ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୯ ଫେବୃଆରୀ ୨୦୨୩
ଶାସକ ର ଶକ୍ତି ନୁହେଁ ତା’ର ଧନ
ନୁହେଁ ବି ତ ବାହୁବଳ
ନୁହେଁ ତା’ର ଶକ୍ତି ଭାଷଣ କି କଥା
ନୁହେଁ ତା’ର ବଂଶ କୂଳ.
ଗାମ୍ଭିର୍ଯ୍ୟତା ନୁହେଁ ପ୍ରକୃତ ଶକତି
ନୁହେଁ ବି ପୋଷାକ ପରିଚ୍ଛଦ
ଥାଟ ବାଟ ସିନା ସାମୟିକ ଭାବେ
କରିଦେଇ ପାରେ ଉଦ୍ ବୁଦ୍ଧ.
ପ୍ରଜା ବା ଶାସିତ ପ୍ରକୃତ ଶକତି
ପାଉଥିବେ ଯଦି ତାଙ୍କୁ ଭଲ
ସେହି ଶକତି କୁ ଜିଣି ହେବ ନାହିଁ
ଦେଇ ଦେଲେ ପଛେ ଯେତେ ମୂଲ.
ପ୍ରଜା ପାଇଁ ରାଜା ଶାସନ ଚାଲଇ
ପ୍ରଜା ପାଇଁ ରାଜା ସନମାନ
ପ୍ରଜା ପାଇଁ ରାଜା ପୂଜା ପାଉଥାଏ
ପ୍ରଜା ପାଇଁ ତା’ର ସିଂହାସନ.
ଯେଉଁ ରାଜା ଏହା ବୁଝି ନାହିଁ କେଵେ
ନୁହେଁ ସେହି ରାଜା ଉପଯୁକ୍ତ
ବସିଥାଏ ସିନା ରାଜଗାଦୀ ପରେ
ହୋଇ ପାରେ ନାହିଁ ସେ ପୂଜିତ.
ନିଜ ହିତ ସ୍ୱାର୍ଥ ଛାଡି ଦେଇ ରାଜା
ପ୍ରଜା ପାଇଁ ଯିଏ ସମର୍ପିତ
ଇତିହାସେ ସିଏ ଆଦର୍ଶ ରୂପରେ
ହୋଇଯାଇଥାଏ ସେ ସ୍ଥାନିତ.
ନିଜର ପ୍ରାରବ୍ଧ ଶକତି ବଳରେ
ହୋଇଯାଏ ସିନା ରାଜା କିଏ
ପ୍ରକୃତ ପକ୍ଷରେ ପ୍ରଜାରଞ୍ଜନ ରେ
ଉଚ୍ଚାସନ ସିଏ ପ୍ରାପ୍ତ ହୁଏ.