ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୩ ମଇ ୨୦୨୩
ନିକଟରେ ଓଡ଼ିଶା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶା ବିଜେପି ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ବ୍ଲୁପ୍ରିଣ୍ଟର ମୂଳ ଲକ୍ଷ୍ୟ ହେଉଛି ୨୦୨୪ରେ ଓଡ଼ିଶାକୁ ବିଜେଡି ଶାସନରୁ ମୁକ୍ତ କରିବା । ଏହି ବ୍ଲୁପ୍ରିଣ୍ଟ ମୁତାବକ ରାଜ୍ୟଶାସନରେ ହେଉଥିବା ଦୁର୍ନୀତିର ପର୍ଦ୍ଦାଫାସ କରିବାସହ କେନ୍ଦ୍ର ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାକୁ ପ୍ରତି ଘରେ ପହଞ୍ଚାଇବାର ଯୋଜନା କରିଛି ଦଳ । ଗରିବ, ମଧ୍ୟବିତ୍ତ ଓ ଯୁବ ଭୋଟରଙ୍କୁ ଟାର୍ଗେଟରେ ରଖିଛି ବିଜେପି । ଏନେଇ ଆସନ୍ତା ମେ ୨୯ ତାରିଖରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପି ଦଳ ତରଫରୁ ଗାଁ ଗାଁ ବୁଲି ପ୍ରଚାର କରିବାର ନିଷ୍ପତ୍ତି ନିଆଯାଇଛି ।
ରାଜ୍ୟ ବିଜେପିର ପ୍ରମୁଖ ପ୍ରସଙ୍ଗ ମଧ୍ୟରେ ରାଜ୍ୟରେ ବେରୋଜଗାର, କୁପୋଷଣ, ମହାପ୍ରଭୁଙ୍କ ମନ୍ଦିର ବିଭ୍ରାଟ, ୫ଟି ରୂପାନ୍ତରଣ ନାଁ ରେ ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ସୀମା ବିବାଦ ଓ କୋଟିଆ ପ୍ରସଙ୍ଗ ଆଦି ସ୍ଥାନ ପାଇଛି । ଏପରିକି କେନ୍ଦ୍ର ସରକାରଙ୍କ ଓଡ଼ିଶା ବିକାଶ ପ୍ରତି ଧ୍ୟାନ ଦେଇଥିବା ପ୍ରସଙ୍ଗ ଗୁଡ଼ିକୁ ମଧ୍ୟ ଲୋକମାନଙ୍କୁ ଅବଗତ କରାଯିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଆସନ୍ତା ୪ ମାସ ମାସ ପାଇଁ ଦଳର ରୋଡମ୍ୟାପ୍ ମଧ୍ୟ ପ୍ରସ୍ତୁତ ହୋଇଛି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ବଡ଼ ପ୍ରଶ୍ନ ହେଉଛି ବିଜେଡି ମୁକ୍ତ ଓଡ଼ିଶାର ସ୍ବପ୍ନ ରାଜ୍ୟ ବିଜେପି ଦେଖି ପାରିବା ଭଳି ସ୍ଥିତିରେ ଅଛି କି ? ବିଜେପିର ଏହା ଯୋଜନା ନା ସ୍ବପ୍ନ ? ସ୍ବପ୍ନ ପୁରଣ ପାଇଁ ଓଡ଼ିଶା ବିଜେପିର ସାମର୍ଥ୍ୟ ଅଛି ତ ? ଏଭଳି ପ୍ରଶ୍ନ ଗୁଡ଼ିକର ଉତ୍ତର ଖୋଜିବାକୁ ଚେଷ୍ଟା କଲେ ଓଡ଼ିଶା ବିଜେପିର ସଂଗଠନର ସ୍ଥିତି ଓ ନେତୃତ୍ବର ସଫଳତା ବାବଦରେ ଚିନ୍ତା କରିବାକୁ ପଡ଼ିବ । ବିଗତ ଦିନରେ ରାଜ୍ୟ ବିଜେପି ମିଶନ-୧୨୦ ସ୍ବପ୍ନ ଦେଖିଥିଲା ଓ ତାହା ମାତ୍ର ୨୩ ଜଣ ବିଧାୟକଙ୍କୁ ଜିତାଇବାରେ ସୀମିତ ହୋଇ ରହିଲା । ୨୦୧୯ ପରଠାରୁ ହୋଇଥିବା ସମସ୍ତ ଉପନିର୍ବାଚନରେ ଧାମନଗରକୁ ଛାଡ଼ିଦେଲେ ଅନ୍ୟ ଗୁଡ଼ିକରେ ଦଳର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇଛି । ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନରେ ରାଜ୍ୟ ବିଜେପିର ସାମର୍ଥ୍ୟ ମଧ୍ୟ ଓଡ଼ିଶାବାସୀ ଦେଖି ସାରିଛନ୍ତି । ଏପରିକି ୨୦୧୭ ପଞ୍ଚାୟତ ନିର୍ବାଚନ ଠାରୁ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନର ଫଳାଫଳ ଆହୁରି ନୈରାଶ୍ୟ ଜନକ ହୋଇଛି । ରାଜ୍ୟର ପ୍ରମୁଖ ନେତାମାନଙ୍କ ମଧ୍ୟରେ ସମନ୍ବୟର ଘୋର ଅଭାବ ରହିଛି । ଦଳର ଏକାଧିକ ନେତାଙ୍କର ଏକାଧିକ ଗୋଷ୍ଠୀ ରହିଛି ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଏମାନଙ୍କ ସମର୍ଥକ ମାନେ ନିଜ ନିଜର ନେତାଙ୍କୁ ଭାବୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ଆରମ୍ଭ କରିଦେଇଛନ୍ତି । ଏପରିକି ନବ ନିଯୁକ୍ତ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱ ପଛରେ ମଧ୍ୟ ପୁରା ଦଳର ସମର୍ଥନ ନଥିବା ଭଳି ମନେହୁଏ । ବିଜେପିର ରାଜ୍ୟ ନେତୃତ୍ୱ ଯିଏ ନିଅନ୍ତୁ ନା କାହିଁକି ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ନେତା ଭାବରେ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛାଡ଼ି ବିଜେପିର ସଫଳତା କଥା ଚିନ୍ତା କରାଯାଇ ନପାରେ ।
ଏଣୁ ଏଭଳି ସ୍ଥିତିରେ ରାଜ୍ୟ ବିଜେପିର ସ୍ବପ୍ନ କ’ଣ ସାକାର ହେବ ? ପ୍ରଭାରୀ ସୁନୀଲ ବଂଶଲଙ୍କ ରଣନୀତି କ’ଣ ଏକାଧିକ ଗୋଷ୍ଠୀରେ ବିଭକ୍ତ ନେତାଙ୍କୁ ଏକାଠି କରିପାରିବ ? ନିର୍ବାଚନ ଜିତିବାର କଳା ଓ କୌଶଳରେ ପାରଙ୍ଗମ ଥିବା ବିଜେଡିକୁ ବିଜେପି କ’ଣ ହଟାଇ ପାରିବ ? ନା ରାଜ୍ୟ ବିଜେପିର ଏହି ନୂଆ ସ୍ବପ୍ନ ପୁଣି ଆଗରୁ ଦେଖିଥିବା ସ୍ୱପ୍ନର ତାଲିକାରେ ଯୋଡ଼ି ହୋଇ ରହିଯିବ…?