ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୪ ଜୁନ୍ ୨୦୨୩
ସ୍ନାନ ମଣ୍ଡପ ରେ ବିଜେ ଜଗନ୍ନାଥ
ଭାଇ ଭଗ୍ନୀ ସାଥେ ନେଇ
ଅପୂର୍ବ ରୂପରେ ଦିଅନ୍ତି ଦର୍ଶନ
ଭକତ ଙ୍କ ଶାନ୍ତି ପାଇଁ.
ମହା ବାହୁ ମେଲି ବସିଛନ୍ତି ପ୍ରଭୁ
ସବୁ ଦେଇଦେବା ପାଇଁ
ଭକ୍ତିର ଭାବରେ ଯେ ବାନ୍ଧେ ପ୍ରଭୁଙ୍କୁ
ସେ ସିନା ପ୍ରାପ୍ତ ହୁଅଇ.
ପୂର୍ଣ୍ଣ ବିଶ୍ୱାସରେ ପୂର୍ଣ୍ଣ ସମର୍ପଣେ
ପ୍ରଭୁ ହୋଇ ଥା’ନ୍ତି ବଶ
ଭକତର ସବୁ ନିଅନ୍ତି ମୁଣ୍ଡକୁ
କରନ୍ତି ତାକୁ ସନ୍ତୋଷ.
ଯେଉଁ ବାହୁ ପ୍ରଭୁ ବଢ଼ାଇ ସେ ଦିନ
ବଳି ଠାରୁ ନେଲେ ଦାନ
ସେହି ବାହୁ ରେ ଟେକି ଶିବ ଧନୁ ଟାକୁ
କରିଦେଇ ଥିଲେ ଭଗ୍ନେ.
ଗିରି ଗୋବର୍ଦ୍ଧନ ଟେକି ମହାବାହୁ
ରକ୍ଷାକଲେ ଗୋପପୁର
ଲକ୍ଷେ ବସ୍ତ୍ର ଦେଇ ସଖି ଦ୍ରୌପଦୀଙ୍କୁ
ରଖିଲେ ମାନ ତାଙ୍କର.
ସେହି ମହାବାହୁ ବଢ଼ାଇ ଶ୍ରୀପତି
ଦାସିଆ ଶ୍ରୀଫଳ ନେଲେ
ଶ୍ରୀଭୁଜ ସଭିଙ୍କୁ ଦିଅଇ ଅଭୟ
ପୂର୍ଣ୍ଣ ସମର୍ପିତ ହେଲେ.
ଭକ୍ତ କଳ୍ପଦ୍ରୁମ ଭକ୍ତ ଇଚ୍ଛା ପାଇଁ
ହେବେ ଆଜି ଗଜ ବେଶ
ଏ ବିଶ୍ୱ ସା’ନ୍ତ ପ୍ରଭୁ ଜଗନ୍ନାଥ
କ୍ଳେଶ କରିବେ ବିନାଶ.