ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୨ ଅକ୍ଟୋବର ୨୦୨୨
ଓଡ଼ିଶା ରାଜନୀତିରେ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏକ ଅସହାୟ ବୋଧତା ବାରି ହୋଇ ପଡ଼ୁଛି ବିରୋଧୀ ଦଳଙ୍କ କ୍ଷେତ୍ରରେ । କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ନିର୍ବାଚନ ହାରି ଚାଲିଛନ୍ତି ଓଡ଼ିଶାର ବିରୋଧୀ ଦଳ । ନିର୍ବାଚନୀ ସଫଳତା ପାଇବା ତ ଦୂରର କଥା ସାଧାରଣ ଲୋକଙ୍କର ଆସ୍ଥାଭାଜନ ହୋଇ ପାରୁନାହିଁ ବିରୋଧୀ ଦଳ । ଯଦି ଓଡ଼ିଶାର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ବାରମ୍ବାର ଅସଫଳତାର କାରଣ ଖୋଜିବାକୁ ଚେଷ୍ଟା କରାଯାଏ ତେବେ ଅନେକ ଗୁଡ଼ିଏ ଘଟଣା ଉପରେ ତର୍ଜମା କରିବାକୁ ହେବ ।
ଖଣି ଓ ଚିଟଫଣ୍ଡ ଦୁର୍ନୀତି ଓଡ଼ିଶାର ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ଥିଲା । ମାତ୍ର ଏହି ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ର ଆଭିମୁଖ୍ୟ ଶାଣିତ ହୋଇପାରିଲା ନାହିଁ । କିଛି ଦିନର ଆନ୍ଦୋଳନ, ବୟାନ ବାଜି ଭିତରେ ସୀମିତ ରହିଗଲେ ଦୁଇ ଦଳ । ଯାହାର ପରିଣତି ହେଲା ନିର୍ବାଚନରେ ଏହି ପ୍ରସଙ୍ଗ ଲୋକଙ୍କ ପାଖରେ ଉପସ୍ଥାପିତ ହୋଇପାରିଲା ନାହିଁ । ବିଶେଷ କରି ଖଣି ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ର କିଛି ନେତାଙ୍କର ସମ୍ପୃକ୍ତି ଦଳ ପାଇଁ ବୁମେରାଂ ହେଲା ଓ କେନ୍ଦ୍ରୀୟ ବିଜେପି ନେତାଙ୍କ ସବୁଜ ସଂକେତ ମିଳି ନପାରିବାରୁ ରାଜ୍ୟ ବିଜେପି ମଧ୍ୟ ହାତ ବାନ୍ଧି ବସିଲା । ଚିଟଫଣ୍ଡ ଦୁର୍ନୀତିରେ ଉଭୟେ ଶାସକ ଓ ବିରୋଧୀ ଦଳର ନେତାମାନେ ସମ୍ପୃକ୍ତ ଥିବାରୁ ଏହି ପ୍ରସଙ୍ଗକୁ ମଧ୍ୟ ବିରୋଧୀ ଦଳ ମାନେ ଆଗକୁ ନେଇ ପାରିଲେ ନାହିଁ, ଯାହାର ଫାଇଦା ଶାସକ ବିଜେଡି ପାଇଲା ।
ଆଉକିଛି ସମ୍ବେଦନଶୀଳ ଘଟଣାରେ ମଧ୍ୟ ଓଡ଼ିଶାରେ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ଆଭିମୁଖ୍ୟ ରାଜ୍ୟବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ପରୀ ଅପହରଣ ମାମଲା, ମମିତା ହତ୍ୟାକାଣ୍ଡ, ମାହାଙ୍ଗା ଡବଲ୍ ମର୍ଡର, କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଆଦି ଘଟଣାରେ ପୋଲିସର ତଦନ୍ତ କ’ଣ ହେଲା ତାହା ସମସ୍ତେ ଜାଣନ୍ତି । ଏହି ସବୁ ଘଟଣା ଗୁଡ଼ିକରେ ପ୍ରମୁଖ ବିରୋଧୀ ଦଳ ବିଜେପିର କିଛି ନେତା ରାସ୍ତାକୁ ଓହ୍ଲାଇଲେ ଓ ଆଉକିଛି ନେତା ନିରବତା ଅବଲମ୍ବନ କଲେ । ଗଣମାଧ୍ୟମରେ କିଛି ବୟାନ ଦେଇ ଚୁପ ବସିଗଲେ ବିଜେପିର ନେତାମାନେ । ସେହିପରି କଂଗ୍ରେସର ବରିଷ୍ଠ ନେତାମାନେ ଏହି ଘଟଣା ଠାରୁ ନିଜକୁ ଯଥେଷ୍ଟ ଦୂରେଇ ରଖିବାକୁ ଶ୍ରେୟ ମଣିଲେ । ଛାତ୍ର ଓ ଯୁବ ସଂଗଠନକୁ ଆଗକୁ ପଠାଇ ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ଏହି ଘଟଣାରେ ମୁହଁ ଖୋଲିଲେ ନାହିଁ । ଏବେ ମଧ୍ୟ ଚର୍ଚ୍ଚାରେ ଥିବା ଯୁବତୀଙ୍କ “ବ୍ଲାକମେଲ୍” ପ୍ରସଙ୍ଗରେ ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ ଓ ରାଜ୍ୟ କଂଗ୍ରେସର ବଡ଼ ବଡ଼ ନେତାମାନେ ନିଜକୁ ଦୂରେଇ ରଖିବାର ପ୍ରସ୍ତୁତିରେ ଥିବା ଭଳି ଲାଗୁଛି । ଏହି ଘଟଣାରେ ଶାସକ ଦଳ ନେତାଙ୍କ ସହ ବିରୋଧୀ ଦଳ ନେତାଙ୍କ ସମ୍ପୃକ୍ତି ଖବର ଗଣମାଧ୍ୟମରେ ଆସିବା ପରେ ସତେ ଯେମିତି ରାଜ୍ୟ ରାଜନୀତିରେ ଝଡ଼ ପୂର୍ବର ନିରବତା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପିର ପ୍ରଭାବଶାଳୀ ନେତା ତଥା କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ସଭାପତି, ସାଂସଦ ଓ ବିଧାୟକ ଆଦି ଏହି ଘଟଣାରେ ମୁହଁ ନଖୋଲି ମହିଳା ସଂଗଠନର ନେତ୍ରୀ ମାନଙ୍କ ଦ୍ୱାରା କିଛି ବୟାନ ଗଣମାଧ୍ୟମରେ ଛାଡ଼ିଦେଇଛନ୍ତି । ସେହିପରି କଂଗ୍ରେସର ରାଜ୍ୟ ସଭାପତିଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ନେତାମାନେ ମଧ୍ୟ ଆଗକୁ ନଆସି ଛାତ୍ର ଓ ଯୁବ ସଙ୍ଗଠନକୁ ଗଣମାଧ୍ୟମର ସାମ୍ନା କରିବାକୁ ପଠାଉଛନ୍ତି ।
କାହିଁକି ଏହି ଘଟଣାରେ ବିଜେପି ଓ କଂଗ୍ରେସର ନେତୃତ୍ୱ ମୁହଁ ଖୋଲିବାକୁ ଭୟ କରୁଛି ? ନିଜ ନେତାଙ୍କ ସମ୍ପୃକ୍ତିର ଭୟ ନା ଆଉ କିଛି …? କୁଆଡ଼େ ଗଲେ ବିଜେପିର ପ୍ରଭାବଶାଳୀ କେନ୍ଦ୍ର ମନ୍ତ୍ରୀ ଓ ଟାଣୁଆ ସାଂସଦ ? ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ସକ୍ରିୟ ଥିବା ଏହି ବିଜେପି ନେତାମାନେ ନିରବ କାହିଁକି ? ବିରୋଧୀଙ୍କ ସ୍ୱର କ୍ଷୀଣ ହୋଇଯିବାର ଏହା ସଂକେତ ନୁହେଁ ତ ? ବିରୋଧୀ ଦଳର ଅସହାୟ ବୋଧତାକୁ ଏହା ପରିପ୍ରକାଶ କରୁନାହିଁ କି ? ତେବେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀ ଦଳର ଆଭିମୁଖ୍ୟକୁ ନେଇ ଏବେ ଯେଉଁ ଚର୍ଚ୍ଚା ହେଉଛି ତାହା ହେଉଛି “ଅସହାୟ ବୋଧତା” ଅପେକ୍ଷା “ନିରାପଦ ଦୂରତା” କୁ ଅଧିକ ପସନ୍ଦ କରୁଛନ୍ତି ବିଜେପି ଓ କଂଗ୍ରେସ । ଯଦି ଏହା ସତ ହୋଇଥାଏ ତେବେ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶା ବିରୋଧୀ ମୁକ୍ତ ହେବାକୁ ଯାଉନାହିଁ ତ ?