ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୪ ଅକ୍ଟୋବର ୨୦୨୨
ଗତ ସପ୍ତାହରେ ଓଡ଼ିଶାର ଗଣମାଧ୍ୟମ ପାଇଁ ଦୁଇଟି ଖବର ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଜଣେ ଯୁବତୀଙ୍କ “ବ୍ଲାକ୍ ମେଲିଂ” ର କାହାଣୀ ଓ “ବାତ୍ୟା ଆସୁଛି” ଶୀର୍ଷକକୁ ନେଇ ଓଡ଼ିଶାର ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା । ସକାଳୁ ସଂଜ ଯାଏ ଏହି ଖବର ର ତର୍ଜମା କରିବା ସହ ଓଡ଼ିଶାର ନ୍ୟୁଜ୍ ଚ୍ୟାନେଲ୍ ଦର୍ଶକଙ୍କୁ ଆମୋଦିତ ଓ ଭୟଭୀତ କରିବାର ଭରପୂର ପ୍ରୟାସ କରିଥିଲେ । ଅର୍ଚ୍ଚନା ନାଗ କିଏ ? ସେ ହଠାତ୍ କିପରି ଖବରର ଶିରୋନାମା ପାଲଟିଗଲା ? ତାର ଅନୈତିକ କାରବାର ସମ୍ପର୍କରେ ଓଡ଼ିଶାର ଜାଗ୍ରତ ଗଣମାଧ୍ୟମ ଖବର ପାଇ ପାରିଲେ ନାହିଁ କାହିଁକି ? ଯଦି ବହୁ ନେତା, ମନ୍ତ୍ରୀ, ବ୍ୟବସାୟୀ ଅର୍ଚ୍ଚନାଙ୍କ ଘରକୁ ଯିବା ଆସିବା କରୁଥିଲେ ତାହେଲେ ଗଣମାଧ୍ୟମ ପ୍ରତିନିଧିମାନେ ଏହାର ସୁରାକ ପାଇଲେ ନାହିଁ କିପରି ? ଏଭଳି ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି ନ୍ୟୁଜ୍ ଦେଖୁଥିବା ଦର୍ଶକମାନେ । ଘଣ୍ଟା ଘଣ୍ଟା ଧରି ଏହି ଖବର ଦେଖାଉଥିବା ନ୍ୟୁଜ୍ ଚ୍ୟାନେଲ ମାନେ ଏହି ପ୍ରଶ୍ନର ଉତ୍ତର ଦେବାରେ ସକ୍ଷମ ହୋଇ ପାରିଲେ ନାହିଁ ।
ନାଗ ସମ୍ପର୍କରେ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ବେଶ୍ ରୋମାଂଚକର କାହାଣୀ ପ୍ରସ୍ତୁତ କରୁଛନ୍ତି । ଲୋକଙ୍କୁ ବାନ୍ଧି ରଖିବାର ଭରପୂର ପ୍ରୟାସ କରୁଛନ୍ତି । ନାଗ ସହ କାହାର ସମ୍ପର୍କ ଅଛି ? କେଉଁ ନେତା ମାନେ ନାଗ ସହ ସମ୍ପର୍କରେ ଥିଲେ ? ନାଗ ସାମ୍ରାଜ୍ୟ ପଛରେ କାହାର ସହଯୋଗ ଓ ଦିଗଦର୍ଶନ୍ ଥିଲା ? ହାତଗଣତି ନେତାଙ୍କର କିଛି ଫଟୋ ଦେଖାଇବା ପରେ ଅନ୍ୟ ମାନଙ୍କ ନାଁ ପ୍ରକାଶ କରିବା ଗଣମାଧ୍ୟମର ଦାୟିତ୍ୱ ନୁହେଁ କି ?
ନ୍ୟୁଜ୍ ଚ୍ୟାନେଲ୍ ଦେଖୁଥିବା ଦର୍ଶକମାନେ ଥରେ ଚିନ୍ତା କରନ୍ତୁ, ଏହି ଖବରକୁ ଯେଉଁ ଭଳି ଭାବେ ପରିବେଷଣ କରାଯାଇଛି ତାହା ପ୍ରକୃତ ଖବରକୁ ସେମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରାଯାଇଛି କି ? ନାଗ ସମ୍ପର୍କରେ ରୋଚକ କାହାଣୀ ତିଆରି ହେଉଥିବା ବେଳେ ନେତା ମାନଙ୍କ ନାଁ ପ୍ରକାଶ କରିବାରେ ଗଣମାଧ୍ୟମ ସଂକୋଚ ପ୍ରକାଶ କରୁଛି କାହିଁକି ? ପୋଲିସର ଭୂମିକା ଓ ରାଜନୈତିକ ଦଳ ମାନଙ୍କର ନିରବତାକୁ ନେଇ ଗଣମାଧ୍ୟମ ଗୁଡ଼ିକ ପ୍ରଶ୍ନ ଉଠାଇବା ଉଚିତ୍ ନୁହେଁ କି ? ନାଗ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଲୋକଙ୍କ ସାମ୍ନାକୁ ନ ଆଣି ଯଦି ମାଳମାଳ ନେତା ଅଛନ୍ତି ବୋଲି କହି ଖବରରକୁ ସୀମିତ କରିଦେବାକୁ ଚେଷ୍ଟା କରାଯାଏ, ତେବେ ଗଣମାଧ୍ୟମ ର କେଉଁ ଦାୟିତ୍ୱକୁ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ନିର୍ବାହ କରୁଛନ୍ତି ?
ସେହିପରି ନ୍ୟୂଜ୍ ଚ୍ୟାନେଲ୍ ର TRP ବଢ଼ାଇବାରେ ବନ୍ୟା ଓ ବାତ୍ୟା ଖବର ବେଶ୍ ସାହାଯ୍ୟ କରେ । ଏହି ଖବର ଦେଖାଇବାରେ ମଧ୍ୟ ଓଡ଼ିଶାର ଗଣମାଧ୍ୟମ ଅନ୍ୟ ସମସ୍ତଙ୍କଠାରୁ ବେଶ୍ ଆଗରେ । ବାତ୍ୟାର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର କୌଣସି ସୂଚନା ଦେଇନଥିବା ବେଳେ ଓଡ଼ିଶାରେ ଏହାର ପ୍ରଭାବ ନେଇ ଅନେକ ନ୍ୟୁଜ୍ ଚ୍ୟାନେଲ୍ ବେଶ୍ ସକ୍ରିୟ ହୋଇପଡ଼ିଥିଲେ । ଏପରିକି ରାଜ୍ୟ ସରକାରଙ୍କର ଏକ ପ୍ରସ୍ତୁତି ବୈଠକ ମଧ୍ୟ ଏହି ଖବରକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକୁ ଏକ ରକମ ବାଧ୍ୟ କରିଦେଇଥିଲା । ଆଉ କିଛି ନ୍ୟୁଜ୍ ଚ୍ୟାନେଲ୍ “ନାଗ” ଖବର ସହ ଶାସକ ଦଳର ନେତାମାନେ ସମ୍ପୃକ୍ତ ଜାଣିବା ପରେ ଏହି ଖବରକୁ ଦର୍ଶକଙ୍କ ଠାରୁ ଦୂରେଇ ରଖିବା ପାଇଁ ବାତ୍ୟା ଖବରକୁ ଢାଲ କରିବାକୁ ପଛାଇ ନଥିଲେ । ପରିସ୍ଥିତି ଏପରି ହେଲା ଯେ, ଭାରତୀୟ ପାଣିପାଗ କେନ୍ଦ୍ରର ମୁଖ୍ୟଙ୍କୁ ସୋସିଆଲ ମିଡ଼ିଆରେ ବାଧ୍ୟହୋଇ ଅନୁରୋଧ କରିବାକୁ ପଡିଲା ଯେ, ଓଡ଼ିଶାର ଗଣମାଧ୍ୟମ ଗୁଡ଼ିକ ବାତ୍ୟା କୁ ନେଇ ଗୁଜବ କରନ୍ତୁ ନାହିଁ ବୋଲି । ଲୋକମାନଙ୍କୁ ମଧ୍ୟ ଅନୁରୋଧ କରାଗଲା ଗଣମାଧ୍ୟମର ଏହି ଗୁଜବକୁ ବିଶ୍ୱାସ ନକରିବା ପାଇଁ ।
ଏବେ ନ୍ୟୁଜ୍ ଚ୍ୟାନେଲ୍ ର ଦର୍ଶକମାନେ ଭାବନ୍ତୁ ତ… ଓଡ଼ିଶାର ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର ଖବର ପରିବେଷଣର ଧାରା କାହାର ସ୍ୱାର୍ଥ ସାଧନ କରୁଛି ? ଦାୟିତ୍ୱପୂର୍ଣ୍ଣ ଗଣମାଧ୍ୟମ ଭଳି ଏହି ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ କାର୍ଯ୍ୟ କରୁଛନ୍ତି କି ? ଲୋକଙ୍କୁ ରୋମାଂଚିତ ଓ ଭୟଭୀତ କରିବା ଦ୍ୱାରା ସେମାନଙ୍କୁ ମିଳୁଛି କ’ଣ ? ନାଗ ଭଳି ଏକ ସମ୍ବେଦନଶୀଳ ଘଟଣାରେ ମେଗା ସିରିଏଲ ଭଳି କାହାଣୀ ତିଆରି କରି ପ୍ରକୃତ ଦୋଷୀଙ୍କୁ ଖସିଯିବାପାଇଁ ସାହାଯ୍ୟ କରାଯାଉନାହିଁ ତ ? ସେହିପରି ବାତ୍ୟା ବାବଦରେ ପାଣିପାଗ ବିଜ୍ଞାନୀଙ୍କ ସୂଚନା ମିଳିନଥିବାବେଳେ “ବାତ୍ୟା ଆସୁଛି” ବୋଲି ଖବର ଦେଇ ଗୁଜବକାରୀର ଆଖ୍ୟା ପାଇବା ଦ୍ୱାରା ଲୋକଙ୍କ ପାଖରେ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର ବିଶ୍ୱସନୀୟତା ହ୍ରାସ ପାଉନି ତ ? ପରିଶେଷରେ ଏଥି ପାଇଁ ଦାୟୀ କିଏ ସମ୍ପାଦକ ନା ମାଲିକ ?