ସସ୍ମିତା ପଣ୍ଡା, ୧୧ ଅକ୍ଟୋବର ୨୦୨୨
ଆକାଶବି ହାରିଯାଏ ମାପି ଉଦାରତା
ସାଗର ଗଡାଏ ଲୁହ ମାପି ଗଭୀରତା
ମାଟି ହାରିଯାଏ ପରଖିଲେ ବିଶାଳତା
ତୁମେ ମୋର ପୂଣ୍ୟପ୍ରାଣ ସେହି ଜନ୍ମଦାତା ।।
ପହିଲି ଶବ୍ଦ ତୁମକୁ ନାହିଁ ମୋ ସ୍ମରଣ
ତୁମେହିଁ ତ ମୋର ଜନ୍ମ ଜାତକ କାରଣ
ଦେଖିଛି ଧର୍ଯ୍ୟ ମେରୁ ବିଶ୍ୱାସର ସତ୍ତା
ତୁମେ ମୋର ପୂଣ୍ୟପ୍ରାଣ ସେହି ଜନ୍ମଦାତା ।।
ସହସ୍ର ନିହାଣ ମୁନେ ପାଷାଣ ଆଘାତ
ଭିନ୍ନ ତଦାରଖ ତୁମେ ନିଃସ୍ବାର୍ଥେ ନିଃସର୍ତ୍ତ
ସ୍ତବ୍ଧ ଉଚ୍ଚାରଣେ ତୁମେ ପୂଣ୍ୟମୟ ଗୀତା
ତୁମେ ମୋର ପୂଣ୍ୟପ୍ରାଣ ସେହି ଜନ୍ମଦାତା ।।
ମୁଁ ତୁମ ଦସ୍ତାବିଜ ନଭଶ୍ଚୁମ୍ଭି ଆଶା
ତୁମ ଆଦର ସମ୍ଭ୍ରାନ୍ତ ସ୍ବାଭିମାନ ଦିଶା
ଶକ୍ତି ସାମର୍ଥ୍ୟର ତୁମେ ମୋର ପ୍ରାଣକର୍ତ୍ତା
ତୁମେ ମୋର ପୂଣ୍ୟପ୍ରାଣ ସେହି ଜନ୍ମଦାତା ।।
ଆଞ୍ଜୁଳେ ଲୁହରେ ତୁମେ ଏକାକୀ ଆଳାପ
ପାଶ୍ଚାତ୍ୟ ପ୍ରାଚୁର୍ଯ୍ୟ ବକ୍ଷେ ସଂସ୍କାର ବିଳାପ
ଅପହୃତ ସମୟର ମାଟିକାନ୍ଥ ଚିତା
ତୁମେ ମୋର ପୂଣ୍ୟପ୍ରାଣ ସେହି ଜନ୍ମଦାତା ।।
ଅଖଣ୍ଡିତ ସୂର୍ଯ୍ୟ ରଶ୍ମି ସ୍ନିଗ୍ଧ ସୌଭାଗ୍ୟ ରେ
ଜାଗିଉଠେ ଅନ୍ତଃସ୍ବର ନିରୁତା ଶୃଙ୍ଗାରେ
ଜନ୍ମ ଜନ୍ମାନ୍ତର ପୂଣ୍ୟ ସବୁଜ ମୁଗ୍ଧତା
ତୁମେ ମୋର ପୂଣ୍ୟପ୍ରାଣ ସେହି ଜନ୍ମଦାତା ।।