ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୦ ଅପ୍ରେଲ ୨୦୨୩
ଶିଳ୍ପସମୃଦ୍ଧ ଯାଜପୁର ଜିଲ୍ଲାରେ ପୁଣି ଏକ ଅପପୁଷ୍ଟି ଜନିତ ମୃତ୍ୟୁ ଘଟିଥିବାର ଖବର ମିଳିଛି । ଏହି ଅଭାବନୀୟ ଘଟଣାଟି ଦାନଗଦି ବ୍ଲକରେ ଘଟିଥିବା କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପୂର୍ବରୁ ଅପପୁଷ୍ଟି ନେଇ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲା ଏହି ଜିଲ୍ଲାର ନଗଡ଼ାର କାହାଣୀ । ଏପରିକି କିଛି ଦିନ ପୂର୍ବରୁ କଳିଙ୍ଗ ନଗର ଶିଳ୍ପାଞ୍ଚଳ ନିକଟରେ ଅପପୁଷ୍ଟିରେ ଆକ୍ରାନ୍ତ ଶିଶୁଙ୍କ ଖବର ଜାତୀୟ ସ୍ତରର ପ୍ରମୁଖ ଖବର ମଧ୍ୟ ହୋଇଥିଲା । ଏବେ ପୁନର୍ବାର ସେହି ଜିଲ୍ଲାରେ ଅପପୁଷ୍ଟିରେ ଶିକାର ହୋଇ ଶିଶୁଙ୍କ ମୃତ୍ୟୁ ହେବା ଖବର କ’ଣ ବୟାନ କରୁଛି ? ରାଜ୍ୟସରକାର ଓ କେନ୍ଦ୍ର ସରକାରଙ୍କର ଅପପୁଷ୍ଟି ରୋକିବା ନେଇ କାର୍ଯ୍ୟକାରୀ ହୋଇଥିବା ଯୋଜନା କ’ଣ ଏହି ଜିଲ୍ଲାରେ ଅପହଞ୍ଚ ହୋଇ ପଡ଼ିଛି କି ? ପ୍ରଶାସନିକ ସ୍ତରରେ ଯୋଜନା କାର୍ଯ୍ୟକାରୀ ହୋଇନାହିଁ ବୋଲି ଏହି ଘଟଣା ପ୍ରମାଣିତ କରୁନାହିଁ କି ?
ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ଦୁଇ ବ୍ଲକ ସହ ସତେ ଯେମିତି ଯୋଡି ହୋଇଯାଇଛି ‘ଅପପୁଷ୍ଟି’ ନାମରେ ଆଉ ଏକ ପରିଚୟ । ପୂର୍ବରୁ ଯାଜପୁର ଜିଲ୍ଲାର ସୁକିନ୍ଦା ଓ ଦାନଗଦି ବ୍ଲକ୍ କୁ ସିମାମ ଯୋଜନାରେ ସରକାର ସାମିଲ୍ କରିସାରିଛନ୍ତି । ରାଜ୍ୟରେ ଅପପୁଷ୍ଟିକୁ ଆଖି ଆଗରେ ରଖି ସରକାର ୧୦ଟି ବ୍ଲକରେ ଏହି ଯୋଜନାକୁ କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି । ପରିବର୍ତ୍ତିତ ରଣନୀତି ମାଧ୍ୟମରେ ପାହାଡ଼ିଆ ତଥା ଦୁର୍ଗମ ଅଞ୍ଚଳରେ ଶିଶୁମାନଙ୍କ ଠାରେ ଦେଖାଯାଉଥିବା ଅପପୁଷ୍ଟିକୁ ଦୂର କରିବା ପାଇଁ ଅପପୁଷ୍ଟି ନିରାକରଣ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି। ତଥାପି ଅପପୁଷ୍ଟିରେ ଆକ୍ରାନ୍ତ ଶିଶୁ ଓ ମୃତ୍ୟୁ ବରଣ କରୁଥିବା ଶିଶୁଙ୍କ ସଂଖ୍ୟା ଉପରେ ଏହି ଯୋଜନାର ପ୍ରଭାବ ପଡ଼ି ପାରୁ ନଥିବା ଭଳି ମନେହେଉଛି। ବାରମ୍ବାର ଏହି ଜିଲ୍ଲାରେ ଅପପୁଷ୍ଟି ଜନିତ ଶିଶୁଙ୍କ ମୃତ୍ୟୁ ଖବର ଆସୁଥିଲେ ମଧ୍ୟ ପ୍ରଶାସନକୁ ତାହା ବିଚଳିତ କରୁନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହି ଅପପୁଷ୍ଟି ଜନିତ ଖବରକୁ ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଲୋକପ୍ରତିନିଧି ମଧ୍ୟ ନିଜର ତତ୍ପରତା ପ୍ରକାଶ କରିବା ଦେଖିବାକୁ ମିଳୁନାହିଁ । କେବଳ ସୋସିଆଲ ମିଡ଼ିଆରେ ଯଦି ଏହି ଖବର ଭାଇରାଲ ହେଉଛି ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେବାସହ, ଅପପୁଷ୍ଟି ଶିକାର ହୋଇଥିବା ଶିଶୁଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଉଛି ।
ମାତ୍ର ବାରମ୍ବାର ଯାଜପୁର ଜିଲ୍ଲାର ୨ଟି ବ୍ଲକ୍ ରେ ଅପପୁଷ୍ଟି ଶିକାର ଶିଶୁଙ୍କ ଖବର ଗଣମାଧ୍ୟମରେ ଆସିବା ପରେ ମଧ୍ୟ ଏହାର କାରଣ ଜାଣିବା ଓ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ତନାଘନା କରାଯିବା ଭଳି ଘଟଣା ବାହାରକୁ ଜଣାପଡ଼ୁନାହିଁ । ଯଦି ରାଜ୍ୟର ଅର୍ଥନୈତିକ ବିକାଶରେ ପ୍ରମୁଖ ଅବଦାନ ରଖୁଥିବା ଅଞ୍ଚଳରେ ଅପପୁଷ୍ଟିର ଶିକାର ଶିଶୁଙ୍କ ସଂଖ୍ୟା ବଢ଼ିଚାଲେ, ବିକାଶର କେଉଁ ସଂଜ୍ଞା କୁ ଏହା ବୁଝାଇବ ? ଶିଳ୍ପସମୃଦ୍ଧ ଓ ଖଣିଜଦ୍ରବ୍ୟ ଭରପୁର ଥିବା ସ୍ଥାନରେ ଯଦି ନିମ୍ନତମ ସୋପାନରେ ସରକାରୀ ଯୋଜନା ନପହଞ୍ଚେ ତେବେ ଏଥିପାଇଁ କାହାକୁ ଦାୟୀ କରାଯିବ ? ଗମନାଗମନର ସୁବିଧା ଥିବା ଅଞ୍ଚଳରେ ସରକାରୀ ଯୋଜନା ଯଦି ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ହୁଏ ତେବେ ଦୋଷ କାହାକୁ ଦିଆଯିବ ? କ୍ରମାଗତ ଭାବେ ଯଦି ଅପପୁଷ୍ଟିର ଶିକାର ହୋଇ ଶିଶୁ ମୃତ୍ୟ ବରଣ କରନ୍ତି ତେବେ ‘ନଗଡ଼ା’ ଭଳି ଯାଜପୁର ଓ ଓଡ଼ିଶାର ମଧ୍ୟ ଅପପୁଷ୍ଟିକୁ ନେଇ ଏକ ନୂଆ ପରିଚୟ ସୃଷ୍ଟି ହେବନି ତ ?