ଭକ୍ତ ଚରଣ ସାହୁ, ଯାଜପୁର, ୧ ମଇ ୨୦୨୩
କୋଠା ବାଡ଼ି କଳ
କାରଖାନା ସେତୁ
ରାସ୍ତା ବନ୍ଧ ବାଡ଼ ଯେତେ ।
କହିକି ପାରିବ
କା’ ହାତ ସ୍ପର୍ଶରେ
ନିର୍ମାଣ ହୋଇଲା ଏତେ ।।
ଆହୁରି ଆହୁରି କେତେ ।
ଏଇ ଦୁନିଆଁରେ
ଯୁଆଡ଼କୁ ଯିବା
ଦେଖୁଥିବା ଆମେ ସେତେ ।।
ନେତା ମନ୍ତ୍ରୀ ସବୁ
ଗରବେ କୁହନ୍ତି
ସବୁ କରିଦେଲୁ ଆମେ ।
ଯନ୍ତ୍ରୀ ବି କୁହନ୍ତି
ଆମେ କରିଦେଲୁ
ଲାଗିରହି ଏହି କାମେ ।।
ଫଳକ ଲାଗେ କା’ ନାମେ ।
ଏହି ନିର୍ମାଣର
ଶ୍ରେୟ ନିଏ ନେତା
ଥିବା ଯାଏ ଏହି ଧାମେ ।।
ପ୍ରକୃତରେ ଯିଏ
ଏହାର ନିର୍ମାତା
ତାକୁ କେ’ ଖୋଜନ୍ତି ନାହିଁ ।
କଳ କାରଖାନା
ବନ୍ଧ କୋଠା ବାଡି
ନିର୍ମାଣିଲା ଯାହା ପାଇଁ ।।
ହଜି ଯାଏ ସିଏ କାହିଁ ।
ସକାଳରୁ ସଞ୍ଜ
ନିର୍ମାଣରେ ମାତେ
ଏପଟ ସେପଟ ଧାଇଁ ।।
ଜାଣି ପାରୁଥିବ
ସବୁ ପ୍ରକଳ୍ପର
ପ୍ରକୃତ ନିର୍ମାତା କିଏ ।
ସିଏ ଆଉ କେହି
ନୁହେଁରେ, ଜାଣିଥା
ଶ୍ରମିକ ଭାଇଟି ସିଏ ।।
ଶ୍ରମ ସଇନିକ ଟିଏ ।
ଆଜିର ଦିନରେ
ସେହି ଶ୍ରମିକଙ୍କୁ
ହୃଦରୁ ଶୁଭେଚ୍ଛା ଦିଏ ।।