ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୮ ଜୁନ୍ ୨୦୨୩
ତୁମକୁ ହେ ଜଗନ୍ନାଥ,
କହିବାକୁ ମନ ହେଉନାହିଁ ମୋର
ତୁମେହେ ନୃସିଂହନାଥ.
ଆଦି ଦେବ ସେ ନୃସିଂହ,
ତୁମ ଶକ୍ତି ଅଂଶ ନୃସିଂହ ସ୍ୱରୂପ
ଅବତାର ତାଙ୍କ ଦେହ.
ଦେବତା ରୂପେ ପୂଜିତ,
ଦେବତା କେବେଵି ହୋଇ ପାରିବେନି
ସ୍ୱୟଂ ଜଗତ ର ନାଥ.
ତୁମକୁ ହେ ଜଗନ୍ନାଥ,
କହିବାକୁ ମନ ହେଉନାହି ମୋର
ତୁମେ ପ୍ରଭୁ ରଘୁନାଥ.
ଶ୍ରୀରାମ ପୁରୁଷୋତ୍ତମ,
ଆବିର୍ଭୁତ ହେଲେ ଏ ଧରାଧାମରେ
ନାଶିବାକୁ ଯେ ଅଧର୍ମ.
କଲେ ତୁମ ଦିଆ କର୍ମ,
ଧରଣୀ ପୃଷ୍ଠରୁ ହୋଇଲେ ବିଦାୟ
ଲୀଳା ଖେଳା ପରେ ରାମ.
ତୁମକୁ ହେ ଜଗନ୍ନାଥ,
କହିବାକୁ ମନ ହେଉନାହିଁ ମୋର
ତୁମେ ପ୍ରଭୁ ଯଦୁନାଥ.
ତୁମ କଳା ପ୍ରଭୁ କୃଷ୍ଣ,
ଅଧର୍ମ ଅନୀତି କୁସଂସ୍କାର ନାଶି
କଲେ ଧର୍ମ ସଂସ୍ଥାପନ.
ସିଏ ଵି ଦେହ ଛାଡିଲେ,
ତୁମ ଦେହେ କୃଷ୍ଣ ମିଶିଗଲେ ଶେଷେ
ଦେବତା ଆସନ ନେଲେ.
ତୁମକୁ ହେ ଜଗନ୍ନାଥ,
ଦେବତା ବୋଲିକି କହି ପାରିବିନି
ନାହିଁ ତୁମ ଆଦି ଅନ୍ତ.
ସୃଷ୍ଟିର ଆଗରୁ ଅଛ,
ନାହିଁ ଜନ୍ମ ନାହିଁ ମରଣ ତୁମର
ଦେବତା ତୁମେ କରିଛ.
ତୁମେ ଅବତାରୀ ବ୍ରହ୍ମ,
ସ୍ଥାବର ଜଙ୍ଗମ ଦେବତା ସଭିଏଁ
କରନ୍ତି ଏ ସୃଷ୍ଟି କର୍ମ.