ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅପ୍ରେଲ ୨୦୨୩
ତୋର ଶ୍ରୀକ୍ଷେତ୍ର କୁ ଯିବା ପାଇଁ ନାଥ
ତୋ ଡୋରି କାହିଁକି ଲାଗୁନାହିଁ
ସେଥିପାଇଁ ମନ ଟାଣୁନାହିଁ
ସଂସାର ଜଞ୍ଜାଳେ ବୁଡ଼ି ମୁଁ ରହିଛି
ଜୟ ଜଗନ୍ନାଥ ଗାଇ ଗାଇ.
ତୁଳସୀ ଚଉରା ମୂଳେ ଦିଏ ପାଣି
ଚଉରା ରେ ଦେଖେ ତୋହରି ମୁହଁ
ଚଉରା ମୋହର କାଳିଆ ଦିଅଁ
ପ୍ରଣମି ସାଷ୍ଟାଙ୍ଗେ ଘର ଚଉରାକୁ
ହୃଦୟରେ ଦେଖେ ମୁଁ ଦାରୁଦିଅଁ.
ଶାଗ ପଖାଳ ମୁଁ ଖାଏ ଘରେ ବସି
ପ୍ରଥମେ ସମର୍ପି ତୋତେ କାଳିଆ
କଂସାକୁ ଭାବେ ତୋ ଭୋଗ କୁଡ଼ୁଆ
ପଖାଳ କୁ ଭାବି ତୋ ଅବଢ଼ା ଅନ୍ନ
ହୋଇଯାଏ ତୋର ଭାବେ ଭୋଳିଆ.
ମୋ ଘର ମୋ ପାଇଁ ଶ୍ରୀମନ୍ଦିର ପ୍ରଭୁ
ମୋ ବାପା ଦେହରେ ବସିଛୁ ତୁହି
ତୋ ଦର୍ଶନ ବାପା ଦେହେ କରଇ
ସକାଳେ ସଂଜେ ମୁଁ ଭାବ ଭକତିରେ
ବାପା ପାଦ ତଳେ ଲୋଟି ପଡ଼ଇ.
ତଥାପି କାହିଁକି କହରେ କାଳିଆ
ପୁରୀ ଯିବା ପାଇଁ ହେଉଛି ମନ
ତୋ ଦର୍ଶନେ ହେବ ଜୀବନ ଧନ୍ୟ
ତୋ ଛଡ଼ା ତୁଳସୀ ମାରିଦେଲେ ତୁଣ୍ଡେ
ରୋଗ ଶୋକ ଦୁଃଖ ଲାଗିବ ହୀନ.