ଆଲୋକ କୁମାର ପ୍ରଧାନ, ପୁରୀ, ୨୮ ଜୁଲାଇ ୨୦୨୫
ପିଲାଦିନ କାହାକୁ ବା ନ ନେଇଛି ଏକେଲା ବୁଲେଇ
କବାଡି କବାଡି କହି ଯାଇନି କେ ପିଲାଟିଏ ହୋଇ
କିଏ ବା ଗୁନ୍ଥିନି ଥୋପ ବନିଶିରେ ମାଛ ଧରୁ ଧରୁ
ଗାଡ଼ିଆଗୋଳିରୁ ଫେରି ଛଡେଇନି ମଜରା ଦିହରୁ
ଗଣିତ ନକରି ଲୁଚି ମିଳିନି ବା ଓଳିଆ ସନ୍ଧିରୁ
ସମୟ ମାପିନି କିଏ ବହି ଦେହେ ଗାର ମାରୁ ମାରୁ
କିଏ ବା ଶୁଣିନି ଗପ ବାରିପଟ ବର ଓହଳର
କମ୍ବଳକୁ କଣା କରି ଦେଖିନାହିଁ ଟି ଭି ଚିତ୍ରହାର
ସାଇକେଲ ଚକା ଧରି ଗାଡି ପରି ଘୁଉଁ ଘୁଉଁ ହୋଇ
ଦାଣ୍ଡକୁ ଦିଭାଗ କରି ଧାଇଁନି କେ ହୋଇ ଧଇଁସଇଁ
ଗାଡ଼ିଆ ତୁଠରୁ ଆଖି ନାଲି କରି ଫେରିନି ଘରକୁ
ବାଡଡିଆଁ ଖୁସି ନେଇ ଆଉଁସିନି ମିଛରେ ପିଠିକୁ
ଅଭାବର ପିଲାଦିନ ଆଉ ଥରେ ଭାବରେ ମିଳନ୍ତା
ସବୁ ନେଇ ହସ ମେଞ୍ଚେ ହାତେ କିଏ ଧରେଇ ଦିଅନ୍ତା!