ସସ୍ମିତା ପଣ୍ଡା, କଟକ, ୨୯ ଅପ୍ରେଲ ୨୦୨୩
ତୁମକୁ କେବଳ ଜଣା
ଲହୁକୁ ଝାଳକରି
ବୁହାଇ ଦେବାର କଳା କୌଶଳ
ତୁମେ କେବଳ ଠିଆ ହୋଇପାର
ଅଭାବ ଦୁଃଖ ଦୁର୍ଦ୍ଦଶାର ସାମ୍ନାରେ
ଧୈର୍ଯ୍ୟର ମେରୁ ଟିଏ ହୋଇ ।
ତୁମେହିଁ ସହିପାର….
ନିହାଣ ମୁନର ସହସ୍ରାଘାତ ।
ତୁମେ କେବେ ଭାଙ୍ଗି ପଡ଼ିବାର
ମୁଁ ଅନୁଭବ କରିନି
ତୁମ କାନ୍ଧରେ ଥିବା ଗାମୁଛା ତ
ତୁମର ଏକାନ୍ତ ନିଜର
ସେ ହିଁ ପିଇନିଏ
ତୁମ ତତଲା ଲୁହ ଝାଳ ହୋଇ
ବହୁଥିବା ବେଳେ।
ତୁମ ଓଠ ନୁହେଁ ଆଖି କଥାକହେ
ମୁଁ କେବେ ପଢିନି ତୁମକୁ
ତୁମର ସେ ବାଟା ଚପଲ
ଆଉ ପୁରୁଣା ସାଇକେଲ
ସେ ହିଁ ତୁମକୁ ପଢି ଥିବେ
ପ୍ରତି ମୂହୁର୍ତ୍ତରେ ।
ତୁମ ପିଠିରେ ଅଙ୍କା ହୋଇଛି
ମୋ ପାଦ ଚିହ୍ନ
ତୁମ ଅନୁସାଶନରେ ଗଢ଼ା
ମୋର ଏ ଜୀବନ ।
ଚଲାପଥେ ମୋର
ତୁମେ ହିଁ ପଥପ୍ରଦର୍ଶକ
ତୁମେ କେବଳ ଦେଖିପାର
ପ୍ରତିମୂହୁର୍ତ୍ତରେ ମୋ ପାଇଁ ସ୍ବପ୍ନ
ତୁମ କାନ୍ଧରେ ସଂସାର ବୋଝ
ତୁମ ହିସାବ ଖାତାକୁ
ଆକଳନ କରିବାର
ଧ୍ରୁଷ୍ଟତା ମୁଁ କେମିତି କରିବି ଯେ ।।
କେତେ ସମୁଦ୍ର ଲୁଚିଛି ତୁମ
ଛାତି ଭିତରେ
କୂଳ ଲଙ୍ଘନ କରିବାର
ଦେଖିନି ମୁଁ କେବେ
ତୁମେ ଆକାଶଠୁ ଉଦାର
ଉପର ତୁମର ପଥର ହେଲେ
ଭିତରଟା ଫୁଲର ସହର
ତୁମେ ଈଶ୍ବରଙ୍କ ପ୍ରତିନିଧି ନୁହଁ
ସାକ୍ଷାତ ଈଶ୍ବର….ତୁମେ ମୋ ବାପା।