• About
  • Contact
Sunday, October 4, 2026
Sunday, October 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬

ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ “ଫାଇଲ ଚୋରି” ପୁଣି କେତେବେଳେ “ଡିଜିପି ନିଯୁକ୍ତି”କୁ ନେଇ। ଆଉ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କିଛି ପ୍ରଭାବଶାଳୀବାବୁ, ପରାମର୍ଶଦାତା ଓ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଭୂମିକା, ଯାହା ଲୋକଙ୍କ ମଧ୍ୟରେ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ହୋଇଛି। କାରଣ ଡିଜିପି ନିଯୁକ୍ତି ପ୍ରକ୍ରିୟାରେ ଓଡ଼ିଶା ସରକାର ଯେପରି ଭାବେ ଅଡୁଆରେ ପଡ଼ିଛନ୍ତି, ତେଣୁ ଏମାନଙ୍କ ଭୂମିକା ଆଦୌ ସନ୍ଦେହ ମୁକ୍ତ ନଥିବା ଭଳି ମନେହୁଏ। ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ହାନୀ ହେବାରେ ଏହି ବାବୁ ମାନଙ୍କ ଭୂମିକାକୁ ଅଣଦେଖା କରାଯାଇ ପାରିବ ନାହିଁ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟ ପ୍ରଶାସନର ସର୍ବୋଚ୍ଚ କାର୍ଯ୍ୟାଳୟ ଭାବେ ଜଣାଶୁଣା। ଏପରିକି ମୁଖ୍ୟ ଶାସନ ସଚିବ ମଧ୍ୟ ଏଠାରେ ଥିବା କନିଷ୍ଠ ଅଧିକାରୀଙ୍କ ପରାମର୍ଶକୁ ଗୁରୁତ୍ୱ ଦେବାର ପରମ୍ପରା ରହି ଆସିଛି। ବିଶେଷକରି ବିଗତ ସରକାର ସମୟରେ ଏହି କାର୍ଯ୍ୟାଳୟ ଏତେ କ୍ଷମତାଶାଳୀ ହୋଇଥିଲା ଯେ, ତାହା ମୁଖ୍ୟଶାସନ ସଚିବଙ୍କୁ ମଧ୍ୟ ପଛକୁ ଠେଲି ସମସ୍ତ ଫାଇଲରେ ହସ୍ତକ୍ଷେପ କରିବା ଏକ ପ୍ରକାର ବାଧ୍ୟତାମୂଳକ କାର୍ଯ୍ୟରେ ପରିଣତ ହୋଇଥିଲା। ଯାହା ସାଧାରଣ ଲୋକଙ୍କ ପାଖରେ “ଫାଇଭ୍‍ ଟି”ହସ୍ତକ୍ଷେପ ବୋଲି ପରିଚିତ ଥିଲା।

ଆଜି କିନ୍ତୁ ସେ “ଫାଇଭ୍‍ ଟି” ନାହିଁ କି ସମ୍ପୃକ୍ତ ଅଧିକାରୀ ନାହାଁନ୍ତି। ବରଂ ସେହି ଅଧିକାରୀଙ୍କ ସ୍ୱେଚ୍ଛାଚାରିତାକୁ ପ୍ରଚାର କରି କ୍ଷମତାକୁ ଆସିଛି ବିଜେପି ସରକାର। କିନ୍ତୁ ଏବେବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବାବୁ ମାନଙ୍କ ପ୍ରଭାବ ହ୍ରାସ ହୋଇପାରି ନାହିଁ। ଏ କାର୍ଯ୍ୟାଳୟର କିଛି ପ୍ରଭାବଶାଳୀ ଅଧିକାରୀ,ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଏପରିକି ଖୋଦ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟ ଶୈଳୀକୁ ନେଇ ଲୋକଙ୍କ ଭିତରେ ଏହି ଚର୍ଚ୍ଚା ଜୋରଦାର ହୋଇଛି। ଏପରିକି ଏହି ପ୍ରମୁଖ ଅଧିକାରୀଙ୍କ ଭିତରେ ଚାଲିଥିବା ଗୋଡ଼ ଟଣାଟଣି କାରବାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ଭଳି ସାମ୍ନାକୁ ଆସିଛି। ଫଳତଃ ପୁଲିସ ମହାନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ନେଇ ଅପଦସ୍ତ ହୋଇଛନ୍ତି ରାଜ୍ୟ ସରକାର। ଆପଣଙ୍କ ମନେଥିବା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଗଲା ୧୬ ତାରିଖରେ ଅବସର ନେଇଛନ୍ତି। ନିୟମ ଅନୁସାରେ ତାଙ୍କଠାରୁ ଜଣେ ପୂର୍ଣ୍ଣ କାଳୀନ ଡିଜି ପୁଲିସ କ୍ଷମତା ଗ୍ରହଣ କରିବା କଥା। କିନ୍ତୁ ତାହା ହୋଇପାରି ନାହିଁ। ଅର୍ଥାତ୍‍ ରାଜ୍ୟରେ ଦକ୍ଷ ଏବଂ ଯୋଗ୍ୟ ଅଧିକାରୀ ଥାଇ ମଧ୍ୟ ଯାହାଙ୍କ ନାଁ କେବେ ଚର୍ଚ୍ଚାରେ ନଥିଲା ସେ ହୋଇଛନ୍ତି କାର୍ଯ୍ୟ ନିର୍ବାହୀ ପୁଲିସ ଡିଜି। ଏଭଳି ନିଯୁକ୍ତିକୁ ପୂର୍ବରୁ ସୁପ୍ରିମ କୋର୍ଟ ନିନ୍ଦା କରିଛନ୍ତି, ହେଲେ ରାଜ୍ୟ ସରକାରଙ୍କ ପାଖରେ କୌଣସି ବିକଳ୍ପ ନଥିବାରୁ ଅକଳରେ ପଡ଼ି ଏହି ଚୟନ କରିଛନ୍ତି। ତେବେ ଏମିତି ଅକଳରେ କାହିଁକି ପଡ଼ିଲେ ରାଜ୍ୟ ସରକାର ? କିଏ ଏଥି ପାଇଁ ଦାୟୀ ?

ତେବେ ସରକାରଙ୍କ ଏଭଳି ଅବସ୍ଥା ପାଇଁ ଯେଉଁ ମାନଙ୍କ ବାବଦରେ ଲୋକଙ୍କ ଭିତରେ ଓ ସାମାଜିକ ଗଣମାଧ୍ୟମରେ ଆଲୋଚନା ଚାଲିଛି ସେମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର କାର୍ଯ୍ୟରତ ବରିଷ୍ଠ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ କିଛି ପରାମର୍ଶଦାତା ମଣ୍ଡଳୀ ଏପରିକି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ। ଚର୍ଚ୍ଚା ଚାଲିଥିବା ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମେ ଆସୁଛନ୍ତି ପୂର୍ବତନ ଡିଜିପି ପ୍ରକାଶ ମିଶ୍ର, ଯିଏ ଅଭିଜ୍ଞ ପୁଲିସ ଅଧିକାରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ଆଗରୁ ସେ ରାଜ୍ୟର ପୂର୍ବତନ ଡିଜି ପୁଲିସ ଭାବେ କାର୍ଯ୍ୟ କରିବା ସହ ଜାତୀୟ ସ୍ତରରେ ପୁଲିସ ବିଭାଗର ପ୍ରଶାସନ କ୍ଷେତ୍ରରେ ଅନେକ ଅଭିଜ୍ଞତା ହାସଲ କରିଛନ୍ତି। ଏବେ କ୍ୟାବିନେଟ୍‍ ପାହ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଧିଷ୍ଠିତ। ସୁପ୍ରିମକୋର୍ଟଙ୍କ ଦ୍ୱାରା ଡିଜିପି ନିଯୁକ୍ତିକୁ ନେଇ ଧାର୍ଯ୍ୟ ପରାମର୍ଶ ବାବଦରେ ସେ ଭଲ ଭାବେ ଜାଣନ୍ତି। କିନ୍ତୁ ରାଜ୍ୟରେ ଡିଜିପି ନିଯୁକ୍ତିକୁ ନେଇ ସେ ଉଚିତ ପଦକ୍ଷେପ ଗ୍ରହଣ କରିପାରି ନଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଏବେ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି। କୁହାଯାଉଛି, ତାଙ୍କର ଅନୁଗତ ଭାବେ ଜଣାଶୁଣା ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଡିଜି ପଦରେ ବସାଇବା ଉଦ୍ୟମ ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତିର ସାମ୍ନା କରୁଛନ୍ତି ରାଜ୍ୟ ସରକାର । ଏହି ଅଧିକାରୀ ଜଣକ ହେଉଛନ୍ତି ସଞ୍ଜୀବ ପଣ୍ଡା, ଯାହାଙ୍କୁ ନିକଟରେ ଡିଜି ପଦବୀକୁ ପଦୋନ୍ନତି ଦିଆଯାଇଛି। ଶ୍ରୀ ମିଶ୍ର ଯେତେବେଳେ ଡିଜି ପୁଲିସ ଥିଲେ ସେହି ସମୟରେ ଶ୍ରୀ ପଣ୍ଡା ପର୍ସନେଲ୍‍ ଆଇଜି ଭାବେ ଅଖଣ୍ଡ କ୍ଷମତାର ଅଧିକାରୀ ଥିଲେ ବୋଲି ରାଜ୍ୟ ପୁଲିସ ବିଭାଗରେ ଆଲୋଚନା ହୁଏ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ କାର୍ଯ୍ୟରତ ତଥା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅତିରିକ୍ତ ମୁଖ୍ୟ ସଚିବ ଶାଶ୍ୱତ ମିଶ୍ରଙ୍କ ଭୂମିକା ମଧ୍ୟ ଚର୍ଚ୍ଚାରେ। ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥାଇ ଦକ୍ଷତାର ସହ କାର୍ଯ୍ୟ କରିଥିବା ଶ୍ରୀ ମିଶ୍ର କାହିଁକି ଡିଜି ନିଯୁକ୍ତି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଉଚିତ ପରାମର୍ଶ ଦେଇପାରିଲେ ନାହିଁ ? ତାହା ବି ପାୱାର କରିଡରରେ ଚର୍ଚ୍ଚାର ବିଷୟ। କାରଣ ଯଦି ସେ ଉଚିତ ପରାମର୍ଶ ଦେଇଥାଆନ୍ତେ ତେବେ UPSC ଡିଜି ଚୟନ ବୈଠକ ବେଳେ ରାଜ୍ୟ ସରକାରଙ୍କୁ ଏପରି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ି ନଥାନ୍ତା।ଯଦି ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି ଆଉ ତାହାକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ନାହାନ୍ତି ତେବେ ତାହା ସୂଚିତ କରୁଛି ଯେ, ଶ୍ରୀ ମିଶ୍ର ଆଉ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ଅଧିକାରୀ ମାନଙ୍କ ପରିଧିରେ ନାହାନ୍ତି !

ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ଭାବେ ଜଣାଶୁଣା ଆଉ ଜଣେ ହେଉଛନ୍ତି ଆଇଏଏସ୍‍ ଅଫିସର ମନୋଜ ସାହୁ। ଓଡ଼ିଶା ବାହାର କ୍ୟାଡ଼ରର ଏହି ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ହେବା ପରେ ପରେ ଖୋଦ୍‍ ମୋହନ ମାଝି ଡକାଇ ରାଜ୍ୟରେ ନିଯୁକ୍ତି ଦେଇଛନ୍ତି ବୋଲି ଚର୍ଚ୍ଚା ହୁଏ। ସେ ମଧ୍ୟ ପୂର୍ବରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ଏଣୁ ପୁଲିସ ଡିଜି ନିଯୁକ୍ତି ପ୍ରକ୍ରିୟା ଓ UPSCର ଭୂମିକା ବାବଦରେ ସେ ନିଶ୍ଚିତ ଅବଗତ ଥିବା କଥା। ମାତ୍ର ଯେଉଁଭଳି ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଦୁଇ ଥର ଅଫିସରଙ୍କ ତାଲିକା UPSCକୁ ପଠାଗଲା ଓ ସରକାର ସମାଲୋଚିତ ହେଲେ,ଏଥିରେ ତାଙ୍କର ଭୂମିକାକୁ ନେଇ ମଧ୍ୟ ସନ୍ଦେହ ଉପୁଜିବା ସ୍ୱାଭାବିକ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ କାର୍ଯ୍ୟ କରୁଥିବା ଆଉ ଜଣେ ଅଧିକାରୀଙ୍କୁ ନେଇ ଭିନ୍ନ ଭିନ୍ନ ସମୟରେ ଚର୍ଚ୍ଚା ହୋଇଥାଏ,ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଖାସ୍‍ ଅନୁଗତ ଓ ବିଶ୍ୱସ୍ତ ଭାବେ ଜଣାଶୁଣା ବାବୁ ପ୍ରସନ୍ନ କୁମାର ଷଡ଼ଙ୍ଗୀ। ରିଟାୟାର୍ଡମେଣ୍ଟ ବେନିଫିଟ ପ୍ଲାନ୍‍ ଜରିଆରେ ଏହି ବାବୁ ଏବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ କାମ କରୁଥିବା ଅନ୍ୟ ବାବୁ ମାନଙ୍କ ଠାରୁ ଢେର ପ୍ରଭାବଶାଳୀ ବୋଲି ଶୁଣିବାକୁ ମିଳେ। ତାଙ୍କର ଅଭିଜ୍ଞତାକୁ ସବୁବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଉପଯୋଗ କରିବାକୁ ଚାହୁଁଥିବାରୁ ସେ ଏଠାରେ ଅବସ୍ଥାପିତ। ହେଲେ ମୁଖ୍ୟମନ୍ତ୍ରୀଙ୍କୁ ସେ କିପରି ଏହି ଡିଜି ନିଯୁକ୍ତି ସମ୍ବନ୍ଧରେ ଫାଇଲ ପ୍ରସ୍ତୁତି ବେଳେ ସହାୟକ ହୋଇପାରିଲେ ନାହିଁ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

ଏମାନଙ୍କୁ ଛାଡ଼ିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ରାଜନୈତିକ ପରାମର୍ଶ ଦେଉଛନ୍ତି ବୋଲି ଚାରିଆଡ଼େ କହି ବୁଲୁଥିବା ବିଜେପିର ଜଣେ ନେତା “ମହାନ୍ତି ବାବୁ”ଙ୍କ ଭୂମିକା ବି ଏବେ ସନ୍ଦେହ ଘେରରେ ବୋଲି ବିଜେପିର ଅନ୍ଦର ମହଲରେ ଆଲୋଚନା ହେଉଥିବାର ଶୁଣିବାକୁ ମିଳୁଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଯିବା ଆସିବା କରୁଥିବା କିଛି ବିଜେପି ନେତାଙ୍କ ଭିତରେ ଆଉ ଏକ କଥା ମଧ୍ୟ ଶୁଣିବାକୁ ମିଳୁଛି, କାଳେ ସେହି “ମହାନ୍ତି ବାବୁ” ଓ ମୁଖ୍ୟମନ୍ତ୍ରୀଙ୍କ ଅଘୋଷିତ ଦୁଇଜଣ ମିଡ଼ିଆ ପରାମର୍ଶଦାତା “ଜେନା ବାବୁ” ଓ “ପଟ୍ଟନାୟକ ବାବୁ” ମିଶିକରି ଏପରି ଏକ ଭୁଲ ପରାମର୍ଶ ଦେଇ ଥାଇପାରନ୍ତି ?

ମୁଖ୍ୟମନ୍ତ୍ରୀଙ୍କ ଅଫିସର ଏହି ଅଧିକାରୀ ଗଣ ଓ ପରାମର୍ଶଦାତା ମଣ୍ଡଳୀ ବ୍ୟତୀତ ରାଜ୍ୟର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପାରିଲାପଣିଆ ମଧ୍ୟ ଡିଜିପି ନିଯୁକ୍ତି ପ୍ରକ୍ରିୟାରେ ଚର୍ଚ୍ଚାର ବିଷୟ ହୋଇଛି। ଶ୍ରୀମତୀ ଗର୍ଗ ଜଣେ ବରିଷ୍ଠ ଆଇଏଏସ୍‍ ଅଧିକାରୀ। ପୂର୍ବରୁ ସେ ମଧ୍ୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି। ବହୁ ଅଭିଜ୍ଞତା ଥିବା ଏହି ମୁଖ୍ୟ ଶାସନ ସଚିବଙ୍କୁ ନିଶ୍ଚିତ ଭାବେ UPSCର ଡିଜି ନିଯୁକ୍ତି ପ୍ରକ୍ରିୟାରେ ଥିବା ଭୂମିକା ବାବଦରେ ଜଣାଥିବ। ହେଲେ ସେ କିପରି ମୁଖ୍ୟମନ୍ତ୍ରୀଙ୍କୁ ଉଚିତ ପରାମର୍ଶ ଦେବାରେ ବିଫଳ ହେଲେ। ପୁଣି ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ସେ UPSC କମିଟିର ସଦସ୍ୟ ହୋଇଥିଲେ ମଧ୍ୟ ତାଙ୍କର ଜ୍ଞାନ କିପରି ଠିକଣା ସମୟରେ ଉଭେଇ ଗଲା ତାହା ଏବେ ଚର୍ଚ୍ଚାର ବିଷୟ।

ଏସବୁ ଅଭିଜ୍ଞତା ଓ କାର୍ଯ୍ୟ ଦକ୍ଷତା ତଥା ଅଧିକାରୀମାନଙ୍କ ପୂର୍ବ ରେକର୍ଡ଼କୁ ଅନୁଧ୍ୟାନ କଲେ ସାଧାରଣ ଲୋକଙ୍କ ମନରେ ଏକାଧିକ ପ୍ରଶ୍ନ । ସତରେ କ’ଣ ଅଧିକାରୀମାନେ ଜାଣିଶୁଣି ରାଜ୍ୟକୁ ବଦନାମ କରିବାକୁ ଚାହିଁଛନ୍ତି କି ? ଡିଜି ଚୟନ ପ୍ରକ୍ରିୟା ବେଳେ ଏହି ଅଧିକାରୀଙ୍କ ଭିତରେ ଆଦୌ ତାଳମେଳ ନଥିଲା କି ? ନିଜ ନିଜ ଭିତରେ ସମନ୍ୱୟ ରଖି ପାରୁନଥିବା ଏହି ଅଧିକାରୀ ମାନେ କିପରି ମୁଖ୍ୟମନ୍ତ୍ରୀଙ୍କୁ ଠିକଣା ପରାମର୍ଶ ଦେବେ ? ଏ ପ୍ରଶ୍ନ ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠାରୁ ଅଧିକ ଆଲୋଚନାର ପ୍ରସଙ୍ଗ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଏହି ବାବୁ ମାନେ, ପରାମର୍ଶଦାତା ମଣ୍ଡଳୀ ନିଜ ନିଜର ସ୍ୱାର୍ଥ ପାଇଁ ମିଳିମିଶି ସରକାରଙ୍କୁ ଅଡୁଆରେ ପକାଇ ଦେଇ ନାହାଁନ୍ତି ତ ?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.