ଆଲୋକ କୁମାର ପ୍ରଧାନ, ପୁରୀ, ୭ ଜୁଲାଇ ୨୦୨୫
କାନ୍ଧରେ ବସ୍ତାନି ଧରି ପାଠପଢି ଯାଆନ୍ତି କି ଥରେ
ଆଉଥରେ ଗାଁ ଦାଣ୍ଡେ ଧାଆଁନ୍ତି କି ପାଣି ସୂଅ ଧାରେ
ଓଦା ସରସର ହୋଇ ଭସାନ୍ତି ମୁଁ କାଗଜର ଡଙ୍ଗା
ଅଣ୍ଟିରେ ଅଣ୍ଟିଏ ମୁଢ଼ି ହାତେ ଥା’ନ୍ତା ନଡ଼ିଆ ବାହୁଙ୍ଗା
ବାପାଙ୍କ ମାଡ଼କୁ ଡରି ବାରିପଟେ ଲୁଚିକି ଆସନ୍ତି
କୋଳଥ ଡ଼ାଲି ସାଙ୍ଗରେ ଭାତ ଖାଇ ଛୁ ହୋଇଯା’ନ୍ତି
ସଞ୍ଜକୁ ଫେରନ୍ତି ଧରି ଚୁନା ମାଛ ଗାତୁଆ କଙ୍କଡ଼ା
ଗୋଡ଼ ଭାଙ୍ଗି ମାଗୁଥା’ନ୍ତି ମାମୁଁ ଘର ନାଲିଆ ଉଖୁଡା
ବେଁ ଲମ୍ବ ମସିଣାରେ ବୋଉ ପିନ୍ଧାଲୁଗା ପାରିଦେଇ
ରାତି ମୋ ପାହାନ୍ତା ବାପା ବୋଉ କୋଳେ ଭିଡ଼ି ମୋଡ଼ି ହୋଇ
ରସୁଣିଆ ବାସୁଥା’ନ୍ତା ପାଦ ମୋର ମଥାଟା ତେଲିଆ
ସକାଳ ମୋ ଅପେକ୍ଷାରେ ସାଜନ୍ତା କି ଦାଣ୍ଡ ଟହଲିଆ
ସଂସାର ବୋଝ ବଦଳେ ମୋ ହାତରେ ଖୁସି କେ ଦିଅନ୍ତା
ମନ ଖୋଲି ହସନ୍ତି କି ଆଉ ଥରେ ଏମିତି ହୁଅନ୍ତା !!