ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୭ ଅପ୍ରେଲ ୨୦୨୩
ଆମ ରାଜ୍ୟର ଅବକାରୀ ବିଭାଗ ୨୦୨୨-୨୩ ଆର୍ଥିକ ବର୍ଷର ରେକର୍ଡ ପରିମାଣ ରାଜସ୍ୱ ଆଦାୟ କରିପାରିଛି । ଏହି ବର୍ଷ ଆଦାୟ ହୋଇଥିବା ରାଜସ୍ୱର ପରିମାଣ ଭାଟ୍ ସହିତ ୮୯୬୭.୪୯ କୋଟି ଟଙ୍କା । ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଏଥରର ଆଦାୟ ହୋଇଥିବା ଅର୍ଥର ପରିମାଣରେ ୧୭.୬୫ ପ୍ରତିଶତ ବୃଦ୍ଧି ଘଟିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ଆଦାୟର ପରିମାଣ ଥିଲା ୭୬୨୨.୪୧ କୋଟି ଟଙ୍କା । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଆଦାୟ ପରିମାଣ ଥିଲା ୫୪୦୦.୨୧ କୋଟି ଟଙ୍କା ।
ଓଡିଶା ସରକାର ଖଣି ପରେ ଅବକାରୀ ରାଜସ୍ଵ ଉପରେ ବେଶ୍ ଗୁରୁତ୍ୱ ଦେଇ ଆସୁଥବାର ନଜରକୁ ଆସିଛି । ଯେଉଁଥିପାଇଁ ଏହାକୁ ଓଡିଶା ସରକାରଙ୍କର ୨ନମ୍ବର ରାଜସ୍ଵ ଆଦାୟକାରୀ ବିଭାଗ ବୋଲି କୁହାଯାଏ । କେବଳ ଅବକାରୀ ରାଜସ୍ଵ ଆଦାୟରେ ରାଜ୍ୟ ସରକାର ସଫଳତା ପାଇଛି ତାନୁହେଁ ବରଂ ଅବକାରୀ ଜନିତ ମାମଲା ଓ ଗିରଫଦାରୀ ସଂଖ୍ୟା ମଧ୍ୟ ରେକର୍ଡ କରିଛି । ଯଦି ୨୦୨୨-୨୩ ଆର୍ଥିକ ବର୍ଷରେ ମାମଲା ସଂଖ୍ୟା ହିସାବକୁ ନିଆଯାଏ, ତେବେ ବିଭିନ୍ନ ଜିଲ୍ଲା ସ୍ତରରେ ୬୧,୩୭୭ଟି ମାମଲା ରୁଜୁ ହୋଇଛି । ଏହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୫୧ ପ୍ରତିଶତ ଅଧିକ ରହିଛି । ୨୦୨୧-୨୨ ବର୍ଷ ରାଜ୍ୟରେ ମୋଟ ୪୦,୫୯୮ଟି ମାମଲା ରୁଜୁ ହୋଇଥିଲା । ସେହିପରି ବେଆଇନ ନିଶା କାରବାର ଅଭିଯୋଗରେ ୨୦୨୨-୨୩ରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୯ହଜାର ୨୧୧ ରହିଛି । ଏହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୪୭ ପ୍ରତିଶତ ଅଧିକ ରହିଛି । ୨୦୨୧-୨୨ରେ ୩୩,୫୫୧ ଗିରଫ ହୋଇଥିବା ବେଳେ ୨୦୨୦-୨୧ ବର୍ଷରେ ଗିରଫଦାରୀ ସଂଖ୍ୟା ୧୯,୨୩୯ ରହିଥିଲା । ତେବେ ୨୦୨୨-୨୩ ଆର୍ଥିକ ବର୍ଷରେ ରେକର୍ଡ ପରିମାଣ ଏନଡିପିଏସ ମାମଲା ରୁଜୁ ହୋଇଛି । ଯାହାର ସଂଖ୍ୟା ହୋଇଛି ୧୯୪୯ । ପୂର୍ବ ବର୍ଷ ଅପେକ୍ଷା ୧୬୧ ପ୍ରତିଶତ ଅଧିକ । ୨୦୨୧-୨୨ ଆର୍ଥିକ ବର୍ଷରେ ଏନଡିପିଏସ ମାମଲା ସଂଖ୍ୟା ୭୪୮ ଥିବା ବେଳେ ୨୦୨୦-୨୧ରେ ଏହା ୩୯୬ ରହିଥିଲା ।
ସେହିପରି ଗତ ଆର୍ଥିକ ବର୍ଷରେ ଏନଡିପିଏସ ମାମଲାରେ ୨୨୩୨ ଜଣଙ୍କୁ ଗିରଫ କରାଯାଇଛି । ଏହା ପୂର୍ବବର୍ଷ ତୁଳନାରେ ୧୬୩ ପ୍ରତିଶତ ଅଧିକ । ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୨୦୨୧-୨୨ରେ ୮୪୯ ଥିବା ବେଳେ ୨୦୨୦-୨୧ରେ ୩୮୮ ଥିଲା । ସେହିପରି ଏହି ବର୍ଷ ୪୧ହଜାର ୩୩୦ କେଜି ଗଂଜେଇ ଓ ୩୨ହଜାର ୫୧୨ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ୨୦୨୧-୨୨ ମସିହାରେ ଜବତ ହୋଇଥିବା ବ୍ରାଉନସୁଗାରର ପରିମାଣ ୧୨ହଜାର ୫୬୭ଗ୍ରାମ ଥିବା ବେଳେ ପ୍ରତିଶତ ହିସାବରେ ୨୦୨୨-୨୩ରେ ଏହା ୧୫୯ ପ୍ରତିଶତ ଅଧିକ ରହିଛି । ସେହିପରି ବେଆଇନ ମାଦକ ଦ୍ରବ୍ୟ ପରିବହନରେ ବ୍ୟବହୃତ ମୋଟରଯାନ ଜବତର ପରିମାଣ ହୋଇଛି ୩୪ଶହ ୪୦ । ଯାହାକି ପୂର୍ବବର୍ଷ ଠାରୁ ୫୫ ପ୍ରତିଶତ ଅଧିକ ।
ଯଦି ୨୦୨୨-୨୩ ବର୍ଷର ଅବକାରୀ ବିଭାଗର ତଥ୍ୟକୁ ତର୍ଜମା କରାଯାଏ ତେବେ ଯେ କେହିବି ଏହାକୁ ରାଜ୍ୟ ଅବକାରୀ ବିଭାଗର ଏକ ବଡ଼ ସଫଳତା ବୋଲି କହିବ । ଓଡ଼ିଶାରେ ମଦ, ଗଂଜେଇ, ବ୍ରାଉନସୁଗାର ସେବନକାରୀଙ୍କ ସଂଖ୍ୟା ବଢ଼ିବାର ଇଏ ଏକ ସଂକେତ ନୁହେଁ କି ? ଅଧିକ ରାଜସ୍ୱ ଆଦାୟ ଲକ୍ଷ୍ୟରେ ନିଶାଦ୍ରବ୍ୟ କାରବାର ବଢ଼ାଇବାରେ ଏହି ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ ହେଉ ନାହିଁ ତ ? ଜାତୀୟ ସ୍ତରର ହାର ଠାରୁ ଓଡ଼ିଶାରେ ମଦ୍ୟପାନ ଓ ଗଂଜେଇ ଭଳି ନିଶାଦ୍ରବ୍ୟ ସେବନକାରୀଙ୍କ ସଂଖ୍ୟା ବଢ଼ିବା କ’ଣ ସୂଚିତ କରୁଛି ? ଅବକାରୀ ରାଜସ୍ୱ ଲକ୍ଷ୍ୟ ପୂରଣ କରିବା ଓ ରାଜ୍ୟରେ ନିଶାଦ୍ରବ୍ୟ ବ୍ୟବହାରୀ କାରୀଙ୍କ ସଂଖ୍ୟା ବଢ଼ାଇବା ରାଜ୍ୟର କେଉଁ ସ୍ୱାର୍ଥକୁ ସାଧିତ କରୁଛି ?