• About
  • Contact
Wednesday, May 20, 2026
Wednesday, May 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସରସ୍ଵତୀ ବନ୍ଦନା : ବିଦ୍ୟା, ବିବେକ ଓ ବୈଷୟିକ ପ୍ରଗତିର ସମନ୍ୱୟ

ସରସ୍ଵତୀ ବନ୍ଦନା : ବିଦ୍ୟା, ବିବେକ ଓ ବୈଷୟିକ ପ୍ରଗତିର ସମନ୍ୱୟ
Share on FacebookShare on Xshare on Whatsappshare on Linkedin
ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୩ ଜାନୁୟାରୀ ୨୦୨୬

“ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା,
ଯା ଶ୍ୱେତ ପଦ୍ମସନା,
ଯା ବୀଣା ବରଦଣ୍ଡ ମଣ୍ଡିତ କରା,
ଯା ଶୁଭ୍ର ବସ୍ତ୍ରାବୃତା,
ଯା ବ୍ରହ୍ମାଚ୍ୟୁତଶଙ୍କର ପ୍ରଭୃତିଭିଃ ଦେବୈ ସଦା ବନ୍ଦିତା,
ସା ମାଂ ପାତୁ ଭଗବତୀ ସରସ୍ଵତୀ ନିଃଶେଷ ଜାଡ୍ଯପହା … !”

ବାଗ୍‌ଦେବୀ ସରସ୍ୱତୀଙ୍କର ଏହି ବନ୍ଦନା ଶ୍ଳୋକଟି କେବଳ ଏକ ମନ୍ତ୍ର ନୁହେଁ, ବରଂ ଏହା ହେଉଛି ମାନବ ଜୀବନର ଅଜ୍ଞାନ ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକ ଜଳାଇବାର ଏକ ଚିରନ୍ତନ ଶାଶ୍ୱତ ଆବାହନ । କୁନ୍ଦ ପୁଷ୍ପ, ଚନ୍ଦ୍ର ଏବଂ ତୁଷାର ପରି ଯିଏ ଧବଳ ଓ ନିର୍ମଳ, ସେହି ଶ୍ୱେତପଦ୍ମାସନା ମା’ ଶାରଦା ହେଉଛନ୍ତି ସକଳ ବିଦ୍ୟା ଓ କଳାର ଅଧିଷ୍ଠାତ୍ରୀ ଦେବୀ। ଜଣେ ଯନ୍ତ୍ରୀ ଭାବରେ ଏଇ ଲେଖକ ଯେତେବେଳେ ଆଧୁନିକ ବିଜ୍ଞାନର ଜଟିଳ ଗଣିତ ଓ ପ୍ରଯୁକ୍ତିବିଦ୍ୟାର ସୂତ୍ରଗୁଡ଼ିକୁ ଅନୁଧ୍ୟାନ କରିବାକୁ ଲାଗିଲି, ସେତେବେଳେ ଅନୁଭବ କଲି ଯେ, ବିଜ୍ଞାନର ଶୀର୍ଷରେ ପହଞ୍ଚିବା ପାଇଁ ଯେଉଁ ଏକାଗ୍ରତା ଓ ସ୍ୱଚ୍ଛ ଚିନ୍ତାଧାରା ଆବଶ୍ୟକ, ତାହା ମା’ ସରସ୍ଵତୀଙ୍କର ସେହି ଶୁଭ୍ର, ସ୍ୱଚ୍ଛ ଓ ସତେଜ ରୂପରୁ ହିଁ ପ୍ରେରଣା ପ୍ରାପ୍ତ ହୋଇଥାଏ।

ଜ୍ଞାନ ବିନା ବିଜ୍ଞାନ ଅନ୍ଧ ଏବଂ ବିବେକ ବିନା ପ୍ରଯୁକ୍ତିବିଦ୍ୟା ପଙ୍ଗୁ। ତେଣୁ “ଯା କୁନ୍ଦେନ୍ଦୁ…” ଶ୍ଳୋକର ପ୍ରତିଟି ଶବ୍ଦ ଆମକୁ ଶିଖାଏ ଯେ ଜ୍ଞାନ ହେଉଛି ସୃଷ୍ଟିର ସବୁଠାରୁ ଶକ୍ତିଶାଳୀ ଉତ୍ସ, ଯାହା ମଣିଷକୁ ପଶୁତ୍ୱରୁ ଦେବତ୍ୱ ଆଡ଼କୁ ଆକର୍ଷିତ କରାଏ।

ମା’ ସରସ୍ୱତୀଙ୍କ ହାତରେ ଥିବା ବୀଣା, ପୁସ୍ତକ ଓ ସ୍ଫଟିକ ମାଳା ହେଉଛି ସାମଗ୍ରିକ ଶିକ୍ଷାର ପ୍ରତୀକ। ବୀଣା ସୃଜନଶୀଳତା ଓ ସଙ୍ଗୀତର ଝଙ୍କାର ଦେଉଥିବା ବେଳେ ପୁସ୍ତକ ଶାସ୍ତ୍ରୀୟ ଜ୍ଞାନର ପ୍ରତିନିଧିତ୍ୱ କରେ। ବୈଷୟିକ ଦୃଷ୍ଟିକୋଣରୁ ଦେଖିଲେ, ଏହି ବୀଣାର ତାରରୁ ନିର୍ଗତ ସଠିକ୍ ସ୍ୱର ଯେପରି ଏକ ନିର୍ଦ୍ଦିଷ୍ଟ କମ୍ପନ ବା ‘ଫ୍ରିକ୍ୱେନ୍ସି’ ଉପରେ ନିର୍ଭର କରେ, ଆମର ଜୀବନ ଓ ଶିକ୍ଷା ବ୍ୟବସ୍ଥା ମଧ୍ୟ ସେହିପରି ଶୃଙ୍ଖଳିତ ହେବା ଆବଶ୍ୟକ। ଜ୍ଞାନର ଅଧିଷ୍ଠାତ୍ରୀ ଦେବୀଙ୍କର ଏହି ବନ୍ଦନା ଆମକୁ ମନରୁ ଜଡ଼ତା ଦୂର କରିବାକୁ ପ୍ରେରଣା ଦିଏ।

ଆଜିର ପ୍ରଯୁକ୍ତିବିଦ୍ୟା ଯୁଗରେ ଆମେ କମ୍ପ୍ୟୁଟର ଓ କୃତ୍ରିମ ବୁଦ୍ଧିମତା (AI) କୁ ନେଇ ଗର୍ବ କରୁଛୁ ସତ, ମାତ୍ର ଏହି ସମସ୍ତ ବୈଷୟିକ ଉଦ୍ଭାବନ ପଛରେ ମଣିଷର ଯେଉଁ ‘ମେଧା’ଶକ୍ତି ନିହିତ ଅଛି, ତାହା ହିଁ ମା’ଙ୍କର ଆଶୀର୍ବାଦ। ସଠିକ୍ ଜ୍ଞାନ ପ୍ରୟୋଗ ହେଲେ ହିଁ ବିଜ୍ଞାନ ମାନବ କଲ୍ୟାଣରେ ବିନିଯୋଗ ହୋଇପାରିବ। ଯେତେବେଳେ ଜଣେ ଯନ୍ତ୍ରୀ ସାଧୁତାର ସହ ନିଜର ବୈଷୟିକ ଦକ୍ଷତାକୁ ଦେଶ ଗଠନରେ ଵିନିଯୋଗ କରେ, ସେତେବେଳେ ସେହି ଜ୍ଞାନ ସ୍ଫଟିକ ମାଳା ପରି ନିର୍ମଳ ଓ ଜ୍ୟୋତିର୍ମୟ ହୋଇଥାଏ।

ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ “ଯା କୁନ୍ଦେନ୍ଦୁ…” ର ପ୍ରାସଙ୍ଗିକତା ଆହୁରି ବୃଦ୍ଧି ପାଇଥିବା ପରି ପ୍ରତୀତ ହେଉଛି। ଶିକ୍ଷା କେବଳ ପୁସ୍ତକଗତ ଜ୍ଞାନ ବା ପ୍ରମାଣପତ୍ର ହାସଲ କରିବା ନୁହେଁ, ବରଂ ଏହା ଚରିତ୍ର ଗଠନ ଓ ବିବେକର ଜାଗରଣ ପାଇଁ ଉଦ୍ଦିଷ୍ଟ । ଆଜିର ଛାତ୍ରଛାତ୍ରୀମାନେ ବୈଷୟିକ ଶିକ୍ଷାରେ ଧୁରନ୍ଧର ହେଉଛନ୍ତି ସତ, କିନ୍ତୁ ସେମାନଙ୍କ ଭିତରେ ନୈତିକ ମୂଲ୍ୟବୋଧର ଅଭାବ ପରିଲକ୍ଷିତ ହେଉଛି। ଜ୍ଞାନ ସହିତ ଚରିତ୍ରର ନିର୍ମଳତା ରହିବା ଅପରିହାର୍ଯ୍ୟ ବୋଲି ଦେବୀ ସରସ୍ଵତୀଙ୍କର ଶୁଭ୍ର ବସ୍ତ୍ର ଶିକ୍ଷା ଦିଏ । ଅପରିଷ୍କାର କଳ୍ମଷ ଚିନ୍ତାଧାରା ନେଇ କେହି ବ୍ୟକ୍ତି କେବେବି ସମାଜରେ ଶାନ୍ତି ପ୍ରତିଷ୍ଠା କରିପାରିବ ନାହିଁ। ଜଣେ ଲେଖକ ହେଉ କିମ୍ବା ବୈଷୟିକ ଯନ୍ତ୍ରୀ / ବିଜ୍ଞାନୀ ହେଉ, ଟିକିଏ ସୂକ୍ଷ୍ମ ଭାବେ ଅନୁଧ୍ୟାନ କଲେ ଅନୁଭବ କରିପାରିବ ଯେ, ବିଜ୍ଞାନ ଓ ଆଧ୍ୟାତ୍ମିକତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ବିଜ୍ଞାନ ଯଦି ସୃଷ୍ଟିର ପ୍ରକ୍ରିୟା ବୁଝାଏ, ଆଧ୍ୟାତ୍ମିକତା ସେହି ପ୍ରକ୍ରିୟା ପଛରେ ଥିବା ଉଦ୍ଦେଶ୍ୟକୁ ସ୍ପଷ୍ଟ କରେ। ସମୁଚିତ ଜ୍ଞାନ ହିଁ ମଣିଷକୁ ଭୟ, ଆଶଙ୍କା ଓ ସଂଶୟ ମୁକ୍ତ କରିଥାଏ।

ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ “ବସନ୍ତ ପଞ୍ଚମୀ” ବା “ସରସ୍ୱତୀ ପୂଜା”ର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଓ ପରମ୍ପରା ରହିଛି। ଶିଶୁର ପ୍ରଥମ ବିଦ୍ୟା ପ୍ରାରମ୍ଭ ବା ‘ଖଡ଼ିଛୁଆଁ’ ପର୍ବରୁ ଆରମ୍ଭ କରି ଜଣେ ଗବେଷକଙ୍କ ଲେଖନୀ ପର୍ଯ୍ୟନ୍ତ ସବୁଠାରେ ମାତା ସରସ୍ଵତୀଙ୍କର ବନ୍ଦନା ଗାନ କରାଯାଏ। “ଯା କୁନ୍ଦେନ୍ଦୁ … ଭଳି ଶ୍ଳୋକ ବା ମନ୍ତ୍ରର ଶବ୍ଦାବଳୀ ରେ ମଣିଷର ମସ୍ତିଷ୍କ କୋଷକୁ ଜାଗ୍ରତ କରିବାର କ୍ଷମତା ରହିଛି।

ଯେତେବେଳେ ଜଣେ ଯନ୍ତ୍ରୀ ନୂତନ ନିର୍ମାଣର ଯୋଜନା କରେ ବା ଜଣେ ଲେଖକ ନିଜର ଭାବନାକୁ ଲେଖା ମାଧ୍ୟମରେ ରୂପାୟିତ କରିଥାନ୍ତି, ସେତେବେଳେ ସେହି ଅଦୃଶ୍ୟ ବିଦ୍ୟାଦାୟିନୀ ଶକ୍ତି ହିଁ କାର୍ଯ୍ୟ କରିଥାଏ। ଜ୍ଞାନ ହେଉଛି ଅଜେୟ, ଯାହାକୁ କେହି ଚୋରି କରିପାରିବେ ନାହିଁ କି ଦାନ / ବଣ୍ଟନ କଲେ କମିବ ନାହିଁ। ଏହି ଚିରନ୍ତନ ସତ୍ୟକୁ ଆଧାର କରି ମାନବ ସଭ୍ୟତା ଆଗକୁ ବଢ଼ିବା ଉଚିତ ବୋଲି ବିଦ୍ୱାନ, ପଣ୍ଡିତ ତଥା ଶାସ୍ତ୍ରକାର ମାନେ ମତ ଦିଅନ୍ତି ।
ପରିଶେଷରେ, “ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା” କେବଳ ପାର୍ବଣ ଉତ୍ସବର ଏକ ସଙ୍ଗୀତ ନୁହେଁ, ବରଂ ଏହା ଜୀବନର ପ୍ରତିଟି କ୍ଷେତ୍ରରେ ସ୍ୱଚ୍ଛତା, ସତ୍ୟତା ଓ ଶୃଙ୍ଖଳା ପ୍ରତିଷ୍ଠା କରିବାର ଏକ ସଂକଳ୍ପ। କ୍ରମ ବର୍ଦ୍ଧିଷ୍ଣୁ ସମାଜରେ ବିଜ୍ଞାନ ଆମକୁ ଦ୍ରୁତ ଗତି ଦେଇଛି, ମାତ୍ର ବିଦ୍ୟା ଆମକୁ ସଠିକ୍ ଦିଗ ନିର୍ଣ୍ଣୟରେ ସାହାଯ୍ୟ କରେ ।

ଆଜିର ଏହି ବୈଷୟିକ ଯୁଗରେ ଆସନ୍ତୁ, ଆମେ ଆମର ବୌଦ୍ଧିକ ବିକାଶ ସହିତ ଆଧ୍ୟାତ୍ମିକ ଚେତନାକୁ ମଧ୍ୟ ଜାଗ୍ରତ କରିବା। ମା’ଙ୍କର ଚରଣ କମଳରେ ପ୍ରଣତି ଜଣାଇ ଆମେ ଏକ ଜ୍ଞାନଭିତ୍ତିକ ଓ ନୈତିକ ସମାଜ ଗଠନ ପାଇଁ ଆଗୁସାର ହେବା ଏବଂ ପ୍ରାର୍ଥନା କରିବା – ସେହି ବାକ୍ ବାଦିନୀ ଶ୍ୱେତପଦ୍ମାସନୀ ଦେବୀ ସରସ୍ଵତୀଙ୍କ କୃପାରୁ ସମଗ୍ର ବିଶ୍ୱରୁ ଜଡ଼ତା ଓ ଅଜ୍ଞାନତା ଦୂର ହେଉ ଏବଂ ସଭ୍ୟତା, ଜ୍ଞାନର ଆଲୋକରେ ସାରା ସଂସାର ଉଦ୍‌ଭାସିତ ହେଉ ।

Saswat Ranjan Das

Saswat Ranjan Das

Saswat Ranjan Das is an engineer by profession but is a passionate lover of Odia literature, language and culture.

Related Posts

ମାଆର ମୂଲ ଅମୂଲ ମୂଲ
Literature

ମାଆର ମୂଲ ଅମୂଲ ମୂଲ

by ଭକ୍ତ ଚରଣ ସାହୁ
May 10, 2026

ଭକ୍ତ ଚରଣ ସାହୁ, ଯାଜପୁର, ୧୦ ମଇ ୨୦୨୫ ମାଆର ମୂଲ ଅମୂଲ ମୂଲ ତା' ମୂଲ କିଏ ଦେବ। ମାଆର ଗେଲ ଅମୃତ ତୁଲ ତା'...

Read more
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.