ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧ ନଭେମ୍ବର ୨୦୨୨
ଶେଷରେ ଧାମନଗର ମଇଦାନକୁ ଭର୍ଚୁଆଲ ପ୍ଲାଟଫର୍ମରେ ଓହ୍ଲାଇଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ଓ ଧାମନଗର ବିକାଶ ପାଇଁ ନିଜ କାନ୍ଧକୁ ଦାୟିତ୍ୱ ବି ନେଲେ । ଦଳ ତରଫରୁ ଚାଲିଥିବା କ୍ୟାମ୍ପେନରେ ପୂର୍ଣ୍ଣଛେଦ ଟାଣିଲେ ନିଜେ ମୁଖ୍ୟମନ୍ତ୍ରୀ । ୨୦୧୯ ପରର ସମସ୍ତ ଉପ ନିର୍ବାଚନ ଜିତି ଆସୁଥିବା ବିଜେଡି ନିଜର ସମସ୍ତ ସାମର୍ଥ୍ୟ ଓ ଶକ୍ତିକୁ ବିନିଯୋଗ କରିଛି ଏଥର ଧାମନଗର ଉପନିର୍ବାଚନରେ । ବିଜେପିର ରଣକୌଶଳ ଓ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ଗୋଟି ଚାଳନାକୁ ପ୍ରତିହତ କରିବା ପାଇଁ ବିଜେଡି ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଏକ ରକମ ବାଧ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଅଭିଭାଷଣରେ ଦଳୀୟ କର୍ମୀଙ୍କ ଅପେକ୍ଷା ସ୍ୱୟଂସହାୟିକା ଗୋଷ୍ଠୀର ସହଯୋଗ ଓ ନିଜେ ଏହି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଓହ୍ଲାଇବାକୁ ପଡିଲା ପ୍ରଚାର ମଇଦାନକୁ ? ଦଳୀୟ ପ୍ରଚାର ଓ ଷ୍ଟ୍ରାଟେଜି ବିଜେଡି ପାଇଁ ଯଥେଷ୍ଟ ହେଲା ନାହିଁ କି ? ବିଜେପିର ଟଙ୍କା ବଣ୍ଟା ଅଭିଯୋଗ ଓ ସ୍ୱାଧୀନପ୍ରାର୍ଥୀଙ୍କ ସାଂଗଠନିକ ଶକ୍ତି ଆଗରେ ଫିକା ପଡିଗଲେ କି ବିଜେଡିର ଷ୍ଟାର କ୍ୟାମ୍ପେନର ମାନେ ? ଟିକେଟ ବଣ୍ଟନ ପରଠାରୁ ସୃଷ୍ଟି ହୋଇଥିବା ଦଳୀୟ ଅସନ୍ତୋଷକୁ ଚାପି ପାରିବ କି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ? ଏଭଳି ଅନେକ ପ୍ରଶ୍ନ ଏବେ ଶୁଣିବାକୁ ମିଳୁଛି ଧାମନଗରରେ । ବିଗତ ୬ଟି ଉପନିର୍ବାଚନକୁ ଏଥରର ଉପନିର୍ବାଚନ ସହ ଯଦି ତୁଳନା କରାଯାଏ, ତେବେ ଏକଥା ନିଶ୍ଚିତ ଭାବେ କୁହାଯାଇ ପାରେ ଯେ, ଶାସକ ଦଳ ପାଇଁ ଧାମନଗର ଜିତିବାର ଆବଶ୍ୟକତା ଏବେ ବଢ଼ି ଯାଇଛି । ଏଠାରେ ବିଜେପି ଓ ସ୍ୱାଧୀନ ପ୍ରାର୍ଥୀ ଶାସକ ଦଳକୁ କଡ଼ା ଟକ୍କର ଦେଉଛନ୍ତି । ସ୍ୱୟଂ ସହାୟିକା ଗୋଷ୍ଠୀ ସବୁ ନିର୍ବାଚନ ଓ ଉପ ନିର୍ବାଚନରେ ବିଜେଡିର ବଡ଼ ଶକ୍ତି ହୋଇଥିବା ବେଳେ ଏଠାରେ ଏମାନଙ୍କୁ ନେଇ ହୋଇଥିବା ବିବାଦରେ ବିଜେଡି ଛନ୍ଦି ହୋଇ ଯାଇଛି । ଟଙ୍କା ବଣ୍ଟା ଅଭିଯୋଗ ମଧ୍ୟ ଶାସକ ଦଳ ଓ ଏହାର ନେତା ମାନଙ୍କୁ ବେଶ୍ ଅଡୁଆରେ ପକାଇ ଦେଇଛି । ପରିସ୍ଥିତି ଏପରି ହୋଇଛି ଯେ, ଶାସକ ଦଳ ରାଜ୍ୟ ନିର୍ବାଚନ ଅଧିକାରୀ ପାଖରେ ସୀମିତ ନରହି କେନ୍ଦ୍ର ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଛି । ଧାମନଗର ଠାରୁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଜେପିର ନେତା ଓ କର୍ମୀମାନେ ଶାସନ କଳକୁ ଘେରିବା ପାଇଁ ଚେଷ୍ଟା କରିଛନ୍ତି । ନିମାପଡ଼ାର ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା, ଅର୍ଚ୍ଚନା ନାଗ ସହ ସଂପୃକ୍ତ ଶାସକ ଦଳର ନେତାଙ୍କ ତାଲିକା ଓ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଆଦି ପ୍ରସଙ୍ଗ ଧରି ବିଜେଡି ଓ ଏହାର ନେତାମାନଙ୍କୁ ଜୋରଦାର ଟାର୍ଗେଟ କରିଛି ବିଜେପି ।
ଜିଲ୍ଲା ସ୍ତରରୁ ଆରମ୍ଭ କରି ଭୁବନେଶ୍ୱର ଓ ଦିଲ୍ଲୀରେ ମଧ୍ୟ ପହଞ୍ଚି ଯାଇଛନ୍ତି ବିଜେପିର ନେତା ଓ କର୍ମୀମାନେ । ପୂର୍ବ ଉପନିର୍ବାଚନ ଅପେକ୍ଷା ବିରୋଧୀ ବିଜେପି ଏଥର ନିଜର ଆକ୍ରମଣକୁ ଅଧିକ ଶାଣିତ କରିଛି । ଅନ୍ୟ ପକ୍ଷରେ ଦଳ ଭିତରେ ସବୁବେଳେ ଅସନ୍ତୋଷକୁ ଚାପିବାରେ ସମର୍ଥ ହୋଇଥିବା ଶାସକ ବିଜେଡି ଓ ଏହାର ମାନେଜମେଣ୍ଟ ଟିମ୍ ଧାମନଗର କ୍ଷେତ୍ରରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ମନେଇବାର ବିଫଳ ହୋଇଛନ୍ତି, ଯାହା ବିଜେଡିର ରଣନୀତି ପାଇଁ ଏକ ଶକ୍ତ ଚାପୁଡ଼ା ଭଳି ହୋଇଛି ।
ଫଳାଫଳ ଯାହା ହେଉନା କାହିଁକି କ୍ରମାଗତ ନିର୍ବାଚନ ଜିତି ଅପରାଜେୟ ହୋଇଥିବା ବିଜେଡି ପାଇଁ ଏବେ ଏକାଧିକ ପ୍ରଶ୍ନ ଠିଆ କରିଛି ଧାମନଗର ଉପନିର୍ବାଚନ । ଟିକେଟ ବଣ୍ଟନରେ ଭଦ୍ରକ ଜିଲ୍ଲା ପ୍ରଭାରୀ ଓ ଚାନ୍ଦବାଲି ବିଧାୟକଙ୍କ ମନମାନି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିଜେ ପ୍ରଚାର ମଇଦାନକୁ ଶେଷ ମୁହୁର୍ତ୍ତରେ ଓହ୍ଲାଇବାକୁ ପଡ଼ିଲାନି ତ ? ବ୍ରଜରାଜନଗର ଉପନିର୍ବାଚନକୁ ମ୍ୟାନେଜ୍ କରିଥିବା ନବ କିଶୋର ଦାସଙ୍କ ଭଳି ନେତା ଉପକୂଳ ଓଡ଼ିଶାରେ ବିଜେଡିକୁ ମିଳିଲେ ନାହିଁ କି ? କିଛି ନେତାଙ୍କ ପାଇଁ ବିଜେଡିର ଶକ୍ତି କୁହାଯାଉଥିବା ମିଶନ ଶକ୍ତିର ମହିଳା ମାନଙ୍କ ମର୍ଯ୍ୟାଦା ହାନୀ ହୋଇନି ତ ? ଯଦି ବିଜେଡି ପାଇଁ ବିଜୟ ବ୍ୟବଧାନ ଓ ଫଳାଫଳରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳେ ତେବେ ସୁପ୍ରିମୋ ନିର୍ବାଚନ ପରିଚାଳନା କରୁଥିବା ଟିମ୍କୁ କ୍ଷମା କରି ଦେବେ ତ ? ଶେଷରେ ଯଦି ବିଜେଡିର ଧାମନଗର ରଣନୀତି ସଫଳ ହୁଏ ତେବେ ଅଗାମୀ ଦିନରେ ବିଜେଡି ସଂଗଠନକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ପରିଚାଳନା କରିବେ ନାହିଁ ତ ?