ଆଲୋକ କୁମାର ପ୍ରଧାନ, ପୁରୀ, ୪ ଅଗଷ୍ଟ ୨୦୨୫
ବଢ଼େଇବା ହାତ ଫେରିବା ଆଗରୁ ବଢ଼େଇ ଦିଅନ୍ତା କିଏ ସେ ହାତ
ଆଗଚଲା ପାଦ ଥକିଲା ଆଗରୁ ଶୁଣାନ୍ତା କି କିଏ ଠିକଣା ଗୀତ
କିଏ କହିଦେଇ ମୁଁ ଅଛି ବୋଲି ବଢ଼େଇ ଦିଅନ୍ତା ବିଶ୍ବାସ ଧାରେ
ଯେଉଁ ବିଶ୍ବାସର କୂଳ ଖୋଜିଖୋଜି ଜିଇଁବାଠୁ ବେଶି ନିଇତି ମରେ
ହାରିବା ଆଗରୁ ହାରିଯାଇ କିଏ ମୋ ଜିତିବା ବାଟେ ବିଞ୍ଚନ୍ତା ଫୁଲ
ମୋ ମୂଲ ତଉଲା ନିକିତି ଏପାଖେ ସେପାଖ ନ ଥାନ୍ତା ଥାଆନ୍ତା ମୂଲ
ଶହେ ଭୁଲ୍ ପାଇଁ କ୍ଷମା ସାଇତିକି ଗୋଟେ ଭୁଲ୍ ପାଇଁ ଝୁରି ହୁଅନ୍ତା
ଦୁରେ ଥିଲେ ଥାଉ ପାଖରେ ଥିବାର ଅନୂଭବଟିଏ ଭେଟି ଦିଅନ୍ତା
ଶହେ ଶରଧାର ଶରଗ ଉହାଡୁ ଉଇଁ ଉଠି ମୋତେ ଉଠେଇ ଦେଇ
ଅମଡ଼ା ମାଡନ୍ତା ମୋ ପାଦକୁ କଣ୍ଟା ଛୁଇଁବାକୁ ଜମା ଦିଅନ୍ତା ନାହିଁ
ଭୋକ ସହରରେ ହସର ଫରୁଆ ଫିଟେଇ କହନ୍ତା ହସିବୁ ଯାଆ
ମୁଁ ଅଛି ପରା ଏତେ ଡର କିଆଁ ଅଟକି ଯିବକି ତୋ ହସ ନାଆ
ନିଜ ଠିକଣାଠୁ ଦୁରେଇ ଦୁରେଇ ପୁରୁଣା ଠିକଣା ମିଳନ୍ତା ମୋତେ।
ସେ ଠିକଣା ନେଇ ସବୁ ଛାଡ଼ି ଦେଇ ଜିଅନ୍ତି ଖୁସିରେ ହୁଅନ୍ତା ସତେ।।