ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩୦ ସେପ୍ଟେମ୍ବର ୨୦୨୨
କ୍ରିକେଟର ନୂଆ ଫର୍ମାଟ୍ ୨୦-୨୦, ବ୍ରିଟାନିଆ ବିସ୍କୁଟର ସ୍ୱାଦ ଭିତ୍ତିକ ୫୦ – ୫୦ ବ୍ରାଣ୍ଡ ଭଳି ଓଡ଼ିଶାର ନ୍ୟୁଜ୍ ଚ୍ୟାନେଲ୍ ରେ ଏବେ ଖବରର ପରିବେଷଣ ର ଏକ ନୂଆ ଧାରା ଆରମ୍ଭ ହୋଇଛି । ଯାହାକୁ ଦର୍ଶକ ମାନେ ମଧ୍ୟ ଖବର ୫୦ – ୫୦ ବୋଲି କହିବା ଶୁଣିବାକୁ ମିଳୁଛି । ଖବର ୫୦ – ୫୦ କ’ଣ, କାହିଁକି ଏ ନୂଆ ଧାରାକୁ ଆପଣେଇଛନ୍ତି ଓଡ଼ିଶାର ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ତାହା ଦର୍ଶକ ମାନକର ବିଶ୍ଲେଷଣରୁ ବୁଝା ପଡ଼ିଯାଉଛି । ଚଳିତ ସପ୍ତାହର ସବୁଠାରୁ ବଡ଼ ରାଜନୈତିକ ଖବର ଥିଲା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କର ଓଡ଼ିଶା ଗସ୍ତ । କିପରି ଏହି ଖବରକୁ ପ୍ରସାରିତ କରିଥିଲେ ଓଡ଼ିଶାର ନ୍ୟୁଜ୍ ଚ୍ୟାନେଲ୍ ତା ଉପରେ ଟିକେ ନଜର ପକାଇବା । TRP ଅନୁଯାୟୀ ୧ ନମ୍ବର ସ୍ଥାନରେ ଥିବା ଓ ଟିଭି ଓ ଶେଷ ସ୍ଥାନରେ ଥିବା ଆର୍ଗସ ନ୍ୟୁଜ୍ ବେଶ୍ ପ୍ରଭାବୀ ଢ଼ଙ୍ଗରେ ଏହି ଖବରକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିଥିଲେ । ଅନ୍ୟପକ୍ଷରେ TRP ରେ ତଳ ଆଡ଼ୁ ୩ ନମ୍ବର ସ୍ଥାନରେ ଥିବା ନନ୍ଦିଘୋଷ ଟିଭି ଏହି ଖବରକୁ ସମ୍ପୁର୍ଣ୍ଣ ଭାବେ ଗୌଣ କରି ଦେଇଥିଲା । ଶାସକ ବିଜେଡି ର ଏକ ସମନ୍ତରାଳ ରାଜନୈତିକ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ପ୍ରସାରିତ କରି ରାଜ୍ୟର ବଡ଼ ରାଜନୈତିକ ଖବରକୁ ଲୋକଙ୍କ ପାଖରୁ ଦୂରେଇ ରଖିବାକୁ ପ୍ରୟାସ କରିଥିଲା ।
ସେହିପରି ଅନ୍ୟ ନ୍ୟୁଜ୍ ଚ୍ୟାନେଲ୍ ମଧ୍ୟରେ କଳିଙ୍ଗ ଟିଭି ମଧ୍ୟ ବିଜେଡି ଖବରକୁ ଅଧିକ ପ୍ରାଧାନ୍ୟ ଦେଇଥିଲା ଓ ବିଜେପିର ଖବରକୁ କମ ମାତ୍ରାରେ ଦର୍ଶକଙ୍କୁ ଦେଖାଇବାର ବ୍ୟବସ୍ଥା କରିଥିଲା । TRP ରେ ଦ୍ୱିତୀୟ ସ୍ଥାନରେ ଥିବା କନକ ନ୍ୟୁଜ୍ ସମେତ ଟିଭି ୧୮ ଓ ନ୍ୟୁଜ୍ ୭ ଯଥା ସମ୍ଭବ ଚେଷ୍ଟା କରିଥିଲେ ବିଜେପି ବିଜେଡି ଖବରକୁ ୫୦ – ୫୦ ପ୍ରତିଶତରେ ରଖିବା ପାଇଁ ଓ ସଫଳ ଭାବେ ଏହି ନୂଆ ଧାରାକୁ ଦର୍ଶକଙ୍କ ପାଖରେ ପେଶ୍ କରିଥିଲେ । ସମସ୍ତ ନ୍ୟୁଜ୍ ଚ୍ୟାନେଲ୍ ର ଖବର ପରିବେଷଣକୁ ଯଦି ତର୍ଜମା କରାଯାଏ, ତେବେ ଯେ କେହିବି ନିଃସନ୍ଦେହରେ କହିବ, ଏବେ ଏକ ୫୦ – ୫୦ ଧାରା ଆରମ୍ଭ ହୋଇଛି ବୋଲି । ବିଶେଷ ଭାବେ ଓଡ଼ିଶା ରାଜନୀତିରେ ପ୍ରଭାବ ସାବ୍ୟସ୍ତ କରିବାରେ ବିଜେଡି ଓ ବିଜେପିର ସ୍ଥିତି ହିଁ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକୁ ଏହି ଧାରା ଆପଣେଇବାକୁ ଉତ୍ସାହିତ କରିବା ଭଳି ମନେହୁଏ।
ବିଜେପିର ଏହି ରାଜନୈତିକ ଖବରକୁ ମଧ୍ୟ TRP ର ୧ମ ଓ ଶେଷ ସ୍ଥାନରେ ଥିବା ଦୁଇ ଚ୍ୟାନେଲ୍ ପୁନର୍ବାର ୫୦ – ୫୦ ପ୍ରତିଶତ ଭାଗରେ ବିଭକ୍ତ କରିଛନ୍ତି । ଏହି ଖବରକୁ ଓ ଟିଭି ନିଜର ମାଲିକଙ୍କ ସ୍ୱାର୍ଥରେ ଅର୍ଥାତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ୫୦ ପ୍ରତିଶତ ସ୍ଥାନ ଦେଇଥିବା ବେଳେ ବାକି ଖବରରେ ଜେ.ପି. ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ ଆଦି ସମସ୍ତ ନେତାଙ୍କ ବାବଦରେ ୫୦ ପ୍ରତିଶତ ଖବରକୁ ସ୍ଥାନିତ କରିଥିଲା । ଅର୍ଗସ ଟିଭି ମଧ୍ୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସପକ୍ଷରେ ୫୦ ପ୍ରତିଶତ ଖବର ପ୍ରସାରିତ କରିଥିବା ବେଳେ ଅନ୍ୟ ବିଜେପି ନେତା କ’ଣ କହିଲେ ତାଙ୍କୁ ବାକି ୫୦ ପ୍ରତିଶତରେ ସୀମିତ ରଖିଥିଲା।
ସେହିପରି ବିଜେପି ର ଏହି ବଡ଼ ରାଜନୈତିକ ଖବରକୁ ଯଥା ସମ୍ଭବ ଅଣଦେଖା କରି ନନ୍ଦିଘୋଷ ଟିଭି ଶାସକ ବିଜେଡି ର ମୁଖପତ୍ର ବୋଲି ଦର୍ଶକଙ୍କ ନିକଟରେ ନିଜର ପରିଚୟକୁ ଦୃଢ଼ କରିଛି । ନନ୍ଦିଘୋଷ ପରେ ପରେ ସେଇ ରାସ୍ତାରେ ଯିବାକୁ ଚେଷ୍ଟାକରିଛି କଳିଙ୍ଗ ଟିଭି ଓ ବିଜେଡି ର ଖବରକୁ ପ୍ରାଧାନ୍ୟ ଦେବାରେ ମଧ୍ୟ ହେଳା କରିନାହିଁ ଏହି ନ୍ୟୁଜ୍ ଚ୍ୟାନେଲ୍ ।
ଏହି ଗୋଟିଏ ଖବର କାହିଁକି ପୁରା ଦିନ ଯାକର ନ୍ୟୁଜ୍ ଚ୍ୟାନେଲ୍ ର ଖବର ଗୁଡ଼ିକୁ ଯଦି ଭଲଭାବେ ତର୍ଜମା କରାଯିବ ତେବେ ସ୍ପଷ୍ଟ ଭାବରେ ବୁଝାପଡ଼ିବ ଯେ ଓଡ଼ିଶାର ସମସ୍ତ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକରେ EDITORIAL POLICY ଅନୁଯାୟୀ ଏମାନେ ଦୁଇ ଭାଗରେ ବିଭକ୍ତ ହୋଇଥିବା ପରି ଜଣା ପଡ଼ୁଛନ୍ତି । ଶାସକ ବିଜେଡି ର ଖବରକୁ ନନ୍ଦିଘୋଷ ଓ କଳିଙ୍ଗ ଟିଭି ଅଧିକ ଗୁରୁତ୍ୱ ଦେଉଥିବା ବେଳେ ବିଜେପି ର ଖବରକୁ ଓ ଟିଭି ଓ ଅର୍ଗସ ନ୍ୟୁଜ୍ ପ୍ରଚାରିତ ଓ ପ୍ରସାରିତ କରି ନିଜକୁ ଦୁଇଟି ଭିନ୍ନ ରାଜନୈତିକ ଶିବିର ସହ ଯୋଡିବାକୁ ଚେଷ୍ଟା କରୁଥିବା ଭଳି ମନେହୁଏ । ରାଜ୍ୟର ସବୁଠାରୁ ବଡ଼ ମିଡ଼ିଆ ହାଉସ୍ ରୁ ପ୍ରତିନିଧିତ୍ୱ କରୁଥିବା କନକ ନ୍ୟୁଜ୍ ର ପରିବେଷଣ କେତେବେଳେ ବିଜେପି ସପକ୍ଷରେ ତ କେତେବେଳେ ବିଜେଡି ସପକ୍ଷରେ ତାହା ଦର୍ଶକଙ୍କ ପାଇଁ ବୁଝିବା ମୁସ୍କିଲ । ଅନ୍ୟ ଚ୍ୟାନେଲ ମଧ୍ୟରେ ନ୍ୟୁଜ୍ ୧୮, ନ୍ୟୁଜ୍ ୭ ର ଖବର ପରିବେଷଣ ୫୦-୫୦ ପ୍ରତିଶତ ଧାରାରେ ଯିବାଭଳି ଦର୍ଶକ ମାନେ ଅନୁଭବ କଲେଣି ।
କେବଳ ରାଜନୈତିକ ଘଟଣା କ୍ଷେତ୍ରରେ ନୁହେଁ ରାଜ୍ୟର ପ୍ରମୁଖ ପ୍ରସଙ୍ଗ ଗୁଡ଼ିକରେ ରେ ମଧ୍ୟ ଏବେ ନ୍ୟୁଜ୍ ଚ୍ୟାନେଲ୍ ଗୁଡିକର ଆଭିମୁଖ୍ୟ ଅସ୍ପଷ୍ଟ । ନାମକୁ ମାତ୍ର ନିଜର ନିର୍ଦ୍ଦିଷ୍ଟ ଖବର ପରିବେଷଣ ନୀତି ତିଆରି କରି ଗୋଟିଏ ଗୋଟିଏ ରାଜନୈତିକ ଦଳପ୍ରତି ଆନୁଗତ୍ୟ ପ୍ରଦର୍ଶନ ଏବେ ଖବର ପରିବେଷଣ ର ପ୍ରମୁଖତା ହୋଇଛି ବୋଲି ଦର୍ଶକ ମାନେ ଅନୁଭବ କଲେଣି ।
ତେବେ ଆପଣ ମାନେ ଭାବନ୍ତୁତ ରାଜନୈତିକ ଆନୁଗତ୍ୟ ରଖି ଖବର ପରିବେଷଣ କରିବା ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟକୁ ସାଧିତ କରୁଛି କି ? ଏଭଳି ଖବର ପରିବେଷଣ ରେ କାହାର ସ୍ୱାର୍ଥ ପୂରଣ ହେଉଛି ? ମାଲିକ ମାନଙ୍କର ନାଁ ସମ୍ପାଦକ ମାନଙ୍କର ? ଦର୍ଶକ ମାନେ କେବେ କ’ଣ ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳ କୁ ସୁହାଇବା ଭଳି ଖବର ଦେଖିବାକୁ ଚାହୁଁଛନ୍ତି କି ? ନ୍ୟୁଜ୍ ଚ୍ୟାନେଲ୍ ଗୁଡିକର ଏହି ଖବର ପରିବେଷଣ ଶୈଳୀ ଦର୍ଶକ ମାନଙ୍କୁ ଟେଲିଭିଜନ୍ ନ୍ୟୁଜ୍ ଚ୍ୟାନେଲ୍ ଠାରୁ ଦୁରେଇ ଦେଉ ନାହିଁ ତ ?