ଭକ୍ତ ଚରଣ ସାହୁ, ଯାଜପୁର, ୨୧ ଅପ୍ରେଲ ୨୦୨୩
ସ୍ମୃତି ତୁମେ କେବେ
ବହି ଆସୁଥିବା
ଦକ୍ଷିଣା ମଳୟ ବାଆ ।
ସ୍ମୃତି ତୁମେ କେବେ
ମରମ ତଳର
ଅଦେଖା ଅଜାଗା ଘାଆ ।।
ସ୍ମୃତି ତୁମେ କେବେ
ଅଛୁଆଁ ରାଇଜ
ଦୂର ଆକାଶର ଚାନ୍ଦ ।
ସ୍ମୃତି ତୁମେ କେବେ
ଗୀତି କବିତାଟେ
କେତେବେଳେ ଚମ୍ପୁ ଛାନ୍ଦ ।।
ସ୍ମୃତି ତୁମେ କେବେ
ଅଝଟ ମନର
ଅକୁହା ବେଦନା ଗାଥା ।
ସ୍ମୃତି ତୁମେ କେବେ
ଜୀବନ ପାଠର
ଅନାବନା ରଫ ଖାତା ।।
ସ୍ମୃତି ତୁମେ କେବେ
ସାଗର ବେଳାରେ
ଲହଡ଼ିର ଗରଜନ ।
ସ୍ମୃତି ତୁମେ କେବେ
ମନ ଆକାଶର
ଉଜ୍ୱଳ ତୋଫା ଜହ୍ନ ।।
ସ୍ମୃତି ତୁମେ କେବେ
ଅତୀତ ଜୀବନେ
ଝଟକୁଥିବାର ଚିତ୍ର ।
ସ୍ମୃତି ତୁମେ କେବେ
ମଧୁର ଶତ୍ରୁଟେ
କେବେ ବନିଯାଅ ମିତ୍ର ।।
ସ୍ମୃତି ତୁମେ କେବେ
ଚହଲା ପାଣିର
ଅସ୍ପଷ୍ଟ ପ୍ରତିଛବି ।
ସ୍ମୃତି ତୁମେ କେବେ
ମନ ଆକାଶରେ
ଉଇଁ ଆସୁଥିବା ରବି ।।
ସ୍ମୃତି ତୁମେ କେବେ
ଅତୀତ ପୃଷ୍ଠାର
ଜୀବନୀୟ ଅନୁଭୁତି ।
ସ୍ମୃତି ତୁମେ କେବେ
ଝପଟି ଆସୁଛ
ଧରି ମିଠା ପ୍ରତିଶ୍ରୁତି ।।