ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୦ ସେପ୍ଟେମ୍ବର ୨୦୨୪
ତୁମେ ତ ଅନନ୍ତ ଆକାଶ ହେ ପ୍ରଭୁ
ତୁମେ ଅନନ୍ତ ସାଗର
ତୁମ ବିଶାଳତା ତୁମ ଗଭୀରତା
ଅକଳନ ହେ ଠାକୁର.
ତୁମରି କୋଳରେ ରହିଛନ୍ତି ପରା
ଅନନ୍ତ କୋଟି ବ୍ରହ୍ମାଣ୍ଡ
ତୁମରି ଗରଭେ ରହିଛନ୍ତି ଲୁଚି
ଅଗଣନ ଧନ ଭାଣ୍ଡ.
କହିଛନ୍ତି ବ୍ରହ୍ମଦର୍ଶୀ ପୁରାଣରେ
ଆକାଶ ପାଦ ତୁମର
ସେ ପାଦର ପୂର୍ଣ୍ଣ ଦର୍ଶନ ପାଇବା
ଗୁରୁ କୃପା ଶ୍ରେୟସ୍କର.
ତୁମେ ହିଁ ଉତ୍ତପ୍ତ ସୂର୍ଯ୍ୟ ଶିଖା ପ୍ରଭୁ
ସୁଶୀତଳ ଚନ୍ଦ୍ର କର
ତୁମେ ତ ଅନାମ ଅରୂପ ହେ ନାଥ
ତୁମେ ପ୍ରଣବ ଓଁକାର.
କେତେବେଳେ ତୁମେ ଧରିଥାଅ ଦେହ
କେତେବେଳେ ତ ବିଦେହ
କେତେବେଳେ ନାମେ ହୋଇଥାଅ ବନ୍ଧା
ନାମ ଶୁଣି ହୁଅ ତୃପ୍ତ
ନାମ ଭଜି ଭଜି ନୃତ୍ୟେ ଗଲେ ହଜି
ତୁମେ କର ଭବୁ ମୁକ୍ତ.