ସସ୍ମିତା ପଣ୍ଡା, ୧୭ ସେପ୍ଟେମ୍ବର ୨୦୨୨
ମୁଁ ଯେ ସ୍ଥିତିହୀନ ଶୁଷ୍କ ଶବ୍ଦାବଳୀ
ତୁମେ ସମୀକ୍ଷାର ସମାହାର ।
ମୁଁ ଯେ ନିଃଶବ୍ଦର ଚିମୁଟେ ନିଃଶ୍ବାସ
ତୁମେତ ମାର୍ମିକ ସ୍ବର ।।
ମୁଁ ଯେ ଅଭାବିତ ଭାବନା ଫର୍ଦ୍ଦ ଟେ
ତୁମେ ଲେଉଟାଣି ପୃଷ୍ଠା ।
ମୁଁ ଯେ ନିରର୍ଥକ ଅଦୃଶ୍ୟ କାତର
ତୁମେ କର୍ତ୍ତବ୍ୟର ନିଷ୍ଠା ।।
ମୁଁ ଯେ ପ୍ରଗଳ୍ଭତା ପ୍ରାଞ୍ଜଳ ପରିଧି
ତୁମେ ପରିବର୍ତ୍ତନର ସୁଧା ।
ମୁଁ ଯେ ସମୀକରଣର ଅଛିଣ୍ଡା ଗଣିତ
ତୁମେ ବୋଧିଶକ୍ତି ମେଧା ।।
ମୁଁ ଯେ ଅହେତୁକ ଦୀପଶିଖା ଟିଏ
ତୁମେ ଆଲୋକର ବିଶାଳତା ।
ମୁଁ ଯେ ମାଟିକାନ୍ଥ ଲିପା ଝୋଟି ଟିଏ
ତୁମେ ବିଶ୍ୱାସର ଗାମ୍ଭୀର୍ଯ୍ୟତା ।।
ମୁଁ ଯେ ଥରଥର ସଞ୍ଜବତୀ ଟିଏ
ତୁମେ ଭିନ୍ନ ଏକ ଆବାହନ ।
ମୁଁ ରାତି କଳାର ଚାଖଣ୍ଡେ ଚାଦର
ତୁମେ ପୂର୍ବାଶାର ଆଲୋଡ଼ନ ।।
ଏମିତି ସଂଯୋଗ ସଂଯୋଜନା ତୀର୍ଥ
ସହଭାଗୀତାର ସୂତ୍ର ।
ଅକ୍ଷରାହୁତିର ଅନୁଭବ ପାଶେ
ସୂତାଏ ଯଥେଷ୍ଟ ମାତ୍ର ।।