ରହିଛ ମଙ୍ଗଳାଚରଣେ
ମନ୍ତ୍ରକାବ୍ୟ ପାରାୟଣେ ।
ମଗ୍ନମାନସରେ ହୋଇଛ ନିବିଷ୍ଟ
ଅନ୍ତସ୍ଥଳ ଉଚ୍ଚାରଣେ ।।
ବ୍ରାହ୍ମ ମୂହୁର୍ତ୍ତରୁ ମହାର୍ଘ ଭୂ-ଚିତ୍ରେ
ବ୍ରହ୍ମ ବିଭୂତିର ରୂପେ
ଆତ୍ମା ଆଳତୀରୁ ଓଁକାର ସ୍ଥିତିରେ
ଅନୁମତି ସୂକ୍ଷ୍ମ କଳ୍ପେ ।।
ତୁମେ ତ ରହିଛ ଅନୁଭବ ହୋଇ
ଦେବକୀର ଦାବିପତ୍ରେ ।
ପୁଣି ଯଶୋଦାର ଜମାନ ବନ୍ଦୀରେ
ଗୋକୁଳର ପୂର୍ଣ୍ଣ ନେତ୍ରେ ।।
ତୁମେ ତ ରହିଛ ବୃଷଭାନୁ ଜେମା
ସମର୍ପିତ ସମର୍ଥନେ ।
ଗୋପରୁ ମଥୁରା ମହା ସଂଯୋଗରେ
ସଂଯୋଜିତ ବେଣୁ ସ୍ବନେ ।।
ତୁମେତ ରହିଛ ସେହି ନାମାଙ୍କିତ
ହୃଦୟର ହିମାଦ୍ରିରେ ।
ନିବିଡ଼ ଶବ୍ଦର ମନ୍ତ୍ର ମାଟି ଠାରୁ
ମୋ ଗାଆଁ ତଟିନୀ ସୁରେ ।।
ତୁମେ ତ ରହିଛ ଗାଁ କଳ୍ପବୃକ୍ଷେ
ଶିଳାରେ ସିନ୍ଦୂର ନାଇ ।।
ସାରା ଜଗତର କଲ୍ୟାଣ ନିମନ୍ତେ
ପ୍ରାଚୀରୁ ପଶ୍ଚିମ ହୋଇ ।।