ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୧ ନଭେମ୍ବର ୨୦୨୩
କ୍ୟାପିଟାଲ ହସ୍ପିଟାଲରେ
ଛୁଆ ବଦଳି ଯାଇଛି ବୋଲି
ହୁରି ପଡ଼ିଗଲା,
ରାଜଧାନୀ ଉଠିଲା ପଡ଼ିଲା,
ସେଥିନେଇ ମିଡ଼ିଆରେ
ଘନ ଘନ ପ୍ରଚାର ଜମିଲା ।
ଝାଡୁଦାର କହିଗଲା –
ପୁଅଟିଏ ଜନମ ହେଲା,
ନର୍ସ କିନ୍ତୁ ଝିଅଟେ ଆଣି
ମା’ କୋଳରେ ଥୋଇଦେଇ ଗଲା ।
ବାସ !
ସେତିକିରେ ରାଜ୍ୟ ସାରା
ଚହଳ ପଡ଼ିଲା,
ଟିଭି ଆଉ ରେଡ଼ିଓରେ
ତୁହା ତୁହା ଖବର ବାଜିଲା ।
ଡି.ଏନ. ଏ. ପରୀକ୍ଷା ଯାଏଁ
କଥା ପୁଣି ଗଲା,
ରିପୋର୍ଟ ଆସିବା ପରେ
ଛୁଆ ବଦଳ ବିବାଦଟି
ଧୀରେ ଥମିଗଲା ।
୬୭ ବର୍ଷ ତଳେ ବୋଉ ମୋତେ
ଭଦ୍ରକ ଡାକ୍ତରଖାନରେ
ଜନ୍ମ ଦେଇଥିଲା,
ସେତେବେଳେ ଆଉ ଜଣେ
ମୁସଲମାନ ମହିଳା ବି
ମା’ ହୋଇଥିଲା ।
ସେହି ମହିଳା ଜଣକ କିନ୍ତୁ
ନିଜ ଛୁଆ ବଦଳରେ
ମୋତେ ନେବା ପାଇଁ
ଅଡ଼ି ବସିଥିଲା,
କାରଣ ମୋ ଚେହେରା କୁଆଡ଼େ
ଅତି ଡଉଲ ଡାଉଲ ଥିଲା,
ମୋର ଗୋରା ତକ୍ ତକ୍ ରଙ୍ଗ ସହିତ
ପୁଚୁକା ଗାଲ ଓ କୁଞ୍ଚୁକୁଞ୍ଚିଆ ଚୁଟି
ମହିଳା ଜଣକୁ ବାୟା କରିଥିଲା ।
ତେବେ ମୋ ବୋଉର
ଅପଲକ ଦୃଷ୍ଟି ଆଉ
ଅକାଟ୍ୟ ଯୁକ୍ତି ତାକୁ
ଶକ୍ତିହୀନ କଲା,
ତା’ର ମୋତେ ନେବା ଚାଲ
ସବୁ କାଟ ଖାଇଗଲା ।
ସେତେବେଳେ ଡି.ଏନ. ଏ. ପରୀକ୍ଷା ନଥିଲା,
ବୋଉମାନଙ୍କ ସଜାଗ ପଣିଆ ଯୋଗୁଁ
ଛୁଆ ବଦଳୁ ନଥିଲା ।