ଭକ୍ତ ଚରଣ ସାହୁ, ଯାଜପୁର, ୧୧ ଫେବୃଆରୀ ୨୦୨୩
ଶୁଣ ମଞ୍ଜ କଥା ଟିଏ
ରାଜନୀତି ସୁଖ ଦିଏ ।
ସମୟ ଆସିଲେ
ସେହି ରାଜନୀତି
ହତ୍ୟାରେ ଜୀବନ ନିଏ ।।
ଗର୍ବ ଅହଙ୍କାର କରି
କେତେଯେ ଗଲେଣି ମରି ।
ତଥାପି ନେତାଏ
ହେଜୁନାନ୍ତି କିଛି
ଅଛନ୍ତି ସେସବୁ ଧରି ।।
କ୍ଷମତାରେ ହୋଇ ଅନ୍ଧ
ମାନନ୍ତିନି ବାଡ଼ ବନ୍ଧ ।
ସମାଜେ ପ୍ରତିଷ୍ଠା
କମି କମି ଆସେ
ବିଚାରଟା ଯେଣୁ ମନ୍ଦ ।।
ମନ୍ତ୍ରୀ ପଦ ପାଇ ପରା
ଧରାକୁ ମଣନ୍ତି ସରା ।
ସେବାଟା ଅପେକ୍ଷା
ନେବାଟା ଏତେଯେ
ଆପେ ପଡିଯାନ୍ତି ଧରା ।।
ମିଳିଲେ କ୍ଷମତା ପଦ
ଆନନ୍ଦରେ ଗଦଗଦ ।
ହୋଇ ସେହି ନେତା
ଅନ୍ୟାୟରେ ରହି
ନ୍ୟାୟକୁ କରନ୍ତି ରଦ୍ଦ ।।
ନେତା ହେଲେ ଯାହା ପାଇଁ
ସମ୍ମାନ ପାଇଲେ କାହିଁ ।
ହେଲେ ସେ ଭୋଟର
ମାନଙ୍କୁ ଏ ନେତା
ଆଉ ପଚାରନ୍ତି ନାହିଁ ।।
ନିଜ ପରେ ପୁଅ ପାଇଁ
ଏଣେତେଣେ ଧାଇଁ ଧାଇଁ ।
ଟିକେଟ ଆଶାରେ
ମୁଖିଆଙ୍କ ପାଶେ
ନେହୁରା ହୁଅନ୍ତି ଯାଇଁ ।।
ମୁଖେ ଧରି ‘ମହାମନ୍ତ୍ର’
ତିଆରନ୍ତି ‘ଜଣତନ୍ତ୍ର’ ।
ଜାଣି ନାହାନ୍ତିକି
ଆମ ଶାସନର
ବ୍ୟବସ୍ଥାଟା ‘ଗଣତନ୍ତ୍ର’ ।।
ଗର୍ବ ଅହଙ୍କାର ଛାଡି
ହୃଦରୁ ଅଳିଆ କାଢି ।
ସେବା ମନ ନେଇ
ଆଗେଇ ଆସରେ
ରାଜନୀତି ପଥ ମାଡି ।।
ଗାନ୍ଧୀ ଗୋପବନ୍ଧୁ ନୀତି
ଆଦର୍ଶେ ବଢ଼ାଇ ପ୍ରୀତି ।
ଏହି ତରିକାରେ
ଦେଶ ସେବା କଲେ
ଯିବ ସବୁଥିରେ ଜିତି ।।