ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୦ ମାର୍ଚ୍ଚ ୨୦୨୩
ଏ ସପ୍ତାହରେ ଓଡ଼ିଶା ଗଣମାଧ୍ୟମ ପାଇଁ ବେଶ୍ କିଛି ରୋଚକ ରାଜନୈତିକ ଖବର ଥିଲା । ଦୁଇ ପ୍ରତିଷ୍ଠିତ ଗଣମାଧ୍ୟମ ବ୍ୟକ୍ତିତ୍ୱ ସୌମ୍ୟରଂଜନ ପଟ୍ଟନାୟକ ଓ ଭର୍ତ୍ତୃହରି ମହତାବଙ୍କ ଭାଷଣ ଓ ସମ୍ପାଦକୀୟ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜୟନ୍ତୀ, ଦୁଇ ବରିଷ୍ଠ ନେତା ନରସିଂହ ମିଶ୍ର ଓ ବିଜୟ ମହାପାତ୍ରଙ୍କ ଚର୍ଚ୍ଚିତ ବୟାନ ଆଦି ଥିଲା ପ୍ରମୁଖ ପ୍ରସଙ୍ଗ । ତା ସାଙ୍ଗକୁ ଶାସକ ବିଜେଡିର “ନବୀନ ଓଡ଼ିଶା” ସଂକଳ୍ପ ମଧ୍ୟ ଥିଲା ପ୍ରମୁଖ ରାଜନୈତିକ ଖବର । ଏହି ଖବର ଗୁଡ଼ିକୁ ଓଡ଼ିଶାର ପ୍ରମୁଖ ଖବର କାଗଜ ଓ ନ୍ୟୁଜ ଚ୍ୟାନେଲ୍ ମାନେ ନିଜ ନିଜ ଢଙ୍ଗରେ ପ୍ରଚାର ପ୍ରସାର କରିଥିଲେ ।
ଗଣମାଧ୍ୟମରେ ବିଜୁ ଜୟନ୍ତୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ରାଜ୍ୟବ୍ୟାପୀ ପାଳିତ ହୋଇଥିଲା ବେଶ୍ ଧୁମଧାମରେ । ଜୟନ୍ତୀ ପାଳନ ନେଇ ବେଶ୍ ଖବର ମୁଖର ହୋଇଥିଲା ଓଡ଼ିଶାର ଗଣମାଧ୍ୟମ । ଖବର କାଗଜ ଗୁଡ଼ିକରେ ପୃଷ୍ଠା ପୃଷ୍ଠା ସରକାରୀ ବିଜ୍ଞାପନ ତା ସାଙ୍ଗକୁ ବିଜୁ ବାବୁଙ୍କ ବାବଦରେ ଏକାଧିକ ଆଲେଖ୍ୟ ସ୍ଥାନ ପାଇଥିଲା । ଯିଏ ଯେମିତି ପାରିଲେ ବିଜୁ ବାବୁଙ୍କ ସମ୍ପର୍କରେ ଯେତେ ଲେଖାଯାଇ ପାରିବ ତାହାକୁ ସ୍ଥାନିତ କରିଥିଲେ । ଏପରିକି ଓଡ଼ିଆ ଖବର କାଗଜ ଗୁଡ଼ିକରେ ସରକାରୀ ବିଜ୍ଞାପନର ବନ୍ୟା ଦେଖିବାକୁ ମଧ୍ୟ ମିଳିଥିଲା। ତା ସାଙ୍ଗକୁ ବିଜୁ ବାବୁଙ୍କ ଜୟନ୍ତୀ ପାଳନ, ବିଜୁ ବାବୁଙ୍କ “ଡାକୋଟା ବିମାନ” ଜାତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମର୍ପଣ ଆଦି ଖବର ନ୍ୟୁଜ୍ ଚ୍ୟାନେଲ୍ ଓ ଖବରକାଗଜ ଗୁଡ଼ିକରେ ପ୍ରମୁଖ ଖବର ଭାବେ ଦେଖିବାକୁ ମିଳିଥିଲା ।
ନବୀନ ଓଡ଼ିଶାର ମିଡ଼ିଆ: ଶାସକ ଦଳ ତରଫରୁ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ “ନବୀନ ଓଡ଼ିଶା” ବୋଲି ଏକ ଶବ୍ଦକୁ ଜୋରଦାର ଭାବେ ସ୍ଥାନିତ କରାଯାଇଥିଲା । “ନବୀନ ଓଡ଼ିଶାର” ଅର୍ଥ ନୂଆ ଓଡ଼ିଶା ଅବା ମୁଖ୍ୟମନ୍ତ୍ରୀଙ୍କ ନାଁରେ ଓଡ଼ିଶା ତାହା କୌଣସି ଗଣମାଧ୍ୟମ ଉଲ୍ଲେଖ କଲେ ନାହିଁ । କେହିବି ଏ ବାବଦରେ ଶାସକ ଦଳକୁ ପ୍ରଶ୍ନଟିଏ ପଚାରିଲେ ନାହିଁ । ସରକାରୀ ବିଜ୍ଞାପନ ଅଧିକ ମିଳିଥିବାରୁ କୋଣସି ଗଣମାଧ୍ୟମ ଏ ବାବଦରେ ଅଧିକ କିଛି ତଥ୍ୟ ନିଜ ନିଜର ପାଠକ ଓ ଦର୍ଶକଙ୍କୁ ଜଣାଇବା ଉଚିତ ମନେକଲେ ନାହିଁ । ସରକାରଙ୍କୁ ପ୍ରଶ୍ନ ନପଚାରିବା, ଅଧିକ ସରକାରୀ ବିଜ୍ଞାପନ ପାଇବା ବୋଧହୁଏ ନବୀନ ଓଡ଼ିଶାରେ ମିଡ଼ିଆର ପରିବର୍ତ୍ତିତ ରୂପର ଆଭାସ ଦେଲା ।
ଚର୍ଚ୍ଚାରେ ରହିଲେ ସୌମ୍ୟରଂଜନ ଓ ଭର୍ତ୍ତୃହରି: ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଚେହେରା ତଥା ସମ୍ବାଦର ସମ୍ପାଦକ ଓ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ପାରାଦ୍ୱୀପ ଠାରେ ଦେଇଥିବା ଭାଷଣ ଓ ଶାସକ ବିଜେଡିକୁ ପଚାରିଥିବା ପ୍ରଶ୍ନ ନେଇ ହାତ ଗଣତି କିଛି ନ୍ୟୁଜ ଚ୍ୟାନେଲ୍ ଓ ଖବରକାଗଜରେ ପ୍ରମୁଖ ଖବର ପାଲଟିଥିଲେ । ସେହିପରି ପ୍ରଜାତନ୍ତ୍ରର ସମ୍ପାଦକ ତଥା ବିଜେଡିର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ତାଙ୍କ ନିଜର ସମ୍ପାଦକୀୟ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଉପଦେଶ ଦେଇ ଢେର ଚର୍ଚ୍ଚାରେ ରହିବା ସହ ବେଶ୍ ପ୍ରଶଂସା ବି ସାଉଁଟିଲେ । ଯଦିଓ ଏହି ଦୁଇ ବ୍ୟକ୍ତିଙ୍କୁ ନେଇ ଓଡ଼ିଶାର ହାତଗଣତି କିଛି ନ୍ୟୁଜ ଚ୍ୟାନେଲ୍ ଖବର ପ୍ରସାରଣ କଲେ, ମାତ୍ର ଏମାନଙ୍କ ଖବର ସୋସିଆଲ ମିଡ଼ିଆରେ ପ୍ରମୁଖ ରାଜନୈତିକ ଖବର ଭାବେ ଚର୍ଚ୍ଚିତ ହୋଇଥିଲା ।
ବିଜୟ ହିଟ୍ ନରସିଂହ ଫ୍ଲପ୍: ଦୁଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଓ ନରସିଂହ ମିଶ୍ର ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ବାବଦରେ ନିଜର ବୟାନକୁ ନେଇ ରହିଥିଲେ ଚର୍ଚ୍ଚାରେ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବାରମ୍ବାର ମତ ବଦଳାଇବା ଓ ନବ ଦାସଙ୍କ ହତ୍ୟା ଘଟଣାରେ ଭିନ୍ନ ଏକ ଟ୍ଵିଷ୍ଟ ଆଣିବାକୁ ଚେଷ୍ଟା କରିଥିଲେ ନରସିଂହ ମିଶ୍ର । ନରସିଂହ ମିଶ୍ରଙ୍କ ଏହି ବୟାନ ନ୍ୟୁଜ ଚ୍ୟାନେଲ୍ ଓ ଖବର କାଗଜରେ ପ୍ରମୁଖ ଖବର ହୋଇଥିବା ବେଳେ, ସେହି ନବ ଦାସଙ୍କ ହତ୍ୟା ଘଟଣା ନେଇ ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବୟାନ ଝଡ଼ ସୃଷ୍ଟି କଲା ମିଡ଼ିଆରେ । ଏହି ଘଟଣାରେ “ଦୁଇ ଅଣ ଓଡ଼ିଆ ଅଫିସର“ଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇ ଥିଲେ ବିଜୟ ମହାପାତ୍ର। ଯଦିଓ ରାଜ୍ୟର ହାତଗଣତି ନ୍ୟୁଜ ଚ୍ୟାନେଲ୍ ଓ ଖବର କାଗଜ ବିଜୟଙ୍କ ବୟାନକୁ ପ୍ରଚାର ଓ ପ୍ରସାର କଲେ ମାତ୍ର ସୋସିଆଲ ମିଡ଼ିଆରେ ଛାଇଗଲେ ବିଜୟ ମହାପାତ୍ର । ଏପରିକି ନରସିଂହ ମିଶ୍ରଙ୍କ ବୟାନ ଠାରୁ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା ବିଜୟ ମହାପାତ୍ରଙ୍କ ବୟାନ । ଓଡ଼ିଶାର କିଛି ଗଣମାଧ୍ୟମ ବିଜୟ ମହାପାତ୍ରଙ୍କ ବୟାନକୁ ଅଧିକ ଗୁରୁତ୍ୱ ଦେବାକୁ ସାହସ କରିପାରିଲେ ନାହିଁ ।
ଏ ସମସ୍ତ ଖବରକୁ ଯଦି ବିଶ୍ଳେଷଣ କରାଯାଏ ଓ ଏହି ଖବରର ଗୁରୁତ୍ୱକୁ ଅନୁଭବ କରି କିଭଳି ଭାବେ ଓଡ଼ିଶାର ଗଣମାଧ୍ୟମ ଗୁଡ଼ିକ ଏହାର ପ୍ରଚାର ଓ ପ୍ରସାର କରିଛନ୍ତି ବୋଲି ବୁଝିବାକୁ ହୁଏ ତେବେ ଖବର କାଗଜ ପାଠକ ଓ ନ୍ୟୁଜ ଚ୍ୟାନେଲ୍ ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ୍ । ନବୀନ ଓଡ଼ିଶାରେ ଓଡ଼ିଆ ଗଣମାଧ୍ୟମର ଏହା ରୂପାନ୍ତରଣ ବୋଲି ଧରିନେବାକୁ ହେବ ।