• About
  • Contact
Monday, September 14, 2026
Monday, September 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

କିଏ କାହା ପାଇଁ ଷ୍ଟାର୍ ?

କିଏ କାହା ପାଇଁ ଷ୍ଟାର୍ ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୧ ନଭେମ୍ବର ୨୦୨୨

ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବା ପାଇଁ ୩ଟି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ଷ୍ଟାର ପ୍ରଚାରକ ତାଲିକା ଜାରି କରିଛନ୍ତି । ଏହି ତାଲିକାରେ ୪୦ଜଣ ଲେଖାଏ ଷ୍ଟାର ପ୍ରଚାରକ ରହିଛନ୍ତି । ଯେଉଁମାନଙ୍କ ପ୍ରଚାର ବଳରେ ଦଳମାନେ ଭୋଟର ମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ ବୋଲି ଆଶା ବାନ୍ଧିଛନ୍ତି । ସତରେ କ’ଣ ଆଜିକାଲି ନିର୍ବାଚନରେ ଷ୍ଟାର ପ୍ରଚାରକ ମାନଙ୍କ ଦ୍ୱାରା ଭୋଟର ମାନେ ଆକର୍ଷିତ ହେଉଛନ୍ତି? ଷ୍ଟାର ପ୍ରଚାରକ ହେବାପାଇଁ ରାଜନୈତିକ ଦଳ ଗୁଡ଼ିକର କ’ଣ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି କି? ଲୋକପ୍ରିୟ ନା ବିବାଦୀୟ ନେତା କିଏ ଭୋଟର ମାନଙ୍କୁ ଅଧିକ ଆକର୍ଷିତ କରିପାରିବେ?

ଓଡ଼ିଶାର ଏହି ପ୍ରମୁଖ ରାଜନୈତିକ ଦଳ ଜାରି କରିଥିବା ଷ୍ଟାର ପ୍ରଚାରକ ତାଲିକା ଉପରେ ନଜର ପକାଇଲେ ସ୍ପଷ୍ଟ ଭାବେ ବୁଝାପଡ଼ିବ ଯେ, ବିଜେଡିର ଏକମାତ୍ର ଷ୍ଟାର ପ୍ରଚାରକ କେବଳ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଏକାଧିକ ଷ୍ଟାର ପ୍ରଚାରକ ରହିଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ମୁଖ୍ୟ ଆକର୍ଷଣ । କଂଗ୍ରେସର ସେହିପରି କୌଣସି ନିର୍ଦ୍ଦିଷ୍ଟ ଚେହେରା ନଥିଲେ ମଧ୍ୟ ମିଳିତ ଭାବେ ଦଳର ପୁରୁଣା ନେତା ମାନେ ହିଁ ଦଳ ପାଇଁ ଷ୍ଟାର ପ୍ରଚାରକ କାର୍ଯ୍ୟ ତୁଲାଇବେ।

ବିଜେଡି ଷ୍ଟାର ପ୍ରଚାରକ ତାଲିକାରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ୨ୟ ସ୍ଥାନରେ ଥିବାବେଳେ ବାଦ ପଡିଛନ୍ତି ତାଙ୍କ ଟିମ୍ ଯାଜପୁରର ସଦସ୍ୟ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ପ୍ରମିଳା ମଲ୍ଲିକ ଓ ବିଧାୟକ ପ୍ରଣବ ବଳବନ୍ତ ରାୟ । ସେହିପରି ଧାମନଗର ଉପନିର୍ବାଚନରେ ପ୍ରଣବ ପ୍ରକାଶ ଦାସଙ୍କ ଅନ୍ୟତମ ସହଯୋଗୀ ଥିବା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ମଧ୍ୟ ଏହି ତାଲିକାରେ ସ୍ଥାନ ମିଳିନାହିଁ । ଏହି ତାଲିକାରେ ସ୍ଥାନ ପାଇଥିବା ନେତା ମାନଙ୍କ ମଧ୍ୟରେ ଅଛନ୍ତି ଧାମନଗର ଉପନିର୍ବାଚନ ବେଳେ ବାଦ ପଡ଼ିଥିବା, ତଥା ବିବାଦୀୟ ହୋଇପଡ଼ିଥିବା ବିଧାୟକ ପ୍ରତାପ ଜେନା, ବିଧାୟକ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର, ମନ୍ତ୍ରୀ ସମୀର ରଞ୍ଜନ ଦାସ । ନୂଆ କରି ଷ୍ଟାର ପ୍ରଚାରକ ମାନ୍ୟତା ପାଇଛନ୍ତି କଂଗ୍ରେସରୁ ଆମଦାନୀ ହୋଇଥିବା ନେତା ପ୍ରଦୀପ ମାଝୀ । ଏମାନଙ୍କ ପରି ଅର୍ଚ୍ଚନା ନାଗ ମାମଲାରେ ସନ୍ଦେହ ପରିସରରେ ଥିବା କିଛି ନେତା ମଧ୍ୟ ସାମିଲ ଅଛନ୍ତି ।

ସେହିପରି ବିଜେପିର ଷ୍ଟାର ପ୍ରଚାରକ ତାଲିକା ଉପରେ ନଜର ପକାଇଲେ ଯାହା ଜଣାପଡୁଛି ଏହି ତାଲିକାରେ ଧାମନଗର ଉପନିର୍ବାଚନ ତାଲିକା ଠାରୁ ବଡ଼ ପରିବର୍ତ୍ତନ କିଛି ଦଳ କରିନାହିଁ। କେବଳ ଆଦିବାସୀ ଭୋଟ ଗୋଟେଇବା ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଦଳ ସାମିଲ କରିଛି । ଧର୍ମେନ୍ଦ୍ର ପ୍ରଧାନ କ୍ୟାମ୍ପର ବିରୋଧୀ ଭାବେ ଜଣାଶୁଣା ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିଜର ସ୍ଥାନ ବଜାଇ ରଖିଛନ୍ତି । ବାଲେଶ୍ୱର ଉପନିର୍ବାଚନରେ ବିବାଦୀୟ ହୋଇଥିବା ଜଣେ ଯୁବ ନେତାଙ୍କୁ ବାଦ ଦିଆଯାଇଥିବା ବେଳେ ଜଣେ ନେତ୍ରୀଙ୍କୁ ଭୁବନେଶ୍ୱରରେ ରହି କାର୍ଯ୍ୟାଳୟର ଦାୟିତ୍ୱ ସମ୍ଭାଳିବା ପାଇଁ କୁହାଯାଉଥିବା ଜଣାପଡ଼ିଛି । ତେବେ ଅର୍ଚ୍ଚନା ନାଗ ମାମଲାରେ ଗଣମାଧ୍ୟମରେ ଚର୍ଚ୍ଚାର ପରିସରକୁ ଆସିଥିବା ବରିଷ୍ଠ ନେତା କେ.ଭି. ସିଂହଦେଓ ମଧ୍ୟ ଏହି ତାଲିକାରେ ସ୍ଥାନ ବଜାଇ ରଖିବାରେ ସମର୍ଥ ହୋଇଛନ୍ତି । ଧାମନଗର ଉପନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଓ ବରିଷ୍ଠ ନେତା ମନମୋହନ ସାମଲ ଏହି ତାଲିକାରେ ଥିବାବେଳେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ବରିଷ୍ଠ ନେତା ଖାରବେଳ ସ୍ୱାଇଁଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ଦେଇନାହିଁ।

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ପ୍ରାୟତଃ ଧାମନଗର ଉପନିର୍ବାଚନର ଯାହା ରହିଥିଲା ପଦ୍ମପୁର ଉପନିର୍ବାଚନ ପାଇଁ ସମାନ ରହିଛି । ପିସିସି ସଭାପତି ସମସ୍ତ ବରିଷ୍ଠ ନେତାଙ୍କ ସହ ପଶ୍ଚିମ ଓଡ଼ିଶା କଂଗ୍ରେସର ବରିଷ୍ଠ ଓ ଯୁବ ନେତାଙ୍କ ଉପରେ ଅଧିକ ନିର୍ଭରଶୀଳ ହୋଇଥିବା ମନେହୁଏ।

ତେବେ ଷ୍ଟାର ପ୍ରଚାରକ ତାଲିକାକୁ ଅଧିକ ଅନୁଶୀଳନ କରାଗଲେ ବୁଝାପଡ଼େ ଯେ, ଶାସକ ବିଜେଡିର ଏକ ମାତ୍ର ଷ୍ଟାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କାରଣ ତାଙ୍କ ନାଁରେ ନିର୍ବାଚନରେ ପ୍ରାର୍ଥୀ ଜିତନ୍ତି ଓ ଦଳ ମଧ୍ୟ ଜିତେ । ସେହିପରି ବିଜେପି ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜର ପ୍ରମୁଖ ଷ୍ଟାର କ୍ୟାମ୍ପେନର ମାନ୍ୟତା ଦେଇଥିବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଲୋକପ୍ରିୟତା ରହିଛି । ଆଦିବାସୀ ଭୋଟରଙ୍କୁ ପ୍ରଭାବିତ କରିବାପାଇଁ ଯଦି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆସନ୍ତି ଓ ତାଙ୍କ ସହିତ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରଚାରରେ ଦାୟିତ୍ୱ ସମ୍ଭାଳିବେ ତାହେଲେ ବିଜେପିକୁ କିଛି ଲାଭ ମିଳିପାରେ । ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀ ଧାମନଗର ପ୍ରଚାରକୁ ଯାଇନଥିଲେ । ଏବେ ଯିବେ କି ନାହିଁ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ । ଏହି ବରିଷ୍ଠ ନେତାଙ୍କୁ ଛାଡ଼ିଦେଲେ ବିଜେପିର ବାକି ନେତାମାନେ କିଭଳି ଭୋଟରଙ୍କୁ ମନାଇବେ? ବିଜେପିର ପଶ୍ଚିମ ଓଡ଼ିଶାର ନେତାଙ୍କ ମଧ୍ୟରେ ଥିବା ବିବାଦ କ୍ୟାମ୍ପେନକୁ ପ୍ରଭାବିତ କରିବ କି ନାହିଁ? ଏପରିକି ଗଣମାଧ୍ୟମରେ ବିବାଦୀୟ ନେତା ପାଲଟିଥିବା ବରିଷ୍ଠ ନେତା କେ.ଭି. ସିଂହଦେଓଙ୍କୁ ଦଳ ଅଧିକ ଭାବେ ପ୍ରଚାରରେ ଲଗାଇବ କି?

ସେହିପରି ବିଜେଡି ତାଲିକାରେ ସ୍ଥାନ ପାଇଥିବା ନେତା ପ୍ରତାପ ଜେନା, ଦିବ୍ୟ ଶଙ୍କର ମିଶ୍ର, ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଦି ଅତ୍ୟଧିକ ବିବାଦୀୟ ଚେହେରା ହୋଇଥିବା ବେଳେ ବିଜେଡି ପାଇଁ ଷ୍ଟାର କ୍ୟାମ୍ପନର ହେଲେ କିପରି? ଯେଉଁ ଘଟଣା ଗୁଡ଼ିକରେ ଏମାନେ ସମ୍ପୃକ୍ତ ହୋଇଥିବା ଅଭିଯୋଗ ରହିଛି ଓ ସେମାନଙ୍କର ଛବି ଖରାପ ହୋଇଛି ତାହା କ’ଣ ଭୋଟର ମାନଙ୍କୁ ପ୍ରଭାବିତ କରିବ ନାହିଁ? ଷ୍ଟାର କ୍ୟାମ୍ପନର ତାଲିକାରେ ସ୍ଥାନ ପାଇଥିବା ନେତା ମାନେ ଦଳ ପାଇଁ ଷ୍ଟାର ନାଁ ଭୋଟରଙ୍କ ପାଇଁ ଷ୍ଟାର? ଯଦି ବିବାଦୀୟ ନେତାମାନଙ୍କୁ ଦଳ ଗୁଡ଼ିକ ଷ୍ଟାର ଭାବେ ବିବେଚନା କରନ୍ତି ଓ ତାଲିକାରେ ସ୍ଥାନ ଦିଅନ୍ତି ତେବେ ଭୋଟର ମାନେ ଏମାନଙ୍କୁ ଷ୍ଟାର ଭାବେ ଗ୍ରହଣ କରିବେ କି? ନିର୍ବାଚନୀ ସଫଳତା ଆଣିବାରେ ବିବାଦୀୟ ହୋଇପଡ଼ିଥିବା ନେତା ମାନେ ସଫଳ ହୋଇପାରୁଛନ୍ତି ତେବେ ସେମାନେ ଯେତେ ଅପରାଧିକ ମାମଲାରେ ସଂପୃକ୍ତ ଥାଆନ୍ତୁନା କାହିଁକି ଦଳ ପାଇଁ ସେମାନେ କେବଳ ଷ୍ଟାର ହିଁ ଷ୍ଟାର । ଯଦି ରାଜନୈତିକ ଦଳ ପକ୍ଷରୁ ଏହି ଆଧାରରେ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରସ୍ତୁତ ହୁଏ, ତେବେ ଭାବନ୍ତୁତ କିଏ କାହାର ଷ୍ଟାର ?

Nirvik Bureau

Nirvik Bureau

Related Posts

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?
Politics

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

by Nirvik Bureau
September 6, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୬ ସେପ୍ଟେମ୍ବର ୨୦୨୬ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର...

Read more
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.