ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୩ ମାର୍ଚ୍ଚ ୨୦୨୩
ରାଜ୍ୟର ଅନେକ ଗୁଡ଼ିଏ ଅପରାଧିକ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥାଏ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚକୁ । ଅନେକ ସମୟରେ ଯେଉଁ ଅପରାଧିକ ଘଟଣା ଗୁଡ଼ିକର ପୃଷ୍ଠଭୂମି ସଂପର୍କରେ ପୋଲିସ ତଦନ୍ତରେ ବିଳମ୍ବ ହୁଏ ଓ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୁଏ, ସେତିକି ବେଳେ ରାଜ୍ୟ ସରକାର ଘୋଷଣା କରନ୍ତି ଯେ, ସେହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତରେ ନ୍ୟସ୍ତ କରାଗଲା । ଏହି ଘୋଷଣା ପରେ ରାଜନୈତିକ ହୋହଲ୍ଲା କମିଯାଏ ଓ ସରକାର ମଧ୍ୟ ଶାନ୍ତିରେ ବସି ଯାଆନ୍ତି। ଏପରିକି ରାଜ୍ୟର ଜନସାଧାରଣଙ୍କ ମଧ୍ୟରେ ଏଭଳି ଏକ ଧାରଣା ରହିଛି ଯେ, ରାଜ୍ୟର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ହାତକୁ ଯେଉଁ ମାମଲା ଗୁଡ଼ିକ ଯାଏ, ତାର ଫଳାଫଳ ଶୀଘ୍ର ଜଣାପଡ଼ିବ ଓ ଦୋଷୀ ମଧ୍ୟ ସହଜରେ ଖସି ପାରିବ ନାହିଁ । ଏପରିକି ନିକଟରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର ତଦନ୍ତ ସିବିଆଇକୁ ଦେବାକୁ ବିରୋଧୀ ବିଜେପି ଦାବୀ କରୁଥିବା ବେଳେ କଂଗ୍ରେସର ଦାବୀ ଥିଲା ଏସ୍ଆଇଟି ମାଧ୍ୟମରେ ଏହାର ତଦନ୍ତ କରାଯାଉ । ମାତ୍ର ରାଜ୍ୟସରକାର ଏହି ମାମଲାକୁ ମଧ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି । ଏହି ମାମଲାର ତଦନ୍ତକୁ ୫୦ ଦିନରୁ ଅଧିକ ସମୟ ବିତିଗଲା ପରେ ମଧ୍ୟ ହତ୍ୟାର କାରଣ ଏବେବି ରହସ୍ୟ ଘେରରେ ରହିଛି । ତେବେ ଏହି ଘଟଣାର ତଦନ୍ତ ପ୍ରକ୍ରିୟାରେ କାହିଁକି ବିଳମ୍ବ ହେଉଛି ? କ୍ରାଇମବ୍ରାଞ୍ଚ ଭଳି ସରକାରଙ୍କର ବିଶ୍ୱସନୀୟ ସଂସ୍ଥା ଏଥିରେ ବିଳମ୍ବ କରିବାର କାରଣ କ’ଣ ? ତଦନ୍ତ ପ୍ରକ୍ରିୟାକୁ ଆଉ କେତେ ସମୟ ଲାଗିବ ? ଏଭଳି ପ୍ରଶ୍ନର ଉତ୍ତର ମିଳିଯିବ ଯଦି ଆମେ ଏହି ବିଶ୍ୱସନୀୟ ସଂସ୍ଥାର ବିଗତ ଦିନର ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ଉପରେ ନରର ପକାଇବା ।
ଚଳିତ ବିଧାନସଭାର ଅଧିବେଶନରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ରାଇମବ୍ରାଞ୍ଚର ସଫଳତା ନେଇ ବିଗତ ୮ ବର୍ଷର ଏକ ତଥ୍ୟ ରଖିଛନ୍ତି । ଏହି ତଥ୍ୟ ଉପରେ ଯଦି ଆମେ ନଜର ପକାଇବା ତେବେ ତାହା ଏହିପରି ।
୨୦୧୪ ମସିହାରୁ ୨୦୨୩ ଫେବୃଆରୀ ଶେଷ ସୁଦ୍ଧା କ୍ରାଇମବ୍ରାଞ୍ଚ ପାଖକୁ ଯାଇଛି ୧୮୯ ଟି ମାମଲା । ଯେଉଁଥିରେ ୬୨ ଟି ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ କରିଥିବା ବେଳେ ୩୮ ଟି ମାମଲାରେ ଫାଇନାଲ ରିପୋର୍ଟ ଦେଇଛି । ଏହି ମାମଲା ମଧ୍ୟରୁ ଏବେବି ଆହୁରି ୮୬ଟି ମାମଲାର ତଦନ୍ତ ଚାଲିଛି । ୨୦୧୮ ମସିହା ପରଠାରୁ ମାମଲା ଗୁଡ଼ିକର ଚାର୍ଜସିଟ୍, ଫାଇନାଲ ରିପୋର୍ଟ ସଂଖ୍ୟା କମି ଯାଇଥିବା ବେଳେ ତଦନ୍ତ ଚାଲିଥିବା ମାମଲାର ସଂଖ୍ୟା ବଢ଼ିଚାଲିଛି । ଏପରିକି ଏହି ୬ ବର୍ଷରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ୯୪ଟି ମାମଲା ମଧ୍ୟରୁ ୧୩ଟି ରେ ଚାର୍ଜସିଟ୍ ଦେଇଥିବା ବେଳେ ୧୪ଟି ର ଫାଇନାଲ ରିପୋର୍ଟ ଦେଇଛି ଓ ୮୬ଟି ମାମଲାର ତଦନ୍ତ ଶେଷ ହୋଇପାରି ନାହିଁ ।
ଏହି ମାମଲା ମଧ୍ୟରେ ରହିଛି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଓ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ। ଏଣୁ କ୍ରାଇମବ୍ରାଞ୍ଚର ସଫଳତାର ହାର ଯାହା ସୂଚାଉଛି, ଏହି ମାମଲାର ଫଳାଫଳ ମଧ୍ୟ ତାହା ଉପରେ ଅନେକାଂଶରେ ନିର୍ଭର କରେ ।
ଏବେ ଏହି ସରକାରୀ ତଥ୍ୟ କ୍ରାଇମବ୍ରାଞ୍ଚର ସଫଳତାର ହାର ବାବଦରେ କି ବାର୍ତ୍ତା ଦେଉଛି ? କ୍ରାଇମବ୍ରାଞ୍ଚ ହାତରେ ସରକାର ନ୍ୟସ୍ତ କରୁଥିବା ମାମଲା ଗୁଡ଼ିକର ତଦନ୍ତରେ କାହିଁକି ବିଳମ୍ବ ହେଉଛି ? ତଦନ୍ତ ପ୍ରକ୍ରିୟା ସାରିବା ତ ଦୂରର କଥା ଏହାର ଚାର୍ଜସିଟ ମଧ୍ୟ କ୍ରାଇମବ୍ରାଞ୍ଚ ନଦେଇ ପାରିବାର କାରଣ କ’ଣ ? ତଦନ୍ତ ପ୍ରକ୍ରିୟାରେ ସରକାରୀ ହସ୍ତକ୍ଷେପ ନା ଦକ୍ଷ ତଦନ୍ତକାରୀ ଅଧିକାରୀଙ୍କ ଅଭାବ କ୍ରାଇମବ୍ରାଞ୍ଚର ଏହି ଅଲୋଡ଼ା ରେକର୍ଡ଼ ପାଇଁ ଦାୟୀ ? ଏହିଭଳି ଭାବେ କ୍ରାଇମବ୍ରାଞ୍ଚର ତଦନ୍ତ ଯଦି ବିଳମ୍ବ ହୁଏ ତେବେ ଜନସାଧାରଣଙ୍କର ବିଶ୍ୱାସ କ୍ରାଇମବ୍ରାଞ୍ଚ ଉପରେ ରହିବ ତ ?