ହରିଶ୍ଚନ୍ଦ୍ର ବେହେରା, ବାଲେଶ୍ଵର, ୧୬ ଜାନୁଆରୀ ୨୦୨୪
ସାରି ସାରି କେତେ ତାଳ ଓ ନଡ଼ିଆ
ଆକାଶ ଯେଉଁଠି ସରେ
କାହିଁକି ଏ ମନ ଏକାନ୍ତରେ ବସି
ସେ ଦିନ ମାନଙ୍କୁ ଝୁରେ ।୦।
ଭାଙ୍ଗି ଯାଇଅଛି ଫେରବନ୍ଦୀ ଘର
ନିଦା ଯାଉଁଳି କବାଟ
ଲୀଳା ସୁଆଙ୍ଗ ର ଦିନ ସରିଅଛି
ସରିଛି ତାମସା ନାଟ
ପାଗଳ କରିଛି ମୋବାଇଲ ନିଶା
ଟିଭି ଏବେ ଘରେ ଘରେ ।୧।
କାହିଁ ଗଲେ ଆମ ଚକୁଳିଆ ପଣ୍ଡା
ନାଥ ଯୋଗୀର କେନ୍ଦରା
ପଲ୍ଲବ ପାଟଳ ମଧୁଋତୁ କାହିଁ
ଖାଲି ଝାଇଁ ମରା ଖରା
କାନ୍ଦଣା ଲହରୀ ଖୁଲଣା ସୁନ୍ଦରୀ
ଆଖି ତଳେ ଲୁହ ଭରେ ।୨।
ହଳ ଲଂଗଳ ର ଦିନ ସରି ଅଛି
କଳ ଲଙ୍ଗଳରେ ଚାଷ
ମାଟିଘର କାହିଁ ସବୁଠି ତ ଏବେ
ପକ୍କା ଇନ୍ଦିରା ଆବାସ
ଝାଟି ମାଟିର ମୋ ପୁରୁଣା ଗାଁ ଟି
ଆଜି ବି ଆକୁଳ କରେ। ୩।