ଜୟ କୁମାର ମିଶ୍ର, ଗଜପତି, ୯ ମଇ ୨୦୨୩
ଶୂନ୍ୟ ପଥଟିର, ଯାତ୍ରୀଏଁ ସରବେ
ସ୍ୱାର୍ଥ କରୁଅଛି ଗ୍ରାସ,
ବିବେକ ବୁଦ୍ଧି, ହୁଅଇ ବିନାଶ,
ପାପଟି କରୁଛି ନାଶ ।।
ସଭ୍ୟ ସମାଜଟି, ଅବକ୍ଷୟ ମୁଖି
ଅସଭ୍ୟକୁ ନିମନ୍ତ୍ରଣ,
ସଂସ୍କାର, ସଂସ୍କୃତି, ଆପେ ଆପେ ଇତି,
ପ୍ରାଶ୍ଚାତ୍ୟର ଟାଣପଣ ।।
ନିଶା ଖିଆ ପାଟି, ହୁଏ ଛାଟିପିଟି
ଅଭାଷା, କୁଭାଷା କଥା,
ବରିଷ୍ଠ, କନିଷ୍ଠ, ଗୁରୁ, ଗୁରୁଜନ
କରେନାହିଁ ମୂଢ଼ ଚିନ୍ତା ।।
ରକତର ନଈ, ଯାଏ ବହି ବହି
ହଣା, କଟା ଖେଳଘର,
ଗୋଳା, ବାରୂଦର, ମୃତ୍ୟୁ ଉପହାର
ଅନାୟସେ, ନିରନ୍ତର ।।
ଆଶା, ଅବଶୋଷ, ହୋଇବ ପାଉଁଶ
ଧୂଳିରେ ମିଶିବ ଦିନେ,
ଶୂନ୍ୟ ହାତଟିରେ ଆସିଅଛେ ଜଣେ
ଶୂନ୍ୟ, ହୋଇ ଯିବା ଜଣେ ।।
କିଛି ବି ଯିବନି, ସାଥି ହୋଇ ସାଥେ
ସବୁ କରିଦେବେ ପର,
ସମ୍ପତି, ସମ୍ପର୍କ, ଭୋଗ, ଭାଗ୍ୟ, ସବୁ
ଦିନେ କରିଦେବେ ଦୂର ।।
କୁଟୁମ୍ବ, ସଦୋର, ଘର, ପରିବାର
ଗାଡ଼ି, ବାଡ଼ି, ଅଟାଳିକା,
ପାପରେ ସଞ୍ଚିତ, ଅରଜନ ଚିତ୍ର
ନହେବେ କେହିଟି ସଖା ।।
ମାଟିର ମଣିଷ, ମାଟିରେ ପାଉଁଶ
ମରଣ ଯୁଇରେ ହୋଇ,
ଭଲ ମନ୍ଦ କଥା, ଶ୍ଵାସିତ ବାରତା
ଚିର ଅମରଟି ସେହି ।।
ଯାହା ପାଇଁ ବାଇ, ଦିନ ରାତି ନେଇ
ଆକୁଳ ବିକଳ ମନ,
ସମୟ ସ୍ରୋତରେ, ଭୁଲିଯିବେ ବାରେ
ଆପଣା ସ୍ୱାର୍ଥକୁ ଧ୍ୟାନ ।।
ଦିନ, ମାସ, ବର୍ଷ, ଛଳନାରେ ବଶ
ଲୋକ ଦେଖାଣିଆ ହାଟ,
କରି କନ୍ଦା କଟା, ବିଦ୍ଧି ବିଧାନଟା
କାମଚଳା ସବୁ ପାଠ ।।