• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

କେନ୍ଦ୍ରୀୟ ଅବହେଳା ରିଟର୍ଣ୍ଣସ୍…

କେନ୍ଦ୍ରୀୟ ଅବହେଳା ରିଟର୍ଣ୍ଣସ୍…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୦ ଡିସେମ୍ବର ୨୦୨୨

ସାଢ଼େ ୩ବର୍ଷର ବ୍ୟବଧାନ ପରେ ପୁଣି ଶୁଭିଛି କେନ୍ଦ୍ରୀୟ ଅବହେଳାର ସ୍ୱର। କେନ୍ଦ୍ରାପଡ଼ାରେ ବିକ୍ଷୋଭ ପରେ ରାଜଧାନୀ ଭୁବନେଶ୍ୱରରେ ଶାସକ ବିଜେଡିର ସାମ୍ବାଦିକ ସମ୍ମିଳନୀ । ଏକାଥରକେ ୪ଜଣ ବିଜେଡି ବିଧାୟକ ପାରାଦ୍ବୀପ-ହରିଦାସପୁର ରେଳ ଲାଇନରେ କେବେ ଗଡ଼ିବ ପାସେଞ୍ଜର ଟ୍ରେନ ଏହି ପ୍ରଶ୍ନ ପଚାରିଛନ୍ତି କେନ୍ଦ୍ର ସରକାରଙ୍କୁ । ହଠାତ୍ କେନ୍ଦ୍ର ଅବହେଳାର ସ୍ୱର କାହିଁକି ଉଠିଲା ? ୨୦୧୯ ସାଧାରଣ ନିର୍ବାଚନ ପରେ ଶାସକ ଦଳର କେନ୍ଦ୍ର ବିରୋଧୀ ସ୍ୱର ନଶୁଭିବାର କାରଣ କ’ଣ ଥିଲା ? ଏବେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗର ଆବଶ୍ୟକତା ବିଜେଡି ଅନୁଭବ କଲା କାହଁକି ?

ପ୍ରଥମ ଥର ପାଇଁ ପଦ୍ମପୁର ଉପନିର୍ବାଚନ ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ସରକାରଙ୍କୁ ସମାଲୋଚନା କଲେ । ବିଜେଡି ସହଯୋଗରେ ରାଜ୍ୟସଭାକୁ ଯାଇ ମନ୍ତ୍ରୀ ହେବାପରେ ଅଶ୍ୱିନୀ କେବେବି ବିଜେଡି ନେତୃତ୍ୱ ଅବା ଓଡ଼ିଶାର ସରକାରଙ୍କ ବିରୋଧରେ ପାଟି ଫିଟାଇ ନଥିଲେ । ଏପରିକି ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବା ପରେ ପାର୍ଲାମେଣ୍ଟରେ ଆସିଥିବା ରେଳ ବଜେଟକୁ ନେଇ ମଧ୍ୟ ବିଜେଡିର ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ କେହି ରେଳବାଇ ଅବହେଳା ପ୍ରସଙ୍ଗରେ ପାଟି ଫିଟାଇ ନଥିଲେ । ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବାପରେ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନର କାର୍ଯ୍ୟ ସମୀକ୍ଷା କରିବାବେଳେ ମଧ୍ୟ ବିଜେଡି ନେତାମାନେ ତାଙ୍କୁ ସମାଲୋଚନା କରିବା ତ ଦୂରର କଥା, ସାଧାରଣ ପ୍ରଶ୍ନ ଟିଏ ମଧ୍ୟ ପଚାରିବାକୁ ସାହସ ଜୁଟାଇ ପାରିନଥିଲେ । ରାଜ୍ୟର କୌଣସି ଗଣମାଧ୍ୟମରେ ମଧ୍ୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରେଳ ବିଭାଗ ବାବଦରେ ଶାସକ ବିଜେଡିର ନେତାମାନେ ପଦୁଟିଏ ଅଭିଯୋଗ ମଧ୍ୟ କରିନଥିଲେ । ଜମି ଅଧିଗ୍ରହଣ ହୋଇପାରୁନାହିଁ କହିବା ପରେ ବିଜେଡିର ନେତାଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଘେରିବା ଆରମ୍ଭ କରିଛନ୍ତି ।

କେନ୍ଦ୍ରାପଡ଼ାକୁ ବହୁ ବିଳମ୍ବରେ ରେଳ ଲାଇନ ଯାଇଥିଲେ ମଧ୍ୟ ବିଜେଡି ନେତାମାନଙ୍କ ଏଭଳି ବିରୋଧ ଓ କେନ୍ଦ୍ର ବିରୋଧୀ ସ୍ଵରର ତୀବ୍ରତା ନଜରକୁ ଆସିନଥିଲା । ରେଳ ଲାଇନ ସଂଯୋଗୀକରଣ କ୍ଷେତ୍ରରେ ଯେ କେହିବି ସ୍ୱୀକାର କରିବେ ଯେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ରେଳପଥର ବିକାଶ ହୋଇପାରିନାହିଁ ବୋଲି । ୫୦ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଅନେକ ପ୍ରକଳ୍ପ ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ । ମାତ୍ର ଲମ୍ବା ସମୟ ଧରି ଓଡ଼ିଶାରେ ଶାସନ କ୍ଷମତାରେ ଥିବା ବିଜେଡି ଏହି ପ୍ରସଙ୍ଗକୁ ପୂର୍ବରୁ ଉଠାଇଥିଲେବି ଗତ ୩ବର୍ଷ ଧରି ସମ୍ପୂର୍ଣ୍ଣ ଭାବେ ନିଜକୁ ଏହି ପ୍ରସଙ୍ଗ ଠାରୁ ଦୂରେଇ ରଖିଥିଲା । ରେଳବାଇ ବଜେଟ ପରର ପ୍ରତିକ୍ରିୟା ମଧ୍ୟ ଶାସକ ଦଳର ନେତାଙ୍କ ମୁହଁରୁ ଶୁଣିବାକୁ ମିଳୁନଥିଲା । ପୁନର୍ବାର ରେଳବାଇ କ୍ଷେତ୍ରରେ ଅବହେଳା ପ୍ରସଙ୍ଗ ଉଠାଇ ବିଜେଡି କେନ୍ଦ୍ର ବିରୋଧରେ ମୁହଁ ଖୋଲିବା ଏବେ ଏକ ଭିନ୍ନ ବାର୍ତ୍ତା ଦେଇଛି। ପଦ୍ମପୁର ଉପନିର୍ବାଚନ ସମୟରେ ୪ଜଣ କେନ୍ଦ୍ର ମନ୍ତ୍ରୀ ଏକା ସାଙ୍ଗରେ ଓଡ଼ିଶା ସରକାରଙ୍କୁ ତୀବ୍ର ସମାଲୋଚନା କରିବା ଘଟଣା ବାଧ୍ୟ କଲା ବିଜେଡିକୁ କେନ୍ଦ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲିବା ପାଇଁ । କେନ୍ଦ୍ର ସରକାରଙ୍କ ବିରୋଧରେ ବହୁଦିନ ପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉପନିର୍ବାଚନ ସମୟରେ ।

ଏବେ ପୁଣି ଶାସକ ବିଜେଡି କେନ୍ଦ୍ରୀୟ ଅବହେଳା କାର୍ଡ଼କୁ ଖେଳିବା ଆରମ୍ଭ କରିଛି । ପ୍ରଥମେ ରେଳବାଇ ଅବହେଳା ବିରୋଧରେ ସ୍ୱର ଉତ୍ତୋଳନ କରି କେନ୍ଦ୍ର ସରକାରଙ୍କୁ ଆହ୍ୱାନ ଦେଇଛି ବିଜେଡି । ୨୦୧୯ ନିର୍ବାଚନ ପରେ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସର ଦରବୃଦ୍ଧି ତଥା ଖାଉଟି ସାମଗ୍ରୀର ଦରଦାମ ବଢ଼ିବା ଆଦିକୁ ପ୍ରସଙ୍ଗ ଭାବରେ ଗୌଣ କରିଦେଇଥିଲା ବିଜେଡି । ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପ୍ରତି କୋହଳ ମନୋଭାବ ପୋଷଣ କରିଚାଲିଥିଲେ ବିଜେଡିର ନେତାମାନେ । ହଠାତ୍ ଧାମନଗର ଉପନିର୍ବାଚନ ହାରିବା ପରେ ବିଜେଡିର ନେତୃତ୍ୱ ପୁଣି ପଛକୁ ଫେରିଥିଲା ଓ କେନ୍ଦ୍ର ସରକାରଙ୍କ ପ୍ରତି ଥିବା ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଲା । କେବଳ ରେଳବାଇ ନୁହେଁ ବରଂ ଅନେକ କେନ୍ଦ୍ରୀୟ ଯୋଜନାର ବାକିଥିବା ରାଜ୍ୟର ପ୍ରାପ୍ୟ ବାବଦକୁ ଅର୍ଥ ପାଇବା ପାଇଁ ମଧ୍ୟ ବିଜେଡିର ସାଂସଦ ମାନେ କେନ୍ଦ୍ର ମନ୍ତ୍ରୀ ମାନଙ୍କ ପାଖକୁ ଯାଇ ସ୍ମାରକ ପତ୍ର ଦେବାର ପର୍ବ ଆରମ୍ଭ ହୋଇଛି ।

ବେଶ୍ କିଛି ଦିନ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ କେନ୍ଦ୍ରୀୟ ଅବହେଳା ବାବଦରେ ଭୁଲିଯାଇଥିବା ବିଜେଡିର ଏହି ଆଭିମୁଖ୍ୟ ବଦଳିଲା କାହିଁକି ? ଓଡ଼ିଶାର ରାଜନୈତିକ ସ୍ଥିତିରେ କିଛି ପରିବର୍ତ୍ତନ ହେବାକୁ ଯାଉନି ତ ? ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ଶାସକ ବିଜେଡି ଭୟଭୀତ ହୋଇଯାଇନି ତ ? ବିଜେପି ପକ୍ଷରୁ ବିପଦର ଆଶଙ୍କା କରି ଆଗୁଆ କେନ୍ଦ୍ରୀୟ ଅବହେଳାକୁ ଆତ୍ମରକ୍ଷା କୌଶଳ ଭାବେ ବିଜେଡି ବ୍ୟବହାର କରିବାକୁ ଚାହୁଁଛି କି ? ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିର ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲଙ୍କ ପରିବର୍ତ୍ତିତ ରଣନୀତି କେନ୍ଦ୍ରୀୟ ବିଜେପି ନେତାଙ୍କ ଓଡ଼ିଶା ଦଖଲ ଉଦ୍ୟମ ବୋଧହୁଏ ବିଜେଡିକୁ ବାଧ୍ୟ କରିଛି ପୁରୁଣା ଅନ୍ଦାଜକୁ ଫେରିବାପାଇଁ । ତେବେ କାରଣ ଯାହା ହୋଇଥାଉନା କାହିଁକି, ଆଗାମୀ ସମୟରେ ଏକ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବିଜେଡି ପୁଣି କେନ୍ଦ୍ରୀୟ ଅବହେଳାକୁ ଏକ ମୁଖ୍ୟ ପ୍ରସଙ୍ଗ ଭାବେ ବଞ୍ଚାଇ ରଖିବ ଏହି ସଂକେତ ଏଥିରୁ ମିଳିଯାଇଛି ।

Nirvik Bureau

Nirvik Bureau

Related Posts

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?
Politics

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

by Nirvik Bureau
September 6, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୬ ସେପ୍ଟେମ୍ବର ୨୦୨୬ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର...

Read more
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.