ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ଅଗଷ୍ଟ ୨୦୨୩
ଶ୍ରୀମନ୍ଦିର ବେଢା ଅତି ଆପଣାର
ଲାଗେନାହିଁ ତାହା ପର ସମ୍ପତ୍ତି,
ସବୁ ଦେବା ଦେବୀ ବୃକ୍ଷ କି ବଗିଚା
ଦର୍ଶନ ରେ ମିଳେ ପରମ ଶାନ୍ତି.
ଭକ୍ତି ବିଶ୍ୱାସରେ ନୀଳାଚଳ ଧାମ
ଶାନ୍ତି ମୁକ୍ତି ଦାୟୀ ମାନସ କହେ,
ସ୍ଥାବର ଜଙ୍ଗମ ସମସ୍ତଙ୍କ ପାଇଁ
ସେ ପାବନ କ୍ଷେତ୍ର ଆଶରା ଦିଏ.
ତା ମୁକ୍ତି ମଣ୍ଡପ ପ୍ରଶାନ୍ତିର ପୀଠ
ସୁଗମ ଜୀବନ ମାର୍ଗ ବତାଏ,
ବେଢା ମଧ୍ୟେ ଥିବା ମାତୃ ଶକ୍ତି ପୀଠ
ମା’ର ସାନ୍ନିଧ୍ୟ ମମତା ଦିଏ.
ନୀଳାଚଳ ନାଥ କାଳିଆ ସାଆନ୍ତ
ପିତା ପରି ସଦା ପ୍ରତୀୟମାନ,
ପୂର୍ଣ୍ଣାଙ୍ଗ ଲାଗଇ ସେ କ୍ଷେତ୍ର ସଭିଙ୍କୁ
ପୂତ କରିଦିଏ ଶରୀର ମନ.
ସବୁ ଛାଡ଼ି ସେହି କ୍ଷେତ୍ରେ ବାସ କଲେ
କୌଣସି ଅଭାବ ଲାଗଇ ନାହିଁ,
ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଆହା କି ମହାନ
ତା ସମ କ୍ଷେତ୍ର ଜଗତେ କାହିଁ.