ଭକ୍ତ ଚରଣ ସାହୁ, ଯାଜପୁର, ୭ ଫେବୃଆରୀ ୨୦୨୩
ଫରଫର ହୋଇ
ତ୍ରିରଙ୍ଗା ପତାକା ଆକାଶେ ଉଡେ ।
ଝରଝର ହୋଇ
ବରଷା ଝରିଲେ ରାସ୍ତାଟି ବୁଡ଼େ ।।
ଥିରିଥିରି ଚାଲେ
ଧଡି ଅଜା ଧରି ବଙ୍କୁଲି ବାଡ଼ି ।
କିରିକିରି ହସେ
ପାପୁନଟା ଆମ ମୁହଁକୁ କାଢି ।।
କୁଳୁକୁଳୁ ହୋଇ
ବହି ଯାଉଅଛି ଝରଣା ପାଣି ।
ଜୁଳୁଜୁଳୁ ହୋଇ
ଚାହିଁଛି ଜୁଳିଆ ଦେଖତା’ ଠାଣି ।।
କୁନୁକୁନି ପାଦେ
ପାଦ ପକାଇକି ଚାଲୁଛି ଡୁଗୁ ।
ତୁନିତୁନି ହୋଇ
କଥା କହୁଅଛି ତା’ ସାଙ୍ଗ ଚୁଗୁ ।।
କୁଲୁକୁଲୁ ହୋଇ
ନାତିଆ ଟୋକାଟା ଯାଉଛି ଦାଣ୍ଡେ ।
ବୁଲୁବୁଲୁ ଗୋଡ଼
ଖସିଗଲା, ତେଣୁ ପଡିଲା ଚାଣ୍ଡେ ।।
ସୁଲୁସୁଲୁ ହୋଇ
ଦକ୍ଷିଣା ପବନ ବହୁଛି ଧୀରେ ।
ଦୁଲୁଦୁଲୁ ହୋଇ
ଚାଲୁଛି ବାବୁନି ସାଗର ତୀରେ ।।
ଝୁଣୁଝୁଣୁ ହୋଇ
ଭାଉଜ ହାତରେ ବାଜୁଛି ଚୁଡ଼ି ।
ଗୁଣୁଗୁଣୁ ହୋଇ
ଠାକୁରେ ଡାକୁଛି ଆଈମା ବୁଢ଼ୀ ।।